Unknown

 

 

 

 

 

 

 

 

 

 

 

ଶିଳାର ସପନ

ଶ୍ରୀ ଶ୍ରୀନିବାସ ଉଦ୍‌ଗାତା

 

ସୌଦା,

 

......ତାଜମହଲର ନମୁନା ଆଣିବା ହେଲା ନି....

ବହୁ ବରାଦ ସେଇମିତି ବରାଦରେ ରହିଯାଇଛି, ନୁହଁ ?

ପାଇଛି ଅନେକ

କିଛି ବି ଦେଇ ନି.... ।

ବୁବୁ, ବୁଲୁ, ଲୁଲୁ, ଲୀନା ଭଳି

...ମୋର ଏ ‘‘ଶିଳାର ସପନ’’କୁ ବି ଗ୍ରହଣ କରିବ, ହସିହସି... ।

 

–ଶ୍ରୀନି–

★★★

 

କୃତଜ୍ଞତା

 

...ସୁସାହିତ୍ୟିକ, ସମାଲୋଚକ, ବାଗ୍ମୀ, ପରମ ସୁହୃଦ ଅଧ୍ୟାପକ ଶ୍ରୀ ରାଜକିଶୋର ମିଶ୍ର ବହୁ ଶ୍ରମସ୍ୱୀକାର କରି ମୋର ଏ ଉପନ୍ୟାସର ମୁଖବନ୍ଧ ରଚନା କରିଦେଇଥିବାରୁ ମୁ ତାଙ୍କ ପ୍ରତି ମୋର ସଶ୍ରଦ୍ଧ କୃତଜ୍ଞତା ଜ୍ଞାପନ କରୁଛି ।

 

କବି କଥାକାର ଅଧ୍ୟାପକ ବନ୍ଧୁ ଶ୍ରୀ କ୍ଷେତ୍ରବାସୀ ନାୟକ ଓ ଉଦୀୟମାନ ତରୁଣକବି ଶ୍ରୀମାନ୍‌ ରାମକୁମାର ଅଗ୍ରବାଲା ମୋର ଏ ଉପନ୍ୟାସ ଲେଖୁଥିବାବେଳେ ବହୁବାର ଶୁଣିଛନ୍ତି । ସେଇମାନଙ୍କର ଆଗ୍ରହ ମୋତେ ଅସୀମ ପ୍ରେରଣା ଦେଇଛି । ଏଇ ଅବସରରେ ମୁଁ ସେଇମାନଙ୍କୁ ଆନ୍ତରିକତା ସହିତ ସ୍ମରଣ କରୁଛି ।

 

ବହୁ ଅମୂଲ୍ୟ ଗ୍ରନ୍ଥର ପ୍ରକାଶକ, ସୁସାହିତ୍ୟକାର ଫ୍ରେଣ୍ଡସ୍‌ପବ୍ଳିଶର୍ସର ମାଲିକ ବନ୍ଧୁ ଶ୍ରୀ ସହଦେବ ପ୍ରଧାନ ଏ ଉପନ୍ୟାସର ପ୍ରକାଶନ ଭାର ଗ୍ରହଣ କରଥିବାରୁ ଅଶେଷ ଧନ୍ୟବାଦ ।

 

ଆଶା କରୁଛ, ଓଡ଼ିଆ ପାଠକ-ଜଗତ ମୋର ଏ ରଚନାର ସ୍ୱାଗତ ସହୃଦୟତା ସହିତ କରିବ ।

 

କବିକୁଟୀର, ବଲାଙ୍ଗୀର

ଶ୍ରୀନିବାସ ଉଦ୍‌ଗାତା

ନବାନ୍ନ ।

 

୨୭ ଅଗଷ୍ଟ, ୧୯୬୮

 

★★★

 

ମୁଖବଂଧ

 

ସମାଲୋଚକ ଭାବରେ ମୋର କୌଣସି ଉଲ୍ଲେଖଯୋଗ୍ୟ ଭୂମିକା ନ ଥିବା କଥା କେହି ନ କହନ୍ତୁ ପଛେ, ମୋ ମନ ଜାଣିଛି । କାହିଁକି ନା ସମୀକ୍ଷକର ସେ ନିଷ୍ଠୁର ଅନ୍ତର୍ଦୃଷ୍ଟି ମୋର ନାହିଁ । ତେଣୁ କିଛି ଜାଣିବା ଶିଖିବାର ଔତ୍ସୁକ୍ୟ ନେଇ ଜଣେ ଅନୁରକ୍ତ ପାଠକ ଭାବରେ ଏଇ ଉପନ୍ୟାସର ତାତ୍ପର୍ଯ୍ୟବୋଧକୁ ମୁଁ ତଉଲିବାକୁ ଚେଷ୍ଟା କରିଛି । ତେଣୁ ସମୀକ୍ଷାର ଅନ୍ୟତମ ବିଭାଗ ପ୍ରତି ମୁଁ ଯଦି ସ୍ତର-ବିଶେଷରେ ଉଦାସୀନ ହୋଇଥିବି, ଆଶା, ସମାଲୋଚକମାନେ କ୍ଷମା ଦେବେ । କୌଣସି ସାହିତ୍ୟକୃତିର ସମାଲୋଚନା ଏ ପର୍ଯ୍ୟନ୍ତ ବି ନିରପେକ୍ଷ କି ସ୍ୱୟଂସମ୍ପୂର୍ଣ୍ଣ ହୋଇପାରିନି । ବ୍ୟକ୍ତିବିଶେଷର ନିରୀକ୍ଷଣରେ ବିଭିନ୍ନ ଭାବରେ ଏହାର ମୂଲ୍ୟାଙ୍କନ କରାଯାଏ । ଏ ଦଶକର ପ୍ରଜ୍ଞା-ମାନସ ଯଦି କେଉଁ କଳାକାରର ପ୍ରତିଭାକୁ ଉଚ୍ଚ ସମ୍ମାନ ଦେଇ ନ ଥାଏ, ସେ ପୁଣି ଆଗାମୀ ଦଶକରେ ବହୁ ଉଚ୍ଚକୁ ଉନ୍ନୀତ ହୁଏ । ଏହି reversal of values ଯୁଗେ ଯୁଗେ ରହିଆସିଛି-। ଅତି ଜଣାଶୁଣା କଥା ଯେ ପ୍ରଖ୍ୟାତ କଳାକାର Tennyson ତାଙ୍କର ଜୀବନର ଶେଷ ଆଡ଼କୁ ତାଙ୍କର ଦୁର୍ବଳ କାବ୍ୟଚେତନା ପାଇଁ ସମସ୍ତଙ୍କ ଦ୍ୱାରା ଅନାବୃତ ହେଲେ, ପୁଣି ପରବର୍ତ୍ତୀ ଦଶକରେ ତାଙ୍କର ଉପଯୁକ୍ତ ମୂଲ୍ୟାଙ୍କନ କରାଗଲା, ଠିକ୍‌ ଭବଭୂତିଙ୍କର ଉତ୍ତରରାମଚରିତ ନାଟକ ପରି-। ତେଣୁ Nicolson ଯେତେବେଳେ ଟେନିସନ୍‌ଙ୍କର ଜୀବନୀ ଲେଖିଲେ, ‘‘….I have urged, as an excuse for this, the perculiar circumstances of the period when Tennyson first appeared as a poet and the unfortunate condition of contemporary literary taste and I have concluded with the theory that the essential inspiration of Tennyson was the inspiration of fear, and that once his view is accepted and realised, the most damaging criticism against him-the criticism that he was both morally and intellectually insincere-will cease to trouble or to disconcert.’’ ଠିକ ଏହିଭଳି ଅବସ୍ଥା ମଧ୍ୟ ହୋଇଥିଲା, କବି ଓ୍ୱାର୍ଡସ୍‌ଓ୍ୱାର୍ଥଙ୍କର । ଏଇ ସବୁ ଦୃଷ୍ଟିରୁ କବି ତଥା କଥାକାର ଉଦ୍‌ଗାତାଙ୍କର ରଚନାଶୈଳୀ ତଥା କାହାଣୀଶିଳ୍ପ ଯେ କେତେ ରୁଚିପୂର୍ଣ୍ଣ, ଆଗାମୀ ଦିନଗୁଡ଼ିକ ତା’ର ମୂଲ୍ୟାଙ୍କନ କରିବ ।

 

ଏହା ପୂର୍ବରୁ ତାଙ୍କ ରଚିତ ଉନ୍ୟାସଗୁଡ଼ିକ ‘‘କାନ୍ତା’’, ‘‘ଶେଷ ରାତ୍ରି, ପ୍ରଥମ ସକାଳ’’ ଓ ‘‘ନୀଳ ନୟନ ତଳେ’’ ବେଶ୍‌ସମାଦୃତ ହୋଇପାରିଛି । ଅନୁବାଦକ ଓ ଗୀତିକାର ଭାବରେ ତାଙ୍କର ପ୍ରତିଷ୍ଠା ଯେ ଅପ୍ରତିଦ୍ୱନ୍ଦୀ, ମୁଁ ନିଶ୍ଚିତଭାବରେ ସ୍ୱୀକାର କରିବି ।

 

ନିଜର ବିଭିନ୍ନ ମାନସିକ ଉଦ୍‌ବିଗ୍ନତା ପାରିପାର୍ଶ୍ୱିକ ଅସହଜ ପରିବେଶ ଭିତରେ ମୋର ସୀମକ୍ଷା ଉପସ୍ଥାପିତ କରି ଗୋଟିଏ ଦ୍ୱିଧାପୂର୍ଣ୍ଣ ସମାପ୍ତିକା ଆଙ୍କିବାକୁ ବାଧ୍ୟ ହେଉଛି ।

 

ଇନ୍ଦ୍ରଧନୁର ବର୍ଣ୍ଣିଳ ଛଟାରେ ସ୍ନାତ ରଞ୍ଜିତ ହୋଇ ଉଠିଛି କାବ୍ୟମୟୀ କାହାଣୀଟି । ସତେ କି କୌଣସି ଚିତ୍ରକର କେତୋଟି ରଙ୍ଗର ପିଚକାରୀ ଧରି ହୋରୀଖେଳ ଆରମ୍ଭ କରିଛି; କେଉଁଠି ପ୍ରଣୟ ଓ ଅନୁରାଗର ଆଭାରେ ପାଟଳିତ ତ କେଉଁଠି ବିଷର୍ଣ୍ଣ ଗୋଧୂଳିର ଆସନ୍ନ ସନ୍ଧ୍ୟାରେ ନିଷ୍ପ୍ରଭ; ଆଉ କେଉଁଠି ବା ଅନାଗତ ଆଶଙ୍କାରେ କୃଷ୍ଣାୟିତ । ଜ୍ୟୋତ୍ସ୍ନାସ୍ନାତ ରଜନୀର ଶୁଭ୍ର ଆସ୍ତରଣରେ, ଉଦୁଉଦିଆ ଦି’ପହରର ପ୍ରଖର ଲେଲିହାନରେ, ନିରନ୍ଧ୍ର ତମିସ୍ରାର ନିଥର ବ୍ୟାପ୍ତିରେ ଏଇ ତିନୋଟି ଭାବନାକୁ ଉଜ୍ଜୀବିତ କରି ତୋଳିଛି, ତାଜମହଲ । ଲେଖକକୁ ସ୍ୱପ୍ନବିଭୋର, ବ୍ୟଥାତୁର ଓ ଉଲ୍ଲସିତ କରିପାରିଛି ଐକ୍ୟତାନିକ ଭାବରେ । ଯେଉଁଠି ଶୈଶବର ସୌକୁମାର୍ଯ୍ୟ, ଯୌବନର ଉନ୍ମତ୍ତ ଶୃଙ୍ଗାର, ପଶ୍ଚିମଜୀବନର ଅନ୍ତର୍ଖେଦ ଏକମୁଖୀ ହୋଇ ଉଠିଛି ଗୋଟାଏ ପ୍ରଚ୍ଛଦ ଭୂଇଁରେ–ସେଇଠି ରହି ରହି ଶୁଭି ଉଠୁଛି ଶିଶୁ-ସୁଲଭ ବିସ୍ମୟ-ପୁଲକର ଆବେଗମୟୀ ଉଚ୍ଛ୍ୱାସ, ମଧୁ-ଚନ୍ଦ୍ରିକାର ସମ୍ଭୋଗ ସୀତ୍କାର ଆଉ କ୍ଷୟିଷ୍ଣୁ ଜୀବନର ଅନ୍ତିମ ପ୍ରଣବ–ଗୋଟାଏ ମୂର୍ଚ୍ଛନା ବିଭିନ୍ନ ଝଙ୍କାର ତୋଳି ହୃଦୟକୁ ଶିହରିତ, ନିନାଦିତ ଓ ଉଦାସ କରି ବାହାରି ଆସିଛି । ବିଭିନ୍ନ ଧ୍ୱନି, ଛବି ଓ ରଙ୍ଗରୁ ଜନ୍ମ ନେଇଛି ଏ ‘‘ସ୍ୱପ୍ନ ସୁରଭି ।’’

 

ଫକୀର ଶାହଜହା୍ଁ ଓ ଐଶ୍ୱର୍ଯ୍ୟ ବିଭବଶାଳୀ ଶାହଜହାଁ ମଧ୍ୟରେ ଆତ୍ମଗୋପନ କରି ରହିଥିବା ଅବିଚ୍ଛିନ୍ନ ଅଭେଦ୍ୟ ମାନସିକ ଆବେଗର ସୂକ୍ଷ୍ମମର୍ମର ଉପରେ ପାଖୁଡ଼ା ମେଳି ହସିଉଠିଛି ପାଷାଣ ପୁଷ୍ପ.......ମମତାଜର ସ୍ୱପ୍ନପ୍ରତିମା । ସେଥିରେ ସମ୍ପଦର ଇନ୍ଦ୍ରଜାଲ ନାହିଁ, ଅନାବିଳ ପ୍ରୀତିର ନୈସର୍ଗିକ ସୁରଭ ହିଁ ରହିଛି ମାତ୍ର । ଜାଗତିକ ବୈଭବରେ ପ୍ରଣୟର ରୂପାନ୍ତର ଅସମ୍ଭବ, ବ୍ୟାପ୍ତିହୀନ ଅସୀମତାକୁ ବାନ୍ଧି ରଖିବାର ପ୍ରଲୋଭନ ଏକାନ୍ତ ଅଳୀକ; ତାହା ହିଁ ତାଜମହଲ ନୀରବରେ କହି ଚାଲିଛି । ଏ ଅପରୂପ ସ୍ମାରକୀର ପ୍ରଥମ ସନ୍ଦର୍ଶନରେ ଶାହଜହାଁ ତାକୁ ହଜିଲା ଦୃଷ୍ଟିରେ ଚାହିଁରହି ଗମ୍ଭୀର ଭାବେ କହି ଉଠିଛନ୍ତି—

 

‘‘ଶିଳ୍ପୀ ! ଏ ଅପରୂପ ରୂପ ସୃଷ୍ଟିରେ କେଉଁଠି ହେଲେ ମୁଁ ମୋର ପ୍ରିୟତମାକୁ ଜୀବନ୍ତ ଦେଖିଲି ନାହିଁ ।’’ ମମତାରେ ବୋଳାବୋଳି ହୋଇ ଯିଏ ପ୍ରଣୟୀ ହୃଦୟରେ ନିତ୍ୟ ମୀନାର ତୋଳି ଚାଲିଛି, ଅହର୍ନିଶ ରାସରଭସରେ ଯେ ପ୍ରୀତିଆତୁର ବୁକୁକୁ ସ୍ପନ୍ଦିତ କରି ତୋଳିଛି, ସେଇ ମମତାମୟୀ ଅଭିମାନିନୀ ମମତାଜକୁ କିପରି ଭାବେ ବା ଶାହଜାହାଁ ସ୍ଥାନାନ୍ତରେ ଥାପିବେ? ଅସମ୍ଭବ ଏ ପରିକଳ୍ପନା । ମମତାଜର ସ୍ମାରକୀ ଗମ୍ୱୁଜରେ ହିଁ ରାଜାଙ୍କର ବିସ୍ମୃତିର ବିଳପିତ ଧ୍ୱନି । ବିଗତ ଦାମ୍ପତ୍ୟର ହଜିଲା ସ୍ମୃତିକୁ ରାଜା ଅଣ୍ଡାଳି ବସିଛନ୍ତି, ମୁଖରିତ ଜନପଥରେ ଯେଉଁଠି ଅନେକଙ୍କର ସ୍ମୃତି ବି ହଜିଯାଇ ଏକାନ୍ତଭାବେ ମିଶିଯାଇଛି । ସ୍ଥପତି ଈଷାର ଫକୀର ଶାହଜହାଁର, ବିରହୀ ଲେଖକର ନର୍ମସହଚରୀ ବଦରୁନ୍ନିସାର ।

 

ଗୋଟିଏ ତନ୍ଦ୍ରା, ଦୁଇଟି ସ୍ୱପ୍ନ । ପ୍ରଣୟୀ ଶାହଜହାଁର ପ୍ରୀତି-ପ୍ରାଚୁର୍ଯ୍ୟ, ସ୍ଥବିର ଶାହଜହାଁର ଅନ୍ତିମ ନିର୍ଯ୍ୟାତନା । ଗୋଟିଏ ସ୍ୱପ୍ନ, ଅନ୍ୟଟି ଦୁଃସ୍ୱପ୍ନ—‘‘ସେଦିନ ଅପୂର୍ବ ମନେହେଲା, ତାଜ...ମୋ ଆଗରେ ଅନେକ କଥା କହିଯାଉଥିବା ପରି ମନେହେଲା । ସନ୍ଧ୍ୟାର ସେଇ ଅଦ୍‌ଭୁତ ମନୋହର ପରିବେଶରେ କେଉଁପରି କେଜାଣି କିପରି ଏକ ବିଚିତ୍ର ଆକର୍ଷଣ, ବାଧ୍ୟ କରି ଅଟକାଇ ରଖୁଥିବାର ଆକର୍ଷଣ ମୋତେ ମୁଗ୍‌ଧ କଲା....’’

 

ଲେଖକ ପ୍ରଥବ ଆବେଶରେ ତାଜର କାହାଣୀ ଶୁଣିଛନ୍ତି । କୋଡ଼ିଏ ବର୍ଷର ବ୍ୟବଧାନ ପରେ ତାଜ ମୁଣ୍ଡ ଟେକିଉଠିଛି । ପୃଥିବୀର ବିଭିନ୍ନ ପ୍ରାନ୍ତରୁ କୁଶଳୀ ଦକ୍ଷଶିଳ୍ପୀ, ଆସିଛନ୍ତି—ଐତିହାସିକ ସତ୍ୟତାରୁ ଲେଖକ କଳ୍ପନାର ସାମଗ୍ରୀ ତୋଳିଛନ୍ତି, ଅନେକ ଅନ୍ୱେଷଣ ପରେ ଇରାନ୍‌ର ଈଷା ଅପନଦୀ ଏ ସ୍ମାରକୀ ଗଢ଼ିବାକୁ ପ୍ରତିଶ୍ରୁତି ଦେଇଛି—ତା’ର ହୃଦୟରେ ପ୍ରିୟତମା ପତ୍ନୀର ସ୍ମୃତି ସେଇଭଳି ମଧ୍ୟ ସବୁଜ ରହିଛି । ତେଣୁ ସମ୍ଭ୍ରମତା ରକ୍ଷା ନ କରି ସେହି ଅହମିକାରେ ରାଜାଙ୍କୁ ପ୍ରତିଶ୍ରୁତି ଦେବା ଛଳରେ କହିଛି, ‘‘ମୁଁ ଜାଣେ ଜହାଁପନାହଁ, ହଜୁର ସମଦୁଃଖୀ, ଯେଉଁ ଦୁଃଖ ମୋର ଅନ୍ତର ତଳେ ଅନଳ ଜାଳୁଛି । ମୋର ବିଶ୍ୱାସ ମୁଁ କଳାର ସଂରକ୍ଷଣ ଦେଇପାରିବି ଓ ମୋତେ ଏ ନମୁନାର ସାକାର ରୂପ ଦେବାର ଆଦେଶ ଓ ଅବସର ମିଳିବ ।’’

 

ତା’ର ଏଇ ଅସ୍ଫାଳନରେ ରାଜା ଆତଙ୍କରେ ଶିହରି ଉଠିଛନ୍ତି । ଈଷା ହୁଏ ତ କେବେହେଲେ ନିଜ ସ୍ମୃତି ପ୍ରତି ଉଦାସୀନ ଓ ଅନାସକ୍ତ ରହି ରାଜାଙ୍କର ସ୍ମୃତିକୁ ସାକାର ରୂପ ଦେବାପାଇଁ ସମର୍ଥ ହୋଇ ପାରିବନି । ତେଣୁ ଯଥାର୍ଥର ସେ କହି ଉଠିଛନ୍ତି—

 

‘‘ତା’ହେଲେ କ’ଣ ମୁଁ ଏହା ବୁଝିବି ନାହିଁ ଯେ, ତୁମେ ଏଇ ବାହାନାରେ ତୁମର ଏ କଳାକୃତି ଦ୍ୱାରା ମୋର କଳ୍ପନାକୁ ନ୍ୟୂନ କରିଦେବ ?’’

 

ଅକଥନୀୟ ପରିଶ୍ରମ, ଅଗାଧ ଆତ୍ମଦାହ, ଅସୀମ ଆନନ୍ଦ ଓ ଅନୁପମ ବ୍ୟଥା ଭିତରେ ଅହର୍ନିଶ ଆପଣାକୁ ନିୟୋଜିତ କରି ଈଷା ନମୁନା ନିର୍ମାଣ କରି ଚାଲିଲା ।

 

ତାଜମହଲରେ ସଂପୂର୍ଣ୍ଣ ନିର୍ମାଣ ଲେଖକକଙ୍କର ସ୍ୱପ୍ନିଳ, ତଂଦ୍ରାତୁର ପରିବେଶ ମଧ୍ୟରେ ହିଁ ସଂପାଦିତ ହୋଇଛି । ସ୍ମାରକୀର ବର୍ଦ୍ଧିଷ୍ଣୁ କଳେବର ଅଂତରରେ ଯୁଗପତ୍‌ ଦ୍ୱୈତ ଭାବନାର ଶିହରଣ ସୃଷ୍ଟି କରିଛି । ଉଲ୍ଲାସ ଓ ଔତ୍ସୁକ୍ୟରେ ଈଷା ବିଭୋର ହୋଇଉଠୁଛି; କିନ୍ତୁ ସମ୍ରାଟ ଅଧିକ ବ୍ୟସ୍ତ-କାତର ହୋଇ ଉଠିଛନ୍ତି । ଦୀର୍ଘଦିନ ଧରି ସଂରକ୍ଷିତ ସଂଚିତ ଭାବାଦେଶ ତାଙ୍କର ରୂପାଂତରିତ ହେବାକୁ ଯାଉଛି ଶିଳା ସ୍ଥାପତ୍ୟରେ, ଆସନ୍ତା କାଲିର ପୂର୍ଣ୍ଣତା ହୁଏ ତ ତାଙ୍କ ପ୍ରଣୟର ବିକୃତ ରୂପ ନେଇପାରେ କିମ୍ୱା ମମତାଜ-ଗତ ଭାବୋଚ୍ଛ୍ୱାସର ଅସମାପିକା ଗାଇପାରେ—ଏଇ ଆଶଙ୍କା ଓ ଦୁର୍ବଳ ଚେତନାର ଶରବ୍ୟ ହୋଇ ପଡ଼ିଛନ୍ତି ସମ୍ରାଟ ।

 

‘‘କିପରି ଏକ ଅହେତୁକ ଭୟ ଜାଗ୍ରତ କରୁଛି । ମଧୁର ରୋମାଞ୍ଚ ନୁହେଁ, ଭୟର ଏକ ଶିହିରଣ ଖେଳି ଯାଉଛି ସମ୍ରାଟଙ୍କ ତନୁ ଓ ମନରେ ।’’ –ଅଥଚ ଈଷା ସମ୍ରାଟଙ୍କର ଆଦେଶ ପାଳନ କରୁ କରୁ ବିରହକାତର ହୃଦୟର ଆଶ୍ୱସ୍ତିର ପ୍ରଲେପ ଦେଇ ଚାଲିଛି । ଲେଖକ ନିଜେ ଜଣେ କଳାକାର ଓ କବି । କଳାକାର ହୃଦୟର ନୀରବ ସଂଳାପ ଓ ପ୍ରଣୟୀ ସମ୍ରାଟଙ୍କର ବ୍ୟଥିତ ବିଳାପ ଆନ୍ତରିକତା ସହିତ ଶୁଣିଛନ୍ତି ।

 

‘‘ମୁଁ ଯେତେଦିନ ବଞ୍ଚିଥିବି, ସେତେଦିନ ଏଇ ସ୍ମାରକୀରେ ମୋର ପ୍ରିୟତମାକୁ ଜୀବନ୍ତ ଦେଖିବାକୁ ଚାହୁଁଛି, ଯାହା ନିଜେ ନିଜ ହାତରେ ପ୍ରାଣ ଭରି ଦୁଃଖର ଆନନ୍ଦ ଭିତରେ ସୃଷ୍ଟି କରିଥିବି–’’

 

ତେଣୁ ଦୀର୍ଘ ଅଠର ଦିନ ପରେ ଚନ୍ଦନକାଠାରେ ନମୁନା ତିଆରି କରି ଈଷା ସମ୍ରାଟକୁ ଦେଖାଇଲାବେଳେ ସେଇ ନମୁନା ଯେ ‘ଆପଣାକୁ ବଞ୍ଚିତ କରିବାର ସଲ୍ଲଜ ଅସଫଳ ପ୍ରୟାସ’ର ଦ୍ୱୋତନା ଦେଉଥିଲା, ଲେଖକ ସଠିକ ଭାବେ ବୁଝିପାରିଛନ୍ତି । ସେ ନିଜେ ଜଣେ କଳାକାର ଓ କବି-। ପରଦ୍ୱାରା ଆଦିଷ୍ଟ ହୋଇ ଯେତେବେଳେ କଳାକାର ନିଜର ଉତ୍ତେଜନାକୁ ହତ୍ୟାକରେ, ଭାବନାକୁ ଭିନ୍ନମୁଖୀ କରାଏ, ତା’ର ଅନ୍ତର୍ଦାହ ହୁଏ । ଈଷା ମନରେ ସେହିପରି ଦ୍ୱନ୍ଦ୍ୱ ଆସିଛି ।

 

‘‘କ’ଣ ଅନ୍ୟକୁ ତୃପ୍ତି ଦେବାକୁ ହିଁ ତା’ର ସୃଷ୍ଟି ଓ ସେହି ହେତୁରୁ ସେ ତା’ର କଳାର ପ୍ରକାଶ କରେ ? ....ଆପେ ଦୀପ ପରି ଜଳିଯାଇ ଆଲୋକ ବିତରଣ କରିବା, ଆପେ ଧୂପ ପରି ସରିଯାଇ ସୁବାସ ବିତରି ଯିବା ହିଁ କଣ ଶିଳ୍ପୀ ଜୀବନର ଚରମ ସାର୍ଥକତା ? ହୋଇପାରେ ! ତେବେ ଏ ଅନନ୍ୟ ତୃପ୍ତିଦାନର ଓ ପ୍ରଣୟର ମହତ୍ୱ କଳାକାର ନିକଟରେ କି ରୂପରେ ପ୍ରତିଭାତ ?’’

 

ନିଜର ପ୍ରିୟାଗତ ସ୍ମୃତି ଓ ଅସୀମ ଭାବାବେଗର ଅଗ୍ନିଦାହ ଭିତରେ ଈଷା ଜଳିଜଳି ଦଗ୍‌ଧ ହୃଦୟରୁ ଅମଉଳା ସଜଫୁଟିଲା ଫୁଲଟି ପରି ପାଷାଣ ପୁଷ୍ପଟିଏ ବିକଶାଇବାକୁ ସମର୍ଥ ହୋଇପାରିଛି । ହୋଇ-ପାରେ, ଧନୀ-ନିର୍ଧନ ନିର୍ବିଶେଷରେ ଜଗତର ସମସ୍ତ ବିଚ୍ଛେଦ ଖେଦ ପ୍ରଣାୟାତୁର ବୁକୁର ସୁରଭିରେ ତା’ର ପ୍ରତିଟି ପାଖୁଡ଼ା ସୁରଭିତ ହୋଇ ଉଠିଛି । କଳାର ଅନିର୍ବାଚନୀୟ ଉନ୍ମେଷ ପାଇଁ, ନିଷ୍କଳୁଷିତ ଅକୃତ୍ରିମ ହୃଦୟର ଅଫୁରନ୍ତ ଉଚ୍ଛ୍ୱାସ ନେଇ ଈଷା ସବୁ କିଛି ଅନୁରାଗ ଓ ସୋହାଗ ମଖାଇ ଦେଇଛି ସେଇ ପାଷାଣୀ ଅଭିସାରିକାର ତାରୁଣ୍ୟରେ । ତେଣୁ ଈଷାର ଏ ସଲଜ୍ଜ ସ୍ୱାଭିମାନରେ କୌଣସି ଧୃଷ୍ଟତା ନାହିଁ । ସୂର୍ଯ୍ୟ ଓ ସୌରଶକ୍ତି ଯେପରି ଅଭିନ୍ନ ଓ ଅବିଚ୍ଛେଦ୍ୟ, ବସଂତ ଓ ମଳୟ ଯେପରି ଏକୀଭୂତ, ସେଇପରି ତାଜ ଓ ଈଷା ଅବିଭକ୍ତ ମମତାର ରଜ୍ଜୁରେ ଆବଦ୍ଧ। ଜଣେ ସ୍ୱର—ଅନ୍ୟଟି ତା’ର ମୂର୍ଚ୍ଛନା । ଗୋଟିଏ ଶବ୍ଦ—ଅନ୍ୟଟି ଧ୍ୱନି । ଗୋଟିଏ ଦଂଶନ—ଅନ୍ୟଟି ତା’ର ଯନ୍ତ୍ରଣା—ଏଇ କଥାହିଁ ଗାଳ୍ପିକ ଜଣାଇଛନ୍ତି ତାଙ୍କର ସ୍ୱପ୍ନିଳ କଥନିକାରେ-। ସେଇଥିପାଇଁ ତାଜ୍‌ର ସ୍ୱର ପହଂଚି ପାରି ନ ସମ୍ରାଟ ଶାହଜହାଁଙ୍କ ପାଖରେ—ଈଷା ବିସ୍ମୟ, ପ୍ରାଚୁର୍ଯ୍ୟ ଓ ଅତୀଂଦ୍ରିୟ ଉଲ୍ଲାସରେ ସ୍ତବ୍‌ଧବାକ୍‌ ହେଲାବେଳେ ଅପ୍ରାପ୍ତିର ଆତଙ୍କରେ, ଅସୂୟାର ଅଂତର୍ଖେଦରେ ହତବାକ୍‌ ହୋଇଛନ୍ତି । ଦୁହେଁ ନୀରବ ଓ ନିର୍ବାକ—କିନ୍ତୁ ଦୁହେଁ ଆତ୍ମପ୍ରକାଶର ଉଦ୍ଦାମ ଚପଳ ଆବେଗରେ ଭିନ୍ନ ଭାବରେ ପ୍ରଗଲ୍‌ଭ ହୋଇ ଉଠିଛନ୍ତି । ନର୍ମଚରୀ ବୃଦ୍ଧା ବଦରୁନ୍ନିସା ତାଜ-ମହଲରେ ଆତ୍ମୋତ୍ସର୍ଗ କରିଛି, ଦୀର୍ଘଦିନର ବ୍ୟଥାତୁର ସ୍ମୃତି ସାକାରୀଭୂତ ଅନୁପମ ବାସ୍ତବ ଉଲ୍ଲାସରେ ଲୀନ ହୋଇଯାଇଛି, ସେ ପାଇ ପାରିଛି ଅରଜୁମନ୍ଦକୁ ମାର୍ବଲ ଗମ୍ୱୁଜର ଶାୟିତା ପ୍ରତିମାରେ—କିନ୍ତୁ ସମ୍ରାଟ ଚିହ୍ନିପାରି ନାହାନ୍ତି । ତେଣୁ ଅତି ମାପାଚୁପା ଆଖିରେ ସମ୍ରାଟଙ୍କୁ ଚାହିଁ ସେଦିନ ତୁର୍କୀସ୍ଥାନରେ ସ୍ଥପତି ଈଷା ଧୀର କିନ୍ତୁ ବଜ୍ରୋଦାତ୍ତ କଣ୍ଠରେ କହି ଦରବାରରୁ ବିଦାୟ ନେଇଥିଲା ।

 

‘‘ଜହାଁପନାହଁ ! ବାନୋ ଆପଣଙ୍କର ଏ ତାଜର ପ୍ରତିଟି ପଥରରେ, ପ୍ରତିଟି ଫୁଲରେ, ପ୍ରତି କୋଣରେ ଜୀବନ୍ତ ଅଛି । ତାକୁ ସିଏ ଦେଖିବ ସିନା, ଯା’ର ପ୍ରାଣରେ ଅତୁଟ ଓ ପବିତ୍ର ପ୍ରେମର ଧାରା ପ୍ରବହମାନ । ଯା’ର ହୃଦୟରେ ସେ ଧାରା ପ୍ରବାହିତ ଥିଲା, ସିଏ ଦେଖିଛି—କଥା ହୋଇଛି—ଖାଲି ସେତିକି ନୁହେ, ଦୀର୍ଘ କୋଡ଼ିଏ ବର୍ଷର ବିଚ୍ଛେଦ ପରେ ମିଳିଥିବା ଅଳିକ ସାନ୍ନିଧ୍ୟକୁ ଅତି ଆପଣାର, ଏକାନ୍ତ ନିଜର କରିନେବାକୁ ଆପେ ଆପଣାଛାଏଁ ମିଳେଇ ଯାଇ ତା’ ସାଥିରେ ଏକ ଓ ଅଭିନ୍ନ ହୋଇଯାଇଛି; ଯେଉଁ କୋଡ଼ିଏ ବର୍ଷ ଭିତରେ ଆଲାଜାହ ତାସ୍‌ଙ୍କଦ୍‌, ସମର୍‌ଙ୍କଦ ତୁର୍କ, ଇରାନ୍‌ଗୋଟାକ ପରେ ଗୋଟାଏ ଜୟ କରିଛନ୍ତି, ରକ୍ତର ବନ୍ୟା ଛୁଟିଛି—ପ୍ରେମର ପ୍ଳାବନ ମରିଯାଇଛି—ହଜିଯାଇଛି—ନୀରସ ହୋଇଯାଇଛି ।

 

ହୋଇପାରେ ସେଇ ହୁଏ ତ ସେଇ ପ୍ରୀତିର ଅପ୍ରତିମ ପ୍ରତିମାକୁ ମନରୁ ପୋଛି ଦେଇଛି...-।’’

 

ଆହତ ଅଭିମାନର ଈଷା ବିଦାୟ ନେଲାପରେ, ଉତ୍ତେଜିତ ଓ ଭାରାକ୍ରାଂତ ହୃଦୟରେ ସମ୍ରାଟ ଉଆସକୁ ବାହୁଡ଼ି ଆସିବା ପରେ ଲେଖକଙ୍କର ତଂଦ୍ରାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଗୋଟିଏ ଅଶ୍ୱସ୍ତିକର ମୁହୂର୍ତ୍ତରେ ସେ ସ୍ୱପ୍ନ ଅପସରି ଯାଇଛି । କଲ୍ୟାଣୀର ବହୁବାର ପ୍ରୀତିମଖା ସସ୍ନେହ ନିବେଦନ ତାଜମହଲର ନମୁନାଟିଏ ପାଇଁ ଲେଖକଙ୍କୁ ଅଧିକ ବ୍ୟଥିତ କରି ତୋଳିଛି । ପ୍ରିୟତମାର କୌତୂହଳକୁ ସେ ମେଣ୍ଟାଇ ପାରିନାହାନ୍ତି । ଦ୍ୱୈତ ଜୀବନରେ ପ୍ରୀତିର ତାଜ ନିର୍ମାଣ ଯେ ସୁଦୂର ପରାହତ—ଲେଖକ ଏଇ ଅଜଣା ଆତଙ୍କରେ ବିଷଣ୍ଣ ହୋଇପଡ଼ିଛନ୍ତି । ତେଣଉ ସ୍ଥବିର ଶାହଜାହାଙ୍କର ଅନ୍ତିମ ଜୀବନ ତାଙ୍କ ଆଗରେ ନାଚି ଉଠିଛି । ସୁଷମାମୟୀ ପ୍ରାଣପ୍ରିୟା ମମତାଜର ସନ୍ତାନ ଆଉରଙ୍ଗଜେବର ହସ୍ତରେ ପ୍ରଣୟୀ, ପିତୃବତ୍ସଳ ଶାହଜାହାଙ୍କର ଅକଥ ଯନ୍ତ୍ରଣା ଇତିହାସରେ ଏବେ ବି ଆଶ୍ଚର୍ଯ୍ୟ ଗୋଧୂଳି ଭଳି ଲେଖିରହିଛି । ପିତୃତ୍ୱ ପ୍ରତି ଏ ଏକ ଚରମ ଉପହାସ ।

 

ଅବଶ୍ୟ ଏ ବିଷଣ୍ଣତା ବେଶିଦୂର ଲେଖକଙ୍କୁ ଅତିଷ୍ଠ କରି ତୋଳିନି । ପିତୃତ୍ୱ ତାଙ୍କର ଦୁର୍ବଳ, ଅଶ୍ରୁସ୍ନାତ ହୋଇ ଉଠିଛି । କିନ୍ତୁ ପ୍ରଣୟୀ ହୃଦୟକୁ ଆହୁର ଅଧିକ ରସସିକ୍ତ କରିଦେଇଛି ଆଉରଙ୍ଗଜେବ ଓ ହୀରାବାଈର ଅଭିସାର । ମୋଗଲ ଦରବାରରେ ଯେଉଁ ସ୍ୱର୍ଣ୍ଣଶେଫାଳୀ ଝରିପଡ଼ୁଥିଲା, ଲେଖକ ସେଥିରୁ ଗୋଟିଏ ସାଉଁଟି ଆଣି ତା’ର ଫଗୁ ଗଣିଛନ୍ତି । ଉପନ୍ୟାସର ପ୍ରଗତିର ଏ କାହାଣୀ (episode) କୌଣସି ବାଧାସୃଷ୍ଟି କରି ନି, ବରଂ ପ୍ରଣୟାତୁର ବିଳାପ, ବିଦୀର୍ଣ୍ଣ ସ୍ମୃତି, ଆତ୍ମୋତ୍ସର୍ଗ ବା ତିତିକ୍ଷାର ସ୍ୱରକୁ ଅଧିକ ଗୀତିମୟ କରି ତୋଳିଛି । ହଜିବା-ଖୋଜିବାର ସ୍ୱପ୍ନ ଓ ସ୍ମୃତିର ଭିତରେ ଉପନ୍ୟାସର ପ୍ରତିଟି ପୃଷ୍ଠା ସଜୀବ ହୋଇ ଉଠିଛି । ବ୍ୟକ୍ତିଗତ ଦାମ୍ପତ୍ୟ ଜୀବନର ନିତ୍ୟନୂତନ ମଧୁମୟ ଉଲ୍ଲାସ କଲ୍ୟାଣକୁ ମନୋଜ୍ଞା ଓ ଲୋଭନୀୟା କରିଦେଇଛି । କଲ୍ୟାଣୀର ସ୍ମୃତିଚାରଣରେ ଲେଖକ ପ୍ରଗଲ୍‌ଭ, ତାଙ୍କର ଲେଖନୀ ଉଚ୍ଛୃଙ୍ଖଳ । ସେ ସ୍ୱପ୍ନ ଦେଖୁନାହାନ୍ତି, ବରଂ ସପନର ଚନ୍ଦ୍ରଭାନୁ ଅପାଙ୍ଗରୁ ଦୁଇଟି ମୁକ୍ତାବିନ୍ଦୁ ଝରାଇ ଦେଇଛି ତା’ର ସପନସାଥୀ ଲାବଣ୍ୟବତୀର ଉଦ୍ଦେଶ୍ୟରେ । ‘‘.......ତା’ର (କଲ୍ୟାଣୀର) ସ୍ୱଚ୍ଛନ୍ଦ ହାସ୍ୟ, ଉଜ୍ଜ୍ୱଳ-ଉଲ୍ଲାସ, ଆହ୍ଲାଦ ଓ ପ୍ରଣୟର ଅକଥ ଉନ୍ମାଦନା, ବିଳାସ ଓ ଭୋଗର ଐଶ୍ୱର୍ଯ୍ୟ ଯାହା ଗହନ ନୀରବତାରେ ମୁଖର ହୋଇ...ସୁବର୍ଣ୍ଣ ରେଣୁ ପରି ମୋର ଚାରିପାଖରେ ହୁଏ ତ ମୁଠାମୁଠା ବୁଣି ହୋଇଯାଉଥିଲା.....ସାଉଁଟି ହେବନାହିଁ ।’’ ଏଇ ହଜି-ହଜେଇବାର ପ୍ରୀତି-ପ୍ରାଚୁର୍ଯ୍ୟର ନାଟକୀୟ ଅବସାନ ପରେ ଦରଦୀ ପ୍ରଣୟୀ ତା’ର ଗତାୟୁ ପ୍ରିୟା ପାଇଁ କବର ରଚେ—ସେ ହୋଇପାରେ ମମତାଝରା ତାଜ ବା ଦି’ଖଣ୍ଡ ଭଙ୍ଗା ଇଟା ବା ମୁଠାଏ ମାଟିର ନମ୍ର ବିନ୍ୟାସରେ କୌଣସି ସ୍ଥାପତ୍ୟର ପ୍ରୟାସ । ହୀରାବଈର ଆତ୍ମୋତ୍ସର୍ଗ କେବଳ ପ୍ରୀତିର ଅବ୍ୟାହତ ପ୍ରବାହ ପାଇଁ । ପ୍ରେମିକର ଘନ ଆଶ୍ଳେଷ ଭିତରେ ନିଜକୁ ନିଃସ୍ୱ କରିବାର ମାଦକତା ଭିତରେ ପ୍ରାପ୍ତିର ଦୁନ୍ଦୁଭି ବଜାଇ ହୀରାବାଈ ବିଦାୟ ନେଇଛି ।

 

ଏଇ ଐତିହାସିକ ଗାଥାର ରମଣୀୟ ପଟ୍ଟଭୂମି ଉପରେ ଉପନ୍ୟାସଟି ଗଢ଼ିଉଠିଛି । ତାଜମହଲ ମୁଣ୍ଡଟେକି ଉଠିଥିଲା ଠିକ୍‌ ତିନିଶହ ବର୍ଷ ପୂର୍ବେ । ସେହିଦିନଠାରୁ ସହସ୍ର ଦମ୍ପତିଙ୍କର ଚିତ୍ତରେ ଏକ ଅଫୁରନ୍ତ ଶିହରଣ ସୃଷ୍ଟିକରି ଆସିଛି ତାଜର frozen lyric । ଯେ ଏଇ ଶିଳା ସ୍ଥାପତ୍ୟ ନ ଦେଖିଛି ତା’ହୃଦୟରେ ତାଜମହଲ ସ୍ଥାନ ପାଇଛି ଗଭୀର ଆତ୍ମପ୍ରତ୍ୟୟ ଓ ଆଶ୍ୱାସନାର ଗୋଟାଏ ବିସ୍ମୟବାଚୀରୂପେ । ଦିଗନ୍ତର ଛାୟାଲୋକରେ ରହି ପ୍ରଣୟିନୀ ନିବେଦନ କରିଛି ତାଜ ପାଖରେ, ତା’ର ପ୍ରଣୟ ଅମଳିନ ରହୁ ବୋଲି । ତେଣୁ ତାଜମହଲର ନମୁନା କେବଳ ବିଳାସର ସାମଗ୍ରୀ ନୁହେଁ, ଅବିଚ୍ଛିନ୍ନ ପ୍ରଣୟର ଜ୍ୱଳନ୍ତ ଭାସ୍ୱର ସୋହାଗଦର୍ପଣ । ତେଣୁ କଲ୍ୟାଣୀ ଅଳି କରିଥିଲା ଗୋଟାଏ ନମୁନା ପାଇଁ, ସତେ କି ତା’ ପାଖରେ ସେ ପ୍ରୀତିର କଳ୍ପଲତା ।

 

ଘଟନାକ୍ରମେ ଉପନ୍ୟାସର ନାୟକ ଡାକ୍ତରଭାବେ ଆଗ୍ରା ଯାଆନ୍ତି । ରହଣୀର ଅଳ୍ପ ସମୟ ମଧ୍ୟରେ ସେ ଗୋଟାଏ ରୋଗଣୀର ଚିକିତ୍ସା ଦାୟିତ୍ୱ ନିଜ ହାତକୁ ନିଅନ୍ତି । ଅତି ନାଟକୀୟଭାବେ ସେ ରୋଗିଣୀଟି ତା’ର ବୃଦ୍ଧ ସ୍ୱାମୀଦ୍ୱାରା ଅନୀତ ହୋଇ ଡାକ୍ତର ନିକଟକୁ ଆସେ ଯାହାର ପ୍ରଥମ ସନ୍ଦର୍ଶନରେ ଦରଦୀ ଡାକ୍ତରଙ୍କ ହୃଦୟରେ ତା’ ପ୍ରତି ସହାନୁଭୂତି ଜାଗିଉଠେ । ବୃଦ୍ଧ ନିଃସ୍ୱ, ଦରିଦ୍ର—ସେ ତା’ର ସବୁକିଛିର ବିନିମୟରେ ନିଜ ବେଗମ୍‍ ର ଆରୋଗ୍ୟ ଚାହେଁ ।

 

‘‘ମୁଁ ଦେଖୁଥିଲି କାର୍ଯ୍ୟରତ ସେଇ ବୃଦ୍ଧ, ଯେପରି କି ସେଥିରେ ହିଁ ପାଉଥିଲା ଚରମ ଆନନ୍ଦ ଓ ଆପଣାକୁ ସଂପୂର୍ଣ୍ଣରୂପେ ନିୟୋଜିତ କରିପାରିଛି ବୋଲି ହୁଏ ତ ସେ ବ୍ୟଥା ଭୁଲିଥିଲା–ତା’ର ମନରେ ଏ ଆଶଙ୍କା ଓ ଭୟ ନ ଥିଲା ଯେ ବେବମ୍‌ ତା’ର ବଞ୍ଚିବ ନାହିଁ–ଏକ ଦୁରାରୋଗ୍ୟ ରୋଗର ଶିକାର ସେ ।’’

 

ବୃଦ୍ଧର ଗଭୀର ଅନୁରାଗ, ଆସକ୍ତି ଓ ନିଷ୍ଠାରେ ଲେଖକ (ଡାକ୍ତର) ବି ନିର୍ବିକାର ଭାବରେ ବେଗମ୍‍ ର ସେବାକରି ଚାଲିଥିଲେ । କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ୱେ କାନ୍‌ସର୍‌ରେ ବୁଦ୍ଧ ମୁସଲମାନ୍‌ର ବେଗମ୍‍ ଚିରଦିନ ଲାଗି ଢଳିପଡ଼ିଲା—ପତ୍ନୀର ଉଦ୍ଦେଶ୍ୟରେ ବୃଦ୍ଧ ସ୍ମୃତିର କବର ତୋଳିଥିଲା ଦୁଇ ଖଣ୍ଡ ଭଙ୍ଗା ଇଟା ଓ ମୁଠାଏ ମାଟିରେ—ଅଦୂରରେ ନୀରବରେ ଅଶ୍ରୁଳ ନୟନରେ ଠିଆ ହୋଇଥିଲା ତାଜ—ବଦରୁନ୍ନିସାର ସ୍ମାରକୀ । ଦୂରରେ ଆଗ୍ରାର ଦୁର୍ଗ—ଯମୁନାର ଛଳଛଳ ଜଳରାଶି ପ୍ରଣୟର ମଧୁର ସଙ୍ଗୀତ ଗାଇ ଯାଉଥିଲା—ବୃଦ୍ଧ ମୁସଲମାନଟି ବୋଧହୁଏ ପତ୍ନୀର ବିଚ୍ଛେଦରେ ସେଇଠି ଶୋଇ ରହି ତା’ର ମିଳନାଦୁର ହୃଦୟରେ ମୃତ୍ୟୁର ଚଉପଦୀ ରଚୁଥିଲା । ପରଦିନ ଡାକ୍ତର ଯିବା ବାଟରେ ଦେଖିଲେ, ବୃଦ୍ଧ ଭିଖାରୀଟି ସେଇ ଛୋଟିଆ କବର ନିକଟରେ ମରିପଡ଼ିଛି—ସେଇ ଭିଖାରୀର ନା’ ଥିଲା ଫକୀର ଶହାଜହାଁ । ଏଇଠି ଉପନ୍ୟାସଟି ଶେଷ ହୋଇଛି ।

 

Monologueର ସ୍ଫୀତି ଭିତର ଦେଇ ଜୀବନର ଗୋଟିଏ ଦୁଃଖଭରା ଭଗ୍ନାଂଶ ଉପରେ କଥାବସ୍ତୁଟି ପର୍ଯ୍ୟବେଷିତ । ଏଥିରେ ଘଟଣା ପ୍ରବାହ ନାହିଁ ବା ଜୀବନର ବିସ୍ତୃତି ନାହିଁ । ଲେଖକ ନିଜେ ନିଜ କାହାଣୀର ନାୟକ । ଅନ୍ୟ କୌଣସି ଚରିତ୍ରର ଆରୋପ ବା ପ୍ରତିଫଳନ ନ ଥିବାରୁ କାହାଣୀଟି ଉପନ୍ୟାସଧର୍ମୀ ନ ହେବାର ହୁଏ ତ ଆଶଙ୍କା କରାଯାଇପାରେ । ଗୋଟିଏ ସ୍ପନ୍ଦନ, କିଛି ଅନୁଭୂତି ଓ ମାନସିକ ସ୍ଫୂର୍ତ୍ତି ଉପରେ ଆଧାରିତ କାହାଣୀ କୌଣସି କ୍ଷୁଦ୍ରଗଳ୍ପ ଭିତରେ ସୀମିତ ହେଲେ ମଧ୍ୟ ଏଥିରେ ବିସ୍ତୃତି ଓ ସଂଳାପର ସଙ୍କେତ ରହିଛି । ଏହାକୁ କେତେକାଂଶରେ ଗୋପୀନାଥ ମହାନ୍ତିଙ୍କର ଲୟବିଲୟ ଉପନ୍ୟାସ ସହିତ ତୁଳନା କରାଯାଇପାରେ । ମନନଶୀଳତା, ଭାବତନ୍ମୟତା ଓ ଆତ୍ମଜିଜ୍ଞାସା ହିଁ ଏ ଉପନ୍ୟାସର ବିକାଶ ତରଙ୍ଗ । ଅବଶ୍ୟ ଗୋପୀବାବୁଙ୍କର ନାୟକ ଅରୁଣ ରାୟ ସମୁଦ୍ରର ଫେନିଳ ଅସୀମତା ଦେଖି ଜୀବନଦର୍ଶନର ଉଚ୍ଚ-ଭୂମିକୁ ଉନ୍ନୀତ ହୋଇଛି, ସମୁଦ୍ରର ରୁଦ୍ରକାନ୍ତ ଶୋଭାପ୍ରାଚୁର୍ଯ୍ୟ ଅରୁଣ ରାୟ ହୃଦୟରେ ଯୁଗପତ୍‌ ବିସ୍ମୟ ଓ ଉଦାରତାର ଭାବ ଉଦ୍ରେଜ କରିଛି; କିନ୍ତୁ ଏଠାରେ ‘‘କାଲେର କପୋଲ ତଲେ ଶୁଭ୍ର ସମୁଜ୍ଜ୍ୱଳ, ଏକ ବିନ୍ଦୁ ନୟନେର ଜଲ, ଏ ତାଜମହଲ ।’’ ଲେଖକତ ହୃଦୟରେ ବିସ୍ମୟ ଓ ପୁଲକ ସହିତ ନୈରାଶ୍ୟ, ଅଶ୍ୱସ୍ତି ଓ ଅବସାଦର ପ୍ରଲେପ ବୋଳି ଦେଇଛି । ଅବଶ୍ୟ ଭାବଗତ ବୈଷମ୍ୟ ନାହିଁ—କିନ୍ତୁ ମାନସିକ ସଙ୍ଘର୍ଷ ବା ଦ୍ୱନ୍ଦ୍ୱ ଅବ୍ୟାହତ ରହିଛି ।

 

ସ୍ୱପ୍ନିଳ ପରିବେଶ (Poetic trance or poetic inflation) ଭିତରେ ଉପନ୍ୟାସଟି ଗୀତିମୁଖର ହୋଇଉଠିଛି । ଏ ପରିବେଶ ମନେପକାଇ ଦିଏ ଆଧୁନିକ ଇଂରାଜୀ ଔପନ୍ୟାସିକ William Samsonଙ୍କର ‘‘Corrida at the Marbale Arch’’ କିମ୍ୱା ‘‘Philip Toynbee’’ ଙ୍କର ‘‘The Waves’’ରେ କାବ୍ୟିକ ଶୈଳୀ । ଲେଖକ ନିଜେ ଜଣେ ଉନ୍ନତ ପ୍ରତିଭାର କବି ହୋଇଥିବାରୁ ସେ ଉପନ୍ୟାସର କଥାଶିଳ୍ପକୁ ଉପେକ୍ଷା କରିଯାଇଛନ୍ତି । ଅବଶ୍ୟ ଏହା ଉପେକ୍ଷିତ ହୋଇଛି ଲେଖକଙ୍କର ଅଲକ୍ଷ୍ୟରେ । ଭାବନାର ସଂହତି ଅନେକ କ୍ଷେତ୍ରରେ ବ୍ୟାହତ ହୋଇଛି । ଯେଉଁ ଦରିଦ୍ରତ ଭିକ୍ଷୁକ ଫକୀର ଶାହଜହାଁର ପ୍ରଣୟ ଲେଖକଙ୍କୁ ଉପନ୍ୟାସର ସାମଗ୍ରୀ ଯୋଗାଇଛି ତା’ର ଅତୁଟ ମମତା ଓ ପ୍ରାଣ ଭରି ପ୍ରତୀକ୍ଷା, ଆପାତ ଲକ୍ଷ୍ୟ ଅସଂଲଗ୍ନ ଆତ୍ମବିଶ୍ଳେଷଣ ଓ ଅନ୍ୟଥା ଆରୋପର ବହୁଳତା ଭିତରେ ସଙ୍କୁଚିତ ହୋଇଯାଇଛି । ତେଣୁ ଉପନ୍ୟାସର ଅନ୍ତିମ ପରିଚ୍ଛେଦ ଆଡ଼କୁ ଫକୀର ଶାହଜହାଁ ନିଷ୍ପ୍ରଭ ହୋଇଆସିବା ସ୍ୱାଭାବିକ-

 

ହୀରାବାଈର ପ୍ରଣୟ ଓ ତା’ର ଆତ୍ମୋତ୍ସର୍ଗ ଗୋଟିଏ ସ୍ୱତଂତ୍ର ଗଳ୍ପର ଆଭ୍ୟୁଦାୟିକ ସଂକେତ କହିଲେ ଅତ୍ୟୁକ୍ତି ହେବନି । ମୂଳ କାହାଣୀ ଉପରେ ତା’ର ପ୍ରତିଚ୍ଛବି ଅପେକ୍ଷାକୃତ ଧୂସର ବୋଲି ମନେହୁଏ । ଯେହେତୁ ସେ କଥନିକାର କ୍ରମବିବର୍ଧନ ଘଟିନି–ଗୋଟିଏ Flash Backରେ ଲେଖକଙ୍କର ପ୍ରଣୟକାତର ମନ ଟିକେ ଆଲୋକିତ ହୋଇଛି ମାତ୍ର । ଯେଉଁପରି ଜୀବନ ଗୋଧୂଳିର ମ୍ଳାନତା ଭାବି ଲେଖକ ଶିହରି ଉଠିଛନ୍ତି । ତେଣୁ ସମ୍ରାଟ ଶାହଜହାଁଙ୍କର ନିର୍ଯାତିତ ନିଥର ଅଶ୍ରୁ ତାଙ୍କ ଚକ୍ଷୁରେ ସମବେଦନାର ଜୁଆର ଆଣିଛି । କିନ୍ତୁ ପାଠକକୁ ସମଦୁଃଖୀ କରି ତୋଳିବାର ଉତ୍ତାପ ହରେଇ ବସିଛି କେତେକାଂଶରେ ଆପେ ଆପେ ।

 

ପ୍ରଥମ ସ୍ୱପ୍ନର ବର୍ଣ୍ଣାଢ଼୍ୟ ଛବିଳ ପରିବେଶ ଦୂରେଇ ଯାଇଛି ଛାୟାଛବିର ନୀରବ ଓ ସୂକ୍ଷ୍ମ ସଂଘର୍ଷରେ । ତାଜ ଉଭେଇ ଯାଇଛି, କିନ୍ତୁ ପଡ଼ିରହିଛି ଯମୁନାର ଛଳ ଛଳ ଯୌବନ ଉପରେ ଅସ୍ପଷ୍ଟ ତାଜର ପ୍ରତିଚ୍ଛବି । ସେ ପ୍ରଣୟିନୀ ହୀରାବାଈର ରକ୍ତାକ୍ତ ଛାଇ ଦେଖିଛି । ହୀରାବାଈ ପତ୍ର ଲେଖି ଆତ୍ମହତ୍ୟା କରିଥିଲା । ‘‘....ଦୁଇଟି କାମନୀୟ ଶ୍ୟାମଳ ପତ୍ରଶଯ୍ୟାର ସଦ୍ୟଫୁଟନ୍ତ ଗୋଲାପ ଭଳି-ଗହମ ନୀଳିମ ଆକାଶରେ ଏକାନ୍ତ ଏକ ଲୋଭନୀୟ ତାରା ଭଳି-ଶ୍ୟାମଳ ଲତାପତ୍ରର କିଞ୍ଚିତ୍‌ ଅନ୍ତରାଳରେ ସୂର୍ଯ୍ୟର କମନୀୟ ଉଜ୍ଜ୍ୱଳତାର ବିଚିତ୍ର ଦ୍ୟୁତିକୁ ଧରିରଖିବାର କ୍ଷମତାସମ୍ପନ୍ନ ଏକ ଶିଶିରବିନ୍ଦୁ ଭଳି ସୁନ୍ଦର ମନେହେଉଥିଲା ହୀରାବାଈ । ମୃତ୍ୟୁର କୋଳରେ ନିଝୁମ ନିଦରେ ଶୋଇଥିବା ହୀରାବାଈର ଅଧରରରେ, ମୁଖମଣ୍ଡଳରେ ଜୀବନର ସବୁ ସୌନ୍ଦର୍ଯ୍ୟ ଥିଲା, ସବୁ ମାଧୁର୍ଯ୍ୟ ଥିଲା ।’’

 

ମୃତ୍ୟୁ ତା’ର ସହସ୍ର ପାଖୁଡ଼ା ମେଲି ଅପରୂପ ବିନ୍ୟାସରେ ସଜେଇ ଦେଇଛି ହୀରାବାଈର ନିସର୍ଗ ଆଲେଖ୍ୟକୁ । ଏଇ ରସସିକ୍ତ ପରିବେଶେ ମନେପକେଇ ଦିଏ ରୋମିଓ ଜୁଲିଏଟ୍‌ର ଅନ୍ତିମ ଦୃଶ୍ୟକୁ, ‘‘Newly dead’’ ସଦ୍ୟମୃତା ନାୟିକା ଜୁଲିଏଟ୍‌ର ମୃତ୍ୟୁଂଜୟୀ ଅକ୍ଷତା, ଅପ୍ରତିହତା ସୁରଭିକୁ ।

 

‘‘O my love ! my wife !’’

Death that hath suck'd the honey of thy breath,

Hath had no power yet upon thy beauty.

Thou art not conquered; beauty' ensign yet

Is crimson in thy lips and in thy cheeks,

And death's pale flag is not advanced there.

............Ah, dear Juliet

why art thou yet so fair ? shall I believe

That unsubstantial death is amorous,

And that the lean abhorred monster keeps

Thee here in dark to be his paramour ?’’

 

ତେଣୁ ମୃତ୍ୟୁର କୋଳରେ ଲୁଚିରହିଥିବା ମୃତ୍ୟୁଂଜୟୀ ଜ୍ୟୋତିକୁ ଲେଖକ ନିଖୁଣଭାବେ ପ୍ରକାଶ କରିଛନ୍ତି । କିଛି ସମୟପାଇଁ ଆଓରଙ୍ଗଜେବର କ୍ରୂରତା, ନିଷ୍ଠୁର ଜିଙ୍ଘାସା ଲୁଚିଯାଇଛି ପ୍ରଣୟର ଉତ୍ତରଳ ଉଚ୍ଛ୍ୱାସରେ—

 

ଉପୋଦ୍‌ଘାତର ଏ ବିରକ୍ତିକର ନିଃସ୍ପୃହତା ଭିତରେ ମୋର ସମୀକ୍ଷା ସମାପ୍ତି କରିବା ପୂର୍ବରୁ ଅନ୍ତିମ ସ୍ୱରତୋଳି ମୁଁ ଲେଖକକୁ ନିଜ ହୃଦୟର ସମବେଦନା ଜ୍ଞାପନକରି କହିବି ଯେ, ‘‘ସବୁ ହୃଦୟ ଯାହା ଚାହେଁ ତାହା ପାଏ ନାହିଁ, ସବୁ ଆଶାର କଳି ଫୁଲହୁଏନି, ଅନେକଟା ମଉଳି ଯାଏ–’’ କିମ୍ୱା ଲେଖକ ହୃଦୟକୁ ଯେଉଁଠି ଗୋଟାଏ ସହର ସହ ତୁଳନା କରି କହିଛନ୍ତି—‘‘ପ୍ରତିଦିନ ନବଚେତନାରେ ଭାସ୍ୱର, ନବୀନ ଉଦ୍ଦୀପନାରେ ଉଜ୍ଜ୍ୱଳ, ନିତ୍ୟ ନବନୀତ ବେଶରେ ଆଶାର ଉଷା ଆସେ, ଆକାଙ୍‌କ୍ଷାର ମଧ୍ୟାହ୍ନ ଆସେ, ସବୁ ଉଜ୍ଜ୍ୱଳତା ଧୀରେ ଧୀରେ ମଉଳି ଯାଏ, ସତେ ଯେଉଁପରି କେହି ଅଯାଚିତ ଭାବରେ ବିଛେଇ ଦେଇଥିବା ମହାଦାନକୁ ପୁଣି ଥରେ ସାଉଁଟି ନିଏ...-।’’

 

ବାସ୍ତବିକ ବିଭକ୍ତ ଜୀବନର ଅନେକ ମୁହୂର୍ତ୍ତ ଶୂନ୍ୟତା ବା ଅନୁଶୋଚନା ଭିତରେ ଆପେ ଆପେ ମଉଳିଯାଏ—ତାକୁ ସୁଧାରିବାକୁ ଆଉ ବେଳ ନ ଥାଏ । ପଛକୁ ଫେରିଚାହିଁଲେ ସବୁ ଅସ୍ପଷ୍ଟ ଦେଖାଯାଏ । ସପନର ଜଉଘର ଗୋଟିକ ପରେ ଗୋଟିଏ ଲୀନ ହୋଇଯାଏ ନିଜକୁ ଦୁର୍ବଳ ଆଉ ନିସ୍ତେଜ କରି । ତେଣୁ ବନ୍ଦୀଶାଳାରେ ରହି ଶାହାଜହାଁ ଯେତେବେଳେ ତାଜ ଆଡ଼କୁ ହାତ ବଢ଼ାନ୍ତି, ସେ ଆଉ ଧରାଛୁଆଁ ଦିଏନି । ‘‘Love's pain is long, and lo, Love's joy is brief (Ezra Pound) । ତାଙ୍କ ସ୍ୱର ହଜିଯାଏ ଅସୀମ କାକଳି ଭିତରେ । ପ୍ରତିଧ୍ୱନି ଆଉ ଫେରେ ନାଇଁ । ହୀରାବାଈର ଅଭିସାର ଫିକା ପଡ଼ିଆସେ ।

 

କଲ୍ୟାଣୀ ଦେହର ଫଗୁ ଝରିପଡ଼େ ଫୁଟିଉଠୁଥିବା ଟିକିଟିକି ଓଠ ଉପରେ । ଫକୀର ଶାହଜହାଁଙ୍କ ବଂଶୀ କ୍ରମଶଃ କ୍ଷୀଣ-ସ୍ୱର ତୋଳି ଶେଷକୁ ଢଳିପଡ଼େ ବେଗମ୍‍ ର କବରଭୂଇଁ ଉପରେ । ବୋଧହୁଏ ଏଇ ଶେଷ ସଂଗୀତ ଗାଇ ଗାଇ–

 

‘‘କଥା ଛିଲ ଏକ ତରୀତେ କେବଲ ତୁମି ଆମି

ଯାବ ଅକାରନେ ଭେସେ କେବଲ ଭେସେ

ତ୍ରିଭୁବନେ ଜାନ୍‌ବେ ନା କେଉ ଆମ୍‌ରା ତୀର୍ଥଗାମୀ

କୋଥାୟ ଯେତେଛି କୋନ୍‌ଦେଶେ ସେ କୋନ୍‌ଦେଶେ’’ ।

 

ଅଧ୍ୟାପକ ରାଜକିଶୋର ମିଶ୍ର

୨୭-୮-୬୮

★★★

 

ଶିଳାର ସପନ

 

କଲ୍ୟାଣୀ କହିଥିଲା—ଆଗ୍ରା ଯାଉଛ । ଶୁଣିଛି, ସେଠାରେ ମାର୍ବଲ ତାଜମହଲର ନମୁନା ମିଳେ । ଆଣିବ ।

 

ଅନେକଦିନ ତଳର କଥା । ଆଦ୍ୟ ଯୌବନର ଦିନଗୁଡ଼ିକର କଥା । ପରିଣୟର ପ୍ରଥମ ଦିନଗୁଡ଼ିକର ଆଗ୍ରହ ଓ ଆବଶ୍ୟକତା; ତୁଲାଇବାର ଆନନ୍ଦ ଅଛି, ନ ତୁଲାଇଲେ ବି ଦୁଃଖ ନାହିଁ । ଆଜି କଲ୍ୟାଣୀ ଦୁଇଟି ସନ୍ତାନର ଜନନୀ ।

 

ପ୍ରତିଦିନ ଆକାଶରେ କ୍ଷୟବୃଦ୍ଧିର କ୍ରମ ଭିତରେ ଉଦୟ-ଅସ୍ତ ହେଉଥିବା ଚନ୍ଦ୍ରମା ପରି, ସବୁଦିନ କୋମଳ, ପ୍ରାଣବନ୍ତ ଓ ନାନାନ୍‌ ନବୀନ ରୂପରେ ଉଦ୍ଭାସିତ ହୋଇଛି ସିନା; ଦିନେ ବି ତ ପୁରାତନ ପରି ମନେକରିନାହିଁ ମୁଁ କଲ୍ୟାଣୀକୁ ।

 

ମାର୍ବଲ ତାଜମହଲର ନମୁନା । ତା’ର ବରାଦ କଥା । ହୁଏ ତ ଆଉ ମନେ ନାଇଁ କଲ୍ୟାଣୀର । ହୋଇପାରେ, ଅବସର ପାଇ ମଧ୍ୟ ଆଉ ଥରେ ସ୍ମରଣ କରାଇଦେବାର ଆବଶ୍ୟକତା ଉପଲବ୍‌ଧି କରି ନାଇଁ ସେ । ଆଉ ବି ହୋଇପାରେ, ଦୁଇଟି ପୁଷ୍ପକୋମଳ, ମୃଗ-ଶାବକ ପରି ଚଞ୍ଚଳ, ହସ-ହସ, ମନୋଲୋଭା ପୁତ୍ରର ଜନନୀ ହୋଇ ଅନେକ ପାର୍ଥିବ ଆବଶ୍ୟକତା, ସାଧାରଣ ରୁଚି ଓ ଆକାଙ୍‌କ୍ଷା କଥା ମନେକରିବା ବା କରାଇଦେବାକୁ ବେଳ ପାଇନାହିଁ ସେ । ସ୍ତନ ଉପରେ କୋମଳ ପରଶ ଦେଇ ଶିଶୁ ଅଧରରୁ ସ୍ତନ ଛଡ଼ାଇ ଦେଲେ ସରଳ ଶିଶୁର ନୟନ ତଳେ ପିତାକୁ ଦେଖେ ସେ ହସର ଝରଣା ଝରିଯାଏ, ଆଉ ତାକୁ ଦେଖି ମୁଗ୍‌ଧ ପିତା ବିଭୋର ହୋଇ ପୁତ୍ରର ଗଣ୍ଡରେ ଯେ ପରିତୃପ୍ତିର ଚୁମ୍ୱନ ଲେଖି ଆତ୍ମତୃପ୍ତ ହୋଇଥାଏ ବୋଧହୁଏ ସେଇପରି ନାରୀ, ନିର୍ବାସିତ ହେଲେ ବି ସୀତା ପରି ଲବକୁଶକୁ କୋଳରେ ପାଇ ପତି-ବିରହର ବ୍ୟଥା ବି ସହିଯାଏ, ଆପଣାକୁ ହଜାଇ ଦେଇ ।

 

ସେ ଯାହାହେଉ, ମାର୍ବଲ ତାଜମହଲର ନମୁନା କଥା କଲ୍ୟାଣୀ ପୂରାପୂରି ଭୁଲିଯାଇଛି, ପାସୋରି ଦେଇଛି...

 

ଏଇ ମନେପଡ଼ୁଛି କଲ୍ୟାଣୀ କଥା ।

 

ମୁଁ ପୁଣି ଥରେ ଆଗ୍ରା ଆସୁଛି । ଏଥର ଡାକ୍ତର ଭାବରେ । କିଛି ବର୍ଷ କାର୍ଯ୍ୟକ୍ଷେତ୍ରର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ମୋତେ ଏଠାରେ ରହିବାକୁ ପଡ଼ିବ ।

 

ଆସିଲାବେଳେ କଲ୍ୟାଣୀ ବାହାର ବାରଣ୍ଡାରେ ଠିଆ ହୋଇଥିଲା, ସାନପୁଅକୁ କାଖେଇ । ସିଏ ମାତାର ଇଙ୍ଗିତରେ ହାତ ହଲାଇ ହସିହସି ବିଦାୟ ଦେଲା । ମାତାର ଅଞ୍ଚଳ ଧରି ବଡ଼ପୁଅ ବିନା ନିର୍ଦ୍ଦେଶନାରେ ଡାହାଣ ହାତ ହଲାଇ ‘ଟାଟା’ କଲା... ।

 

ଟ୍ରେନର ଗତି ଧିମେଇ ଆସିଲା ଧୀରେ ଧୀରେ । ବାହାରେ ଚନ୍ଦ୍ରର ଶେଷକିରଣ ବିଛେଇ ହୋଇ ପଡ଼ିଥିଲେ ବି ପ୍ରଭାତ ସୂଚିତ କରିଥିବା ପୂର୍ବାକାଶ ପାଟଳ ଦିଶୁଥିଲା...। ସହଯାତ୍ରୀ; ଯେଉଁମାନେ ଆଗ୍ରାରେ ଉତୁରି ଯିବେ, ଆପଣାର ପେଡ଼ିପୁଟୁଳା ସଜାଡ଼ିବାକୁ ଲାଗିଲେ । ହଠାତ୍‌ କେହି ଜଣେ କୋଟିନିଧି ପାଇଲା ପରି ଚଞ୍ଚଳ କଣ୍ଠରେ କହିଲେ.....‘‘ହେଇ, ହେଇ ତାଜମହଲ !’’ ସବୁରି ଆଖି ସେଇ ଆଡ଼କୁ ଉଠିଗଲା । ଅନେକେ ଝରକା ପାଖକୁ ଉଠି ଆସିଲେ ବି, ଦେଖିଲେ । ଝରକା ଦେଇ ମୁଁ ବି ଦେଖିଲି । ଅସାଧାରଣ ମନେହେଲା ନାହିଁ । ଏକ ଶୁଭ୍ରବସ୍ତ୍ରଭୂଷିତା ବିରହିଣୀଟି ପରି, ସୁଦୂର ଆକାଶର ଈଷତ୍‌ନୀଳାଭ ପଟ୍ଟଭୂମି ଉପରେ ଅଙ୍କିତ ଏକ ରଜତଶୁଭ୍ର ଗୋଲାପ ଭଳି ସୁନ୍ଦର, କମନୀୟ, ଲୋଭନୀୟ ମନେହେଉଥିଲା...

 

‘‘କାଲେର କପୋଳ ତଲେ ଶୁଭ୍ର ସମୁଜ୍ଜ୍ୱଲ

ସୁଦୁ ଥାକ୍‌ ଏକ ବିନ୍ଦୁ ନୟନେର ଜଲ୍‌

ଏ ତାଜମହଲ...’’

 

କଣ୍ଠତୋଳି ଗୁରୁଦେବଙ୍କ ଏଇ କେତୋଟି ପ୍ରାଣବନ୍ତ ପଂକ୍ତି ଗାଇଗଲି... । ଅନେକେ ତାଜରୁ ଆଖି ଫେରାଇ ମୋତେ ଦେଖିଲେ... ଗାଡ଼ି ପ୍ଳାଟଫର୍ମ ଭିତରେ ଧୀରେ ଧୀରେ ସ୍ଥିର ହୁଅନ୍ତେ ତାଜ ଆଉ ଦୃଷ୍ଟିଗୋଚର ହେଲା ନାହିଁ ।

 

ଅଦୂରେ ଆଲୋକ-ମାଳିନୀ ଆଗ୍ରା । ସତେ ଯେପରି କଅଁଳ କଣ୍ଠରେ ହସି ହସି ସ୍ୱାଗତ ଜଣାଇ କହିଲା–‘‘ମାଲେକୁମ୍‌ ସଲାମ୍‌ !’’

 

ପାଷାଣପୁଷ୍ପ ତାଜମହଲ ବହୁ ରୂପରେ ତା’ପରେ ମୋର ଆଖି ଆଗରେ ପ୍ରତିଭାତ ହୋଇଛି । ବହୁ ପରିବେଶ ଭିତରେ ବିଭିନ୍ନ ସମୟରେ ତା’ର ଅପରୂପ ରୂପର ମଧୁର ମଧୁର ଶୋଭା ଏ ଚିତ୍ତରେ ଆଲୋଡ଼ନ ସୃଷ୍ଟିକରିଛି, ପ୍ରାଣତଳେ ବିମୁଗ୍‌ଧ ପୁଲକର କୋମଳ ବିଧୂନନ ଜଗାଇଛି, ନୟନ ତଳେ ପ୍ରଣୟର ସୁକୁମାରିତା, ମନମାନସରେ ଶୋଭାଦର୍ଶନର ଆତ୍ମସନ୍ତୋଷ ଜଗାଇଛି ।

 

ତା’ ପରଦିନ ଦ୍ୱିତୀୟବାର ତାଜ ଦେଖିବାକୁ ଗଲି । ସନ୍ଧ୍ୟାରେ କୋମଳ ନୀରବତାର ଉଲ୍ଲସିତ ନିକ୍ୱଣ ମୋର ହୃଦୟ ତଳେ ଯେ ଶିହରଣ ଜଗାଇଗଲା, ଯେ ପ୍ରାଣବନ୍ତ ବିଧୂନନ ଜଗାଇ ମନ ତଳେ ପୁଲକ ଖେଳାଇଗଲା, ତାହା ଏବେ ବି ମନେଅଛି ।

 

ପୂର୍ଣ୍ଣିମା...ସଂଧ୍ୟାପରର ସମୟ । ଚନ୍ଦ୍ର ଆପଣାର ଗାମ୍ଭୀର୍ଯ୍ୟ ଓ ଐଶ୍ୱର୍ଯ୍ୟ ନେଇ ସେଯାଏଁ ପ୍ରକାଶିତ ହୋଇ ନ ଥିଲା, କେବଳ ଏକ ସୁମଧୁର ଦୀପ୍ତି ପୂର୍ବକ୍ଷିତିଜ ତଳେ ପ୍ରକାଶ ପାଇ ଭାଟ ପରି ଆଗମନର ଘୋଷଣା କରୁଥିଲା ।

 

ମୁଁ ପାଦ ଦେଉଁ ନ ଦେଉଁଣୁ ମନେକଲି ଯେଉଁପରି ଏକ ଅସ୍ପଷ୍ଟ ସଂଗୀତର ହୃଦୟ-ଛୁଆଁ ଆଳାପ ମୋତେ ଅଭିବାଦନ ଜଣାଉଛି । ପାର୍ଶ୍ୱସ୍ଥିତ ଉନ୍ନତ ଦେବଦାରୁର ସବୁ ଶାଖା ଦେହରେ ପ୍ରତିଧ୍ୱନିତ ହୋଇ ସତେ ଯେପରି କେଉଁ ସୁଦୂର ଅତୀତର ବିସ୍ମୃତ, ଗଭୀରଭାବେ ଅସ୍ପଷ୍ଟ ପ୍ରଦେଶରୁ ଭାସିଆସୁଥିଲା ସେ କରୁଣ ମୂର୍ଚ୍ଛନା...ପ୍ରାଣ ଛୁଇଁ ହୃଦୟ ଥରାଇ ତରଙ୍ଗ ଜଗାଇଗଲା ।

 

କଳକଳ ଛଳଛଳ ନୀଳଯମୁନାର ଜଳରାଶି...ହୃଦୟ ଭରି ନ ଦେଖିବା ଆଗରୁ କେଜାଣି କାହିଁକି ଆଖି ମୋର ଫେରିଗଲା...ଯମୁନାର ଅପର ପାର୍ଶ୍ୱରେ ଆଗ୍ରାର କିଲ୍ଲା...କେତେ ଇତିହାସ, କେତେ ପ୍ରଣୟ ଦେଖିନାହିଁ ହୁଏ ତ ! କେତେ ବିପ୍ଳବ, କେତେ ଉତ୍ସବ ଦେଖିନାହିଁ ! ଅନୁମାନ କଲି, ଅସ୍ପଷ୍ଟ ଦିଶୁଥିବା ଏକ ଗମ୍ୱୁଜ...ପାର୍ଶ୍ୱସ୍ଥିତ ବାତାୟନ ହୁଏତ ସେଇଠି, ସେଇଠାରେ ବସିରହି ବିରାଟ ପରାକ୍ରମଶାଳୀ-ପ୍ରଣୟୀ ଶାହଜହାଁ ମୃତ୍ୟୁର ମୁହୂର୍ତ୍ତ ଗଣୁ ଗଣୁ, ପୁତ୍ରର ବ୍ୟବହାରରେ ବ୍ୟଥିତ, ବିୟୋଗ ପୀଡ଼ାରେ ଆହତ ହୋଇଥିବା ଦୀପ୍ତିମନ୍ତ ନୟନତଳେ ସ୍ୱପ୍ନ ଜଗାଇ ଅଶ୍ରୁଳ କଣ୍ଠରେ ପଚାରିଥିଲା—

 

‘‘ଜାହନ୍ନାରା ! କହି କି ଗୋ ପାର୍‌,....’’

 

ଧୀରେ ଧୀରେ; ଅପଲକ ନୟନରେ ଦେଖୁ ଦେଖୁ ମନେକଲି, ସେ ଯେପରି ସଂଗୀତ ନୁହେଁ...ଏକ କ୍ରନ୍ଦନ; କୌଣସି ଏକ ବେଦନାର୍ଦ୍ର ପ୍ରାଣର ରୁଦ୍ଧକ୍ରନ୍ଦନ ପରି ମନେହେଉଥିଲା ।

 

କଲ୍ୟାଣୀ ପତ୍ର ଲେଖିଛି...

 

‘‘...ତମ ଗଲା ପରେ ଭଲ ଲାଗୁନି । ବୁଲୁ ଅନେକ ଖୋଜୁଛି..ବାପା ବାପା ଲାଗି ରହିଛି ମୁହଁରେ । ବୁବୁ ବି ସେହିପରି ପ୍ରାୟ ସନ୍ଧ୍ୟା ହେଲେ ତମ କଥା ପଚାରୁଛି ।...ସବୁ ଭଲ । କ୍ୱାର୍ଟର କଥା କଣ ହେଲା ? ଦେହପା’ର ଯତ୍ନ ନେବ । ଚିଠି ଦେବ ।

 

ତମର

‘‘କଲ୍ୟାଣୀ’’

 

....ତା’ପରେ ଅନେକଦିନ ଧରି ତାଜ ଦେଖିବାର ଅବସର ପାଇ ନଥିଲି । ଅମାବାସ୍ୟାର ପାଖାପାଖି କୌଣସି ଏକ ତିଥି । ପାରିପାର୍ଶ୍ୱିକତାକୁ କୃତ୍ରିମ ଆଲୋକ ଆଲୋକିତ କରୁଥିଲେ ହେଁ ଦୂରରୁ ତାଜ ଘନତମସା ଭିତରେ ଧୀର ପଦକ୍ଷେପରେ ଈଷତ୍‌ ଗତିଶିଳା, ଶୁଭ୍ରବସ୍ତ୍ରାବୃତା ଅଭିସାରିକା ପରି ମନେହେଉଥିଲା । ସେଇ ସୂଚୀଭେଦ୍ୟ ଅନ୍ଧକାର ତଳେ ଦୃଷ୍ଟିର ଆଢ଼ୁଆଳରେ ରହି ସେଇ ଚମତ୍କାର ସ୍ମୃତି-ସ୍ତମ୍ଭଟି ଏକ ଗଭୀର ବିଷାଦର ବିରାଟ ସ୍ତୂପ ପରି ପ୍ରତୀତ ହୋଇ, ତା’ର ପାରିପାର୍ଶ୍ୱିକ ସ୍ଥିତିର ଘନତା ଓ କୃଷ୍ଣତାକୁ ଲଜ୍ଜିତ କରୁଥିଲା ଯେଉଁପରି ।

 

ମୁଁ ଧୀରେ ଧୀରେ ଆଗକୁ ବଢ଼ିଗଲି ।

 

ଯେତେ ପାଖକୁ ଗଲି, ମିନାରଗୁଡ଼ିକ ସେତିକ ସ୍ପଷ୍ଟ ଓ ସଂଖ୍ୟାଯୁକ୍ତ ହୋଇଉଠିଲା । ଯେପରି କି କୃଷ୍ଣନିର୍ମୋକ ତଳେ ବରଫ ଶୁଭ୍ର ପ୍ରଧାନ କେନ୍ଦ୍ରୀୟ ସୌଧଟି ବି ଅଧିକ ସ୍ପଷ୍ଟ ହୋଇଉଠିଲା । ସେଦିନ ଆଗ୍ରାକିଲ୍ଲା ଦୃଷ୍ଟିର ଅନ୍ତରାଳରେ ରହିଯାଇଥିଲା ।

 

ତା’ ପରେ ନିତାନ୍ତ ଆକସ୍ମିକ ରୂପେ ଓ ସତେ ଯେପରି ଏକାଥରକେ କୁହୁକାଠିର ସାମାନ୍ୟ ସ୍ପର୍ଶରେ ଏକ ସ୍ୱପ୍ନିଳ ଆଲୋକବନ୍ୟାର ପ୍ଳାବନ ଖେଳିଗଲା ଓ ମୋ ନିକଟରେ ତାହା ଅସାମାନ୍ୟ ମନୋମୁଗ୍‌ଧକର ସୌନ୍ଦର୍ଯ୍ୟ ନେଇ ଉଭାହୋଇ ମୋର ସମଗ୍ର ଚେତନାରେ ବିଦ୍ୟୁତ୍‌ପ୍ଳାବିତ କରି ତାହା ଏକ ସମଗ୍ର ବାସ୍ତବତାର ସ୍ୱରୂପ ପାଇଲା ଯେଉଁପିର ।

 

ଶୁଣିଲି–

 

‘‘ଯେଉଁ ମାଳା ହେ ସମ୍ରାଟ ! ଗଳେ ମୋର ଦେଲ ନିଜ ଛାଏଁ,

ଫେରିଯାଏ ତମ ଗଳେ, ପକ୍ଷୀ ଯଥା ଆପଣା କୁଲାୟେ ।

ପ୍ରେମର ଛଳନା କରି କଲ ସିନା ନିଜର ପ୍ରଚାର,

ପ୍ରଣୟର ଛଦ୍ମବେଶେ ବିଜ୍ଞାପନ ଦେଲ ଯେ ରାଜାର ।’’

 

ମୁଁ ଚମକି ଉଠିଲି ।

 

ସମୁଜ୍ଜ୍ୱଳ ଜ୍ୟୋତ୍ସ୍ନାରାଣୀର ରୂପେଲି ଗୌରବ ଆକାଶରେ ହସି ଉଠୁଥିଲା । ମୁଁ ଭାବିବାକୁ ଲାଗିଲି, ସତେ ଯେପରି ସେଇ ବିରାଟ ବାଦଶାହର ଦୃପ୍ତ ସାମ୍ରାଜ୍ଞୀ ମମତାଜର ସ୍ୱପ୍ନପ୍ରତିମା ମୋତେ ସହୃଦୟ ଆତିଥ୍ୟରେ ପ୍ରସାରିତ ହସ୍ତରେ ଅଭିନନ୍ଦିତ କରୁଛି...ମୁଁ ଅଭିଭୂତ ହୋଇ ଉଠିଲି ।

 

ମୁଗ୍‌ଧ ନୀରବତା ନେଇ ମୁଁ ଚାହିଁରହିଲି; ମନ୍ତ୍ରମୋହିତ ଓ ସମାହିତ ହୋଇ ଉଠିଥିଲି ଯେଉଁପରି ।

 

ଏହାପରେ ଏହି ଅପରୂପ ରୂପଲାବଣ୍ୟବତୀ ତାଜକୁ ବହୁ ବିଭିନ୍ନ ସମୟରେ ବିଭିନ୍ନ ପରିବେଶରେ ଦେଖିଛି । ଉଷା ଓ ଗୋଧୂଳିର ପାଟଳ କିରଣରେ ହସହସ, ଦିବସର ଦୀପ୍ତିରେ ଜୀବନ୍ତ ଓ ଯୌବନପ୍ରାପ୍ତ, ରାତ୍ରିର ନିର୍ଜନତାରେ ବ୍ୟଥିତ...ପ୍ରାକୃତିକ, ଅପ୍ରାକୃତିକ ଅନେକ ସୁଯୋଗ ଓ ଅବସରରେ ଦେଖିଛି । ମୁଁ ତାକୁ ଗ୍ରୀଷ୍ମ, ବର୍ଷା, ଶରତ୍‌, ହେମନ୍ତ ଓ ବସନ୍ତରେ ଦେଖିଛି । କେତେବେଳେ ଚକ୍‌ ଚକ୍‌ ସୂର୍ଯ୍ୟ-କିରଣରେ ଉଦ୍ଭାସିତ ଓ କେତେବେଳେ ଅନ୍ଧକାରର ଅବଗୁଣ୍ଠନ ତଳେ ବିମର୍ଷ । ମୁଁ ତାକୁ ଏତେଥର ଦେଖିଛି ଯେ, ମୋ ଭିତରୁ ତାଜ ଦେଖିବାର ରୋମାଞ୍ଚ ଉଭେଇ ଯାଇଛି...ତାର ସୌନ୍ଦର୍ଯ୍ୟର ମାଦକତା ମୋର ଆଖି ଆଗରୁ ଲିଭିଯାଇଛି...

 

କଲ୍ୟାଣୀର ଚିଠି ପାଇବା ପରଠାରୁ ମୋତେ ଆଉ ଭଲ ଲାଗିଲା ନାହିଁ ଆଗ୍ରା । ଡାକ୍ତରଖାନାରେ ବ୍ୟୟିତ ହେଉଥିବା ସମୟରେ ଆପଣାକୁ ଭୁଲିଯିବାରୁ ସୁଯୋଗ ତ ପାଉଥିଲି ନିଶ୍ଚୟ ! ଅସଂଖ୍ୟ ପୀଡ଼ିତଙ୍କର କରୁଣ ନିବେଦନ ଏ ପ୍ରାଣରେ ଯଥେଷ୍ଟ ଆଘାତ ଦେଉଥିଲା, କାରଣ ସେ ନିବେଦନ ହୁଏ ତ ଈଶ୍ୱର ପାଖରେ ମଣିଷ କରେ—ତେବେ ବି ମଣିଷର ପାର୍ଥିବ ଦୁଃଖକୁ ଲାଘବ କରିବାରେ ସାମାନ୍ୟ ଟିକିଏ ବି ହେଉ ନା କାହିଁକି, ଯେ ଆନନ୍ଦ ମିଳୁଥିଲା, ତାହା କମ୍‌ ନୁହେଁ ।

 

ଆଜି କ୍ୱାର୍ଟର ମିଳିଛି । ସକାଳରୁ ଯାଇ ଦେଖି ଆସି ଆବଶ୍ୟକୀୟ ସଫାସୁତୁରା କରାଇ ନେବାର ବ୍ୟବସ୍ଥା କରିଦେଇ ଆସିଛି । ଏଇମାତ୍ର ତାର କରି ଜଣାଇଦେଇଛି କଲ୍ୟାଣୀକୁ ।

 

ସେଦିନ ମୋର ଦୈନନ୍ଦିନ କାର୍ଯ୍ୟକ୍ରମ ଶେଷ କରି ଯେତେବେଳେ ବାହାର ରୋଗୀମାନଙ୍କୁ ଦେଖିବାକୁ ବାରଣ୍ଡାରୁ ଓହ୍ଲାଇ ଆସୁଛି, ଦେଖିଲି, ଜଣେ ମୁସଲମାନ ବୃଦ୍ଧ ପିଠି ଉପରେ ଏକ ବିରାଟକାୟ ବେତନିର୍ମିତ ପେଟି ବୋହି, ସାମନା ଦରଜାଦେଇ ଆସୁଛି । ଏ କାର୍ଯ୍ୟ ପାଇଁ ତୁଳନାତ୍ମକ ଭାବରେ ଅସମର୍ଥ ବୃଦ୍ଧର ନୟନ ତଳେ ମୁଁ କେଜାଣି କାହିଁକି ଏକ ବିଚିତ୍ର ଆତ୍ମବିଶ୍ୱାସର ଝଲକ ଦେଖିଲି; ଏକ ବିଚିତ୍ର ଆନନ୍ଦ, ତୃପ୍ତି ଓ ନିଷ୍ଠାର ମିଶ୍ରିତ ଭାବ ମୋତେ ମୁଗ୍‌ଧ କଲା । ବାସ୍ତବିକ୍‌ ସେ ସେଇ ବୋଝଟିର ଓଜନ ତଳେ ପୂରାପୂରି ନଇଁ ଯାଇଥିଲା । ମୁଁ ତାକୁ ଏକ ଫଳବିକାଳୀ ବୋଲି ଭାବିବା ପରେ ବି କେଜାଣି କାହିଁକି ଅଟକି ଗଲି...ବୃଦ୍ଧ ମୋର ପାଖକୁ ଆସି ହାତରେ ଥିବା ଷ୍ଟେଥୋସ୍‌ସସ୍କୋପ୍‌ ଦେଖି କୃତଜ୍ଞତାରେ ନଇଁଗଲା ପରି ମନେହେଲା । ବୋଝ ନ ଉତାରି ହାତ ଉଠାଇ ସଲାମ୍‌କଲା ।

 

ମୁଁ ଆଶ୍ଚର୍ଯ୍ୟ ହେଲି । ....ସେଥିରେ ଫଳ ତ ନ ଥିଲା । ବୁର୍ଖା ଭିତରେ ଥିଲା ଏକ ସ୍ତ୍ରୀ...ସେ ଲୋକଟି ତାର ଢିଲା, ଭାସମାନ ପୋଷାକ ଓ ବରଫଶୁଭ୍ର ଶ୍ମଶ୍ରୁ ପାଇଁ ଏକ ତୁର୍କୀୟ ଫକୀର ପରି ଦିଶୁଥିଲା ।

 

ସେ ମୋ ପାଖକୁ ଆସି ନିତାନ୍ତ ନତ ହୋଇ ପୁନରାୟ ସଲାମ୍‌କଲା ।

 

ତା’ପରେ ସେ ତା’ ନିର୍ଭୁଲ ଉର୍ଦ୍ଦୁରେ ଅତି ବିନୀତ ଭାବରେ ମୋତେ ଜଣାଇଦେଲା ଯେ ଯେହେତୁ ସେ ଦରିଦ୍ର, ମୋତେ ସେ ତା’ର ବେଗମ ପାଇଁ ଡାକି ପାରିଲା ନାହିଁ । ତେଣୁ ତାକୁ ଏପରି ଭାବରେ ବହନ କରି ନେଇଆସିଛି ।

 

ବାସ୍ତବିକ କେତେ ହୃଦୟ ଦେଇ ସେ ତା’ର ବେଗମ୍‍ କୁ ଭଲପାଏ ନାହିଁ ? ଏଇ ଅପରାଙ୍‌ମୁଖତା ଓ ଅତୁଳନୀୟ ଆସକ୍ତିର ସୂଚନା ମୋତେ ଆର୍ଦ୍ର କଲା ଓ ମୁଁ ତାକୁ ଡାକ୍ତଖାନାକୁ ନେବାକୁ ନିର୍ଦ୍ଦେଶ ଦେଲି ।

 

କଲ୍ୟାଣୀ କଥା ହଠାତ୍‌ ମନେପଡ଼ିଲା । କେତେ ଲୋଭନୀୟ ସତରେ ନୁହେଁ ! ଅଦ୍ଭୁତ ଆକର୍ଷଣ-ଅପରୂପ ରୂପରେ ଲୋଭନୀୟ କରିବାର ବିଶିଷ୍ଟତାର ପରିପୂର୍ଣ୍ଣ ତା’ର ଅଙ୍ଗଶ୍ରୀ....ସେ ହୁଏ ତ ଏଇ ଆକର୍ଷଣର କେନ୍ଦ୍ର ନୁହେଁ । ମଣିଷ କେବଳ ମାତ୍ର ଦେହକୁ ଭଲପାଏ ନାହିଁ । ତାହା ହୋଇଥିଲେ, ମରଣୋପରାଂତ ନିର୍ଜୀବ, ନିଶ୍ଚଳ, ନିର୍ବେଦ ଶରୀରର ମୋହ ହଠାତ୍‌ ମଣିଷ ମନରୁ ତୁଟିଯାଆନ୍ତା କେଉଁପରି ?

 

ମୋର ଏ ବିଶ୍ୱାସ ଦୃଢ଼ ହେଲା, ମୁଁ ଯେତେବେଳେ ପରୀକ୍ଷାଗାରରେ ରୋଗିଣୀକୁ ଦେଖିଲି ।

 

ପ୍ରଥମରେ ଏକ ଉଗ୍ର ସୁଗନ୍ଧ ମୋତେ ବିଚିତ୍ର ବୋଧ ହେଲା, ଯାହା ପରମୁହୂର୍ତ୍ତରେ ବିଚଳିତ କରିପକାଇଲା । ବହୁ ଆପତ୍ତି ପରେ ବେଗମ୍‍ ବୁର୍ଖା ଟେକି ପ୍ରକାଶବତୀ ହେଲା...ମୁଁ ଏକ ବିଚିତ୍ର ଭୟର ଶିହରଣରେ ଥରିଗଲି; ବିଚଳିତ ହେଲି ସାମାନ୍ୟ, ଯେତେବେଳେ ସେ ଭୟଙ୍କର ସତ୍ୟ ପ୍ରକାଶିତ ହେଲା ଓ ସେଇ ଉଲଗ୍ନ ଭୀଷଣତା ଦର୍ଶନ କଲି...ଏକ ଭୀଷଣ ଭୟାନକ ରୋଗର ଅସହାୟା ଶିକାର ।

 

ସେ କେନ୍‌ସର୍‌ ରୋଗରେ ପୀଡ଼ିତା ଥିଲା...

 

ତା’ର ମୁହଁର ପ୍ରାୟ ଅର୍ଦ୍ଧେକ ସଢ଼ିଯାଇ ସାରିଥିଲା । ତା’ର ଡାହାଣ ଗାଲ ସମ୍ପୂର୍ଣ୍ଣ ରୂପେ ନ ଥାଇ ସେପାଖର ସମସ୍ତ ଦାନ୍ତ ପୂରାପୂରି ଦିଶୁଥିଲା ।

 

ମୁଁ ବୃଦ୍ଧର ମୁହଁକୁ ଦେଖିଲି । ପ୍ରଶ୍ନହୀନ, ନିରୀହ ନମ୍ର ଚାହାଣୀ...ଦୁଇଟି ଉଜ୍ଜ୍ୱଳ ଅଥଚ ଅସ୍ଥିର ନେତ୍ରର ଅସହାୟବୋଧ ମୋତେ କୁହାଇ ଦେଇପାରିଲା ନାହିଁ ଯେ, ମୋ ଦ୍ୱାରା ଚିକିତ୍ସା ହୋଇପାରିବ ନାହିଁ; କିମ୍ୱା ଏହାର ଚିକିତ୍ସା କରି ମଧ୍ୟ କୌଣସି ଫଳ ହେବ ନାହିଁ । ମୁଁ ନିର୍ବାକ ହୋଇ ରହିଗଲି ।

 

ଯଦିବା ତା’ର ଚିକିତ୍ସା କରାଯାଏ ତା ହେଲେ ସେ ତା’ର ସ୍ୱାମୀର ପିଠିରେ ବୋଝେଇ ହୋଇ ପ୍ରତ୍ୟହ ଏପରି ଭାବରେ ଡାକ୍ତରଖାନାକୁ ଅଣାହେବା ସମ୍ଭବପର ନୁହେଁ । ଡାକ୍ତରଖାନାରେ ବି ସେପରି କୌଣସି ବେଡ଼୍‌ଖାଲି ନ ଥିଲା, ଯାହା ଫଳରେ ମୁଁ ତାକୁ ଇନ୍‌ଡୋର୍‌ ରୋଗୀ ଭାବରେ ରଖିପାରିଲି ନାହିଁ । ତେଣୁ ମୁଁ ଅନ୍ୟ କୌଣସି ଉପାୟ ନ ପାଇ ତାକୁ ଓ୍ୱାର୍ଡର ସାମନାରେ ଥିବା ଗୋଟାଏ ପରଛିରେ ରହିଯିବାକୁ ନିର୍ଦ୍ଦେଶ ଦେଲି ।

 

ହଁ, ସେଦିନ କଲ୍ୟାଣୀ କଥା ବିଶେଷ ଭାବରେ ମନେକରୁଥିଲି । ବୋଧହୁଏ ଏଇଥିପାଇଁ ଯେ ଆଜି ତା’ ପାଖକୁ ଟେଲିଗ୍ରାମ୍‌ କରିଦେଇଛି । ବୋଧହୁଏ ପ୍ରାୟ ଦୁଇ ମାସର ଏଇ ବ୍ୟବଧାନ ଯାହା ମୋତେ ଦୂରରେ ରଖିଛି, ସେଇଥିପାଇଁ କଲ୍ୟାଣୀ ସ୍ମୃତିର ଏକମାତ୍ର ସାମଗ୍ରୀ ହୋଇଛି । ଏହା ବି ହୁଏ ତ ଯେ ଆଜି ହୋଟେଲ ଛାଡ଼ି କ୍ୱାର୍ଟରକୁ ଆସିଛି...ଆବଶ୍ୟକୀୟ ସବୁ ଆୟୋଜନ ନ ସରିବା ପରେ ଏ ଘର ହୁଏ ତ ଅନ୍ୟମାନଙ୍କର ଅନୁପସ୍ଥିତିରେ ନିଛାଟିଆ ଲାଗୁଛି, ଯାହା ଫଳରେ କଲ୍ୟାଣୀ କଥା, ପିଲାମାନଙ୍କ କଥା ବିଶେଷ ଭାବରେ ମନେପଡୁଛି । ବୋଧହୁଏ, ଏହା ଯେ କଲ୍ୟାଣୀ ମୋରି କଥା ମନେକରୁଥିବ, ପିଲାମାନେ ମୋରି କଥା ସ୍ମରଣ କରାଇ ଦେଉଥିବେ; ସେ ହୁଏ ତ ଆନନ୍ଦରେ ଭାବୁଥିବ ଆସିବା କଥା । ଟେଲିଗ୍ରାମ୍‌ ପାଇଯିବଣି ।

 

କଲ୍ୟାଣୀ ସଂଗରେ ବହୁ ସ୍ୱପ୍ନ ଦେଖିଛି । ସ୍ୱପ୍ନ ଦେଖିବା ଯେତେ ସହଜ, ତାକୁ ସାକାର କରିବା ସେତେ କଷ୍ଟକର; ତାହା ମଧ୍ୟ ଅନୁଭବ କରିଛି । ସେ ସ୍ୱପ୍ନ ନିରର୍ଥକ ହୋଇଛି ବୋଲି ତେଣୁ ବୋଧହୁଏ ମନେ କରି ନାହିଁ, ଯେହେତୁ ସେଇ କଳ୍ପନାର ସୁନା-ସ୍ୱପ୍ନ ଆନନ୍ଦ ଦେଇ ମଧ୍ୟ ଶେଷରେ ଦୁଃଖଦ ହୋଇନାହିଁ । ସହଜ ସରଳ ଭାବରେ ଅନାଗତକୁ ଆନନ୍ଦରେ ଗ୍ରହଣ କରି ନେଇ ପାରିବାର କଲ୍ୟାଣୀର କ୍ଷମତା ବା ସ୍ୱଭାବ-ସୁଲଭ ସହଜ ସହଜାତ ଗୁଣ ବୋଲି ବୋଧହୁଏ ଏ ନିରର୍ଥକତା ବି ସାର୍ଥକ ମନେ ହୋଇଛି ।

 

କଲ୍ୟାଣୀ ଅତ୍ୟନ୍ତ ସ୍ନେହଶୀଳା । ହୁଏ ତ ଏକ ପୁରୁଷ ନାରୀ ପାଖରେ ଯାହା କିଛିର ଅପେକ୍ଷା ରଖିଥାଏ, ସେଇ ସବୁ କିଛି ଅଛି କଲ୍ୟାଣୀ ପାଖରେ । ଅତି ସହଜ ଭାବରେ ଆକର୍ଷିତ କରିବାର କ୍ଷମତା, ଅଦ୍ଭୁତ ନିବେଦନର ଭାବ, ସହଜ ଭାବରେ ଆପଣାର କରି ନେବାର ଲୋଭନୀୟ ନମ୍ରତା ଅଛି କଲ୍ୟାଣୀ ପାଖରେ ।

 

କଲ୍ୟାଣୀ ବୋଧହୁଏ, ମୋ ପାଖରୁ ଯେତକ ପାଇବା କଥା ସେତକ ପାଇ ନାହିଁ । ତେବେ ଏହା ମଧ୍ୟ ମୋର ମନେହେଉ ନାହିଁ ଯେ ମୁଁ ମୋ ପାଖରେ କଲ୍ୟାଣୀକୁ ଦେବା ଭଳି କିଛି ରଖିନେଇଛି ।

 

କଲ୍ୟାଣୀ ଅତ୍ୟନ୍ତ ସ୍ନେହଶୀଳା । ହୁଏ ତ ଏକ ପୁରୁଷ ନାରୀ ପାଖରେ ଯାହା କିଛିର ଅପେକ୍ଷା ରଖିଥାଏ, ସେଇ ସବୁ କିଛି ଅଛି କଲ୍ୟାଣୀ ପାଖରେ । ଅତି ସହଜ ଭାବରେ ଆକର୍ଷିତ କରିବାର କ୍ଷମତା, ଅଦ୍ଭୁତ ନିବେଦନର ଭାବ, ସହଜ ଭାବରେ ଆପଣାର କରି ନେବାର ଲୋଭନୀୟ ନମ୍ରତା ଅଛି କଲ୍ୟାଣୀ ପାଖରେ ।

 

କଲ୍ୟାଣୀ ବୋଧହୁଏ, ମୋ ପାଖରୁ ଯେତକ ପାଇବା କଥା ସେତକ ପାଇ ନାହିଁ । ତେବେ ଏହା ମଧ୍ୟ ମୋର ମନେହେଉ ନାହିଁ ଯେ ମୁଁ ମୋ’ପାଖରେ କଲ୍ୟାଣୀକୁ ଦେବା ଭଳି କିଛି ରଖିନେଇଛି ।

 

ବିବାହ ପୂର୍ବର ସେଇ ଦ୍ୱିଧାହୀନ, ଚିନ୍ତାହୀନ ନିର୍ଦ୍ୱନ୍ଦ୍ୱ ଜୀବନ, ବିଦାୟ ନେଉଥିବା ଶୈଶବ ଓ ହସିହସି, ନାଚିନାଚି ଆସୁଥିବା ଯୌବନର ଲୁଚକାଳି ଖେଳ ଖେଳୁଥିବା ଜୀବନ; ଆନନ୍ଦମୟ, ଆମୋଦମୟ ପ୍ରୀତିପ୍ରଦ ଜୀବନ, ତାକୁ ହୁଏ ତ ହସାଇଥିବ, ରସାଇଥିବ, ମଜାଇ ହଜାଇଥିବ....ତେବେ ମୋରି ପାଖରେ, ମୋର ବାହୁପାଶରେ ଥିବା କଲ୍ୟାଣୀ ଭିତରେ ମୁଁ ବୋଧହୁଏ କୌଣସି ଲକ୍ଷ୍ୟକଲା ଭଳି ପରିବର୍ତ୍ତନ ଦେଖି ନାହିଁ ।

 

ଯେଉଁଦିନ ମୁଁ ତାକୁ ମୋର ଭୁଜପାଶରେ ବାନ୍ଧି ରଖିନେଲି ପହିଲା କରି, ଯେଉଁଦିନ ପହିଲା କରି ତା’ର ଅସ୍ପର୍ଶିତ ଥରିଲା ଥରିଲା ଗୋଲାପୀ ଅଧରରେ ଚୁମ୍ୱନର କମ୍ପନ ଅଙ୍କିତ କରିଦେଲି, ମୁଁ ମନେକଲି ସତରେ ଯେଉଁପରି ମୁଁ ମୋର ପୌରୁଷର ସବୁ କିଛି ତା’ରି ପାଖରେ ଅଜାଡ଼ିଦେଇ, ସମ୍ପୂର୍ଣ୍ଣ ଭାବରେ ଆପଣାର ଆପଣାତ୍ୱକୁ ହଜାଇଦେଇ ମଧୁର ଭାବରେ ଘଡ଼ିକ ଲାଗି ନିଃସ୍ୱ ହୋଇଯାଉଛି । ସତରେ କେତେ ଆନନ୍ଦ ନାଇଁ ସେ ନିଃସ୍ୱ ହୋଇଯିବାରେ, ହଜିଯିବାର ! ରାଜା ପରି ଦରିଦ୍ର ହେବାର ଭାବ ଯେଉଁପରି ! ...ତା’ର ସ୍ୱଚ୍ଛନ୍ଦ ହାସ୍ୟ, ଉଜ୍ଜ୍ୱଳ ଉଲ୍ଲାସ, ଆହ୍ଲାଦ ଓ ପ୍ରଣୟର ଅକଥ ଉନ୍ମାଦନା, ବିଳାସ ଓ ଭୋଗର ଐଶ୍ୱର୍ଯ୍ୟ ଯାହା ଗହନ ନୀରବତାରେ ମୁଖର ହୋଇ...ସୁବର୍ଣ୍ଣରେଣୁ ପରି ମୋର ଚାରପାଖରେ ହୁଏତ ମୁଠାମୁଠା ବୁଣି ହୋଇଯାଉଥିଲା...ସାଉଁଟି ହେବ ନାହିଁ ।

 

ସେ ପ୍ରଣୟ, ସେ ହାସ୍ୟ, ସେ ଚୁମ୍ୱନ, ଆଲିଙ୍ଗନ ଓ ଆତ୍ମାର୍ପଣ...ଅତୀନ୍ଦ୍ରିୟ ଆନନ୍ଦର ଚରମ ଆଦାନପ୍ରଦାନ ମୋର ସୂକ୍ଷ୍ମଶରୀର ଓ ମାନସ-ପୁଷ୍ପର ଚାରିପଟେ ପ୍ରଜାପତି ପରି ଘୂରି ବୁଲୁଥିଲା...କେବଳ ରୂପଜ ନୁହେ....କେବଳ ଦେହ ନୁହେ....ମନର, ଆତ୍ମାର ବନ୍ଧନ ହୁଏ ତ ବେଶି ଅଛି ଏ ଅର୍ପଣରେ, ନିବେଦନରେ । ଦାନ ଓ ପ୍ରତିଦାନ ଉଭୟରେ... !

 

ସେଦିନ ଅପୂର୍ବ ମନେହେଲା ତାଜ...ମୋ ଆଗରେ ଅନେକ କଥା କହିଯାଉଥିବା ପରି ମନେହେଲା । ସନ୍ଧ୍ୟାର ସେଇ ଅଦ୍ଭୁତ ମନୋହର ପରିବେଶରେ କେଉଁପରି, କେଜାଣି କିପରି ଏକ ବିଚିତ୍ର ଆକର୍ଷଣ, ବାଧ୍ୟକରି ଅଟକାଇ ରଖୁଥିବାର ଆକର୍ଷଣ ମୋତେ ମୁଗ୍‌ଧ କଲା । ଅନେକାଂଶରେ କଲ୍ୟାଣୀ ଓ ଆଂଶିକ ତାଜର କଳ୍ପନାର ମଜ୍ଜମାନ ମୁଁ ସେଦିନ ସେଠାରୁ ଚାଲିଆସିବାକୁ ଇଚ୍ଛାକଲି ନାହିଁ । ସନ୍ଧ୍ୟାର ଶିରିଶିରି ଶୀତଳ ପବନ ଭାରି ଭଲ ଲାଗୁଥିଲା । ଆଷାଢ଼ ହେଲେ ହେଁ ବର୍ଷା ବିନା ଅନୁଭୂତ ହେଉଥିବା ଉଷ୍ମତା ହେତୁ ସେ ଶୀତଳତା ପ୍ରୀତିପ୍ରଦ ମନେହେଉଥିଲା । ...ମୁଁ ମନେକରୁଥିଲି ସେ ପ୍ରୀତିପ୍ରଦତା, ସେ ଆରାମ ମୋତେ ଧୀରେ ଧୀରେ ତଂଦ୍ରାଜଡ଼ିତ କରୁଥିଲା ।

 

....ଆଗ୍ରାର କିଲ୍ଲାରେ, ଯମୁନାର କଳକଳ ନୀଳଜଳରାଶିର ଆକୁଳ ଅନୁରାଗ ଭିତରେ ଆପଣାକୁ ହଜାଇଦେଇ ସେଦିନ ମୋଗଲ ସମ୍ରାଟ ଶହାଜହାଁ ହୁଏତ ନିରୀହ ଦୃଷ୍ଟିରେ ଚାହିଁରହିଥିଲା....ଏଣେ ତେଣୁ ମୁଗ୍‌ଧ ଆଖିରେ ଦେଖି ପ୍ରାଣଭରି ଆନନ୍ଦ ଉପଭୋଗର ଲାଳସା ନ ଥିଲା । ଆଖି ଉଠାଇ ଦେଖିଲେ ସେ, ହୁଏତ ସେଇ ପ୍ରାଣପ୍ରିୟାର କମନୀୟ ଛବି...ଅରଜୁମଂଦର ଅପରୂପ ରୂପଶ୍ରୀ—ସତେ ଯେଉଁପରି କିଲ୍ଲାର ପ୍ରତିଟି କାମନୀୟ ଜାଲ୍‌ନାରେ ଭସାଣିଆ ତା’ର ନୀଳ ନୀଳ ଦୁଇଟି ଆଖି, ସଜଳ, ଢଳଢଳ ସ୍ନେହସିକ୍ତ ଦୁଇଟି ନୟନ । ହେମନ୍ତ ଆକାଶ ପରି ମୁଗ୍‌ଧ, କମନୀୟ ! ରୂପପ୍ରାପ୍ତ ହେଉଥିଲା ।

 

ଏ ମର୍ମନ୍ତୁଦ, ହୃଦୟବିଦାରିକ ଘଟଣା ଘଟିବାର ଦୀର୍ଘ ଦେଢ଼ବରଷ ହୋଇଗଲାଣି । ପୁରାତନ ନୁହେଁ....ଏବେ ବି ହୃଦୟର କ୍ଷତ ସାମାନ୍ୟ ଟିକିଏ ବି ଭାରି ନାଇଁ, ବରଂ ସ୍ମୃତିର ବାରମ୍ୱାର ଆଘାତରେ, ଜ୍ୱଳନ ଆହୁରି ବଢ଼ିଛି, କମି ନାଇଁ । ଯେବେ ବି ସେ ଏଇ ସମ୍ମନବୁର୍ଜକୁ ଆସନ୍ତି ମୁମତାଜର ଦୁଇଟି ଆଖି ସତେ ଯେଉଁପରି ତାଙ୍କର ଆଖି ଆଗରେ ଭାସିଯାଏ....

 

ସେ ଦୂର ଦିଗ୍‌ବଳୟର ଧୂସର ସୀମାରେ ଦୃଷ୍ଟିନିବଦ୍ଧ କରି ଅସମର୍ଥ ଭାବରେ ଠିଆହୋଇଥିଲେ, ମନେକରୁଥିଲେ ଯେଉଁପରି କ୍ଷିତିଜ ଉପରେ କୌଣସି ଏକ ସୂକ୍ଷ୍ମତତ୍ତ୍ୱର ଉଦୟ ହେଉଛି । ସମ୍ରାଟର ସଜଳ ଆଖିରେ ସ୍ମିତରେ ଝଲକ ଦେଖାଦେଲା...ସତେ ଯେଉଁପରି ସେ ସୂକ୍ଷ୍ମତା ଧୀରେ ଧୀରେ ସ୍ଥୂଳତ୍ୱ ଧାରଣ କରୁଥିଲା; ସତେ ଯେଉଁପରି ସେ ନିରାକାରତ୍ୱ ସାକାରତ୍ୱ ପ୍ରାପ୍ତ ହେଉଥିଲା; ସତେ ଅବା ସେ ଅଶ୍ରୁଳ କଳ୍ପନା ଆନନ୍ଦାତିରେକ ବାସ୍ତବତାରେ ରୂପାନ୍ତରିତ ହେଉଥିଲା । ସମ୍ରାଟ ଆନନ୍ଦରେ ହସିଲେ...ହସି ହସି ଗଭୀର ଭାବରେ ପୁଲକିତ ହେଲେ...ଡାକିଲେ...

 

‘‘ବଦରୁନ୍ନିସା ! ...ବଦରୁନ୍ନିସା !! ...ଦେଖ୍‌, ଦେଖ୍‌ମୁମତାଜ ଆନନ୍ଦରେ ହସୁଛି...ଖୁସିର ଆବେଗରେ ଅଧୀରା...’’

 

ଗୋଟାଏ କୋଣରେ, ସଜଳ, ଲୋତକପରିପୂର୍ଣ୍ଣ ଚକ୍ଷୁରେ ଏ ଦୃଶ୍ୟ ଦେଖି ବିହ୍ୱଳ ହେଉଥିବା ଦାସୀ ନତମସ୍ତକ ହୋଇ ଓଢଣୀରେ ଲୋତକ ପୋଛି କହିଲା—

 

‘‘ଜହାଁପନାହ ! ଏ ଦାସୀର ସ୍ମରଣ କରାଇବାର ଏହା ଏକାଦଶ ଧୃଷ୍ଟତା—ବଦରୁନ୍ନିସା ଏ ଶୋକ ସହନ କରି ନ ପାରି ପ୍ରାୟ ଏକ ବର୍ଷ ହେବ ଦୁର୍ଗ ପରିତ୍ୟାଗ କରିଛି !’’

 

‘‘ମୁଁ ଭୁଲି ଯାଇଥିଲି ।’’ ....ଶହାଜହାଁ ନିରାଶ ଭାବରେ ପନରାୟ ଦେଖିବାକୁ ଲାଗିଲେ; ସୀମହୀନତାର ବ୍ୟତୀତ ଆଉ କିଛି ଦୃଶ୍ୟମାନ ହେଲା ନାହିଁ । ଅଧର ଥରି, କିଞ୍ଚିତ୍‌ କମ୍ପନ ଜାଗି ଅସ୍ପଷ୍ଟଭାବରେ ପ୍ରକାଶିତ ହେଲା...

 

‘‘ହଁ, ଏ ମହାନ ଶୋକ ସହନ କରିବା ବଦରୁନ୍ନିସା ପକ୍ଷରେ ସମ୍ଭବ ହେଲା ନାହିଁ—ଯାହା ମୁଁ ହୁଏ ତ ସହିଯାଉଛି; ତେଣୁ ତ ମୁଁ ପ୍ରତିଦିନ ଏ ସମ୍ମନବୁର୍ଜକୁ ଆସୁଛି, ତେଣୁ ତ ମୁଁ ଏ ଦୁର୍ଗରେ ଜୀବିତ ଅଛି !’’

 

ଦେଢ଼ବର୍ଷ ହୋଇଗଲା, ସମ୍ରାଟ କାହାରି ସହିତ ସାକ୍ଷାତ କରିବା ବନ୍ଦ କରିଦେଇଥିଲେ-। ରଙ୍ଗମହଲର ଶୟନକକ୍ଷ, ନମାଜ ନିମନ୍ତେ କଷଟି ପଥରର ସୁନ୍ଦର କୃଷ୍ଣଆସନ....ବା ସମ୍ମନବୁର୍ଜ...ଏଇତକ ହିଁ ଆଗ୍ରାକିଲ୍ଲାର ସେଇ ସକଳ ସ୍ଥାନ ଯେଉଁଠାରେ ଜୀବନ୍ତ ଶବ ପରି ଏଣେ-ତେଣେ ବୁଲୁଥିଲେ ସେ । ବହୁ ଚେଷ୍ଟା ପରେ ଦିନେ, ନମାଜ ପରେ ମନ୍ତ୍ରୀ ସେଇ କୃଷ୍ଣଆସନ ନିକଟରେ ଥିବା ଶୁଭ୍ର ଆସନ ନିକଟକୁ ଆସିପାରିଲେ; ଯେଉଁଠାରେ ବସି, ଏଇମାତ୍ର ଦେଢ଼ବର୍ଷ ତଳେ ଭାରତବର୍ଷର ପ୍ରଧାନ ପ୍ରଧାନ ବିଷୟରେ ମନ୍ତ୍ରଣା ଓ କଥୋପକଥନ କରୁଥିଲେ ସେ-!

 

ସମ୍ରାଟ ଶାହଜହାଁ ଶାନ୍ତଭାବରେ ଆରମ୍ଭ କଲେ—

 

‘‘ଆପଣ ବୋଧହୁଏ ଏହା ପଚାରିବାକୁ ଆସିଛନ୍ତି ଯେ ମୁଁ ଏ ପର୍ଯ୍ୟନ୍ତ ବଞ୍ଚିରହିଛି କେଉଁପରି ! ଏ ପ୍ରଶ୍ନ ନିତାନ୍ତ ବାସ୍ତବ । ମୁଁ ବୋଧହୁଏ ଉତ୍ତର ଦେବି, ‘ମୁମତାଜ ମୋର ଆତ୍ମାକୁ ଏ ଶରୀର ସଙ୍ଗରେ ବାନ୍ଧିଦେଇ ଯାଇଛି । ମୋତେ ସେତେଦିନ ପର୍ଯ୍ୟନ୍ତ ବଞ୍ଚିରହିବାକୁ ପଡ଼ିବ, ଯେତେଦିନ ପର୍ଯ୍ୟନ୍ତ ମୁମତାଜର କବର ଉବରେ ଏକ ଏପରି ସ୍ମାରକୀର ନିର୍ମାଣ ନ କରିଛି, ଯେଉଁଠାରେ ମୁମତାଜ ପୁନର୍ଜୀବିତ ହୋଇ ଉଠିବ ।’’

 

ଯେଉଁଠି ସାମ୍ରାଜ୍ଞୀ ପୁନର୍ଜୀବିତ ହୋଇ ଉଠିବେ, ଏପରି ଏକ ସ୍ମାରକୀ ! ଏ ଚର୍ଚ୍ଚା ଆଲୋଚନାର ମୁଖ୍ୟ ହୋଇଉଠିଲା । ସମାଚାର ନଗରରୁ ନଗର, ଏକ ପ୍ରାନ୍ତରୁ ଅପର ପ୍ରାନ୍ତ, ଗୋଟାଏ ଦେଶରୁ ଅନ୍ୟ ଦେଶର ସୀମାରେ ପହଞ୍ଚିଲା । ନିପୁଣରୁ ନିପୁଣତର କାରିଗର ଗୋଟାଏ ପରେ ଗୋଟାଏ ଆସିଲେ...ପ୍ରତିଦିନ ସ୍ମାରକୀ ଏକୁ ଆରେକ ଲୋଭନୀୟ, ମନୋମୁଗ୍‌ଧକର ନମୁନା ସମ୍ରାଟଙ୍କର ଅନୁମୋଦନ ନିମନ୍ତେ ପ୍ରସ୍ତୁତ କଲେ; ହେଲେ, କେହିହେଲେ ସମ୍ରାଟର ଅଶ୍ରୁ ନିଷ୍ପ୍ରଭ ନୟନ ତଳେ ଜ୍ୟୋତିର ସଂଚାର କରିପାରିଲେ ନାହିଁ; କେହି ହେଲେ ହାସ୍ୟବିସ୍ମୃତ ସେଇ ଅଧରରେ ହସସଂଚାର କରିପାରିଲେ ନାଇଁ । ଦିନେ ଯେଉଁଦିନ ଅତି ଗର୍ବରେ କେହି ଏକ ପ୍ରଥିତଯଶା କୁଶଳୀ ଶିଳ୍ପୀର ନମୁନା ଆଣି ନିଜେ ମନ୍ତ୍ରୀମହୋଦୟ ପହଞ୍ଚିଲେ, ସେଦିନ ଅନେକବେଳ ଧରି ନିରୀକ୍ଷଣ କରି ଅଧିକ ହତାଶ ହେଲେ ସମ୍ରାଟ । ନୟନ ଅବିରତ ଲୋତକ ଝରାଇ ତାଙ୍କର ଦୁଃଖର ଗଭୀରତାର ଜ୍ଞାପନ କଲା...ଗହନ, ଅସହନୀୟ ବ୍ୟଥାର କରୁଣ ବିଜ୍ଞାପନ ଦେଲା । ସେ ଲୋକତପୂର୍ଣ୍ଣ ଚକ୍ଷୁରେ ବଜୀରଙ୍କୁ ଦେଖି କହିଲେ—

 

‘‘ଆପଣ ପୁରସ୍କାର ଦେଇ ଏ ଶିଳ୍ପୀଙ୍କୁ ବିଦାୟ ଦିଅନ୍ତୁ; ଏ ନମୁନା ଯାଦୁଘରେ ସ୍ଥାନ ପାଉ !’’

 

‘‘ଏହା ଉପରେ କାର୍ଯ୍ୟାରମ୍ଭ କେବେ ହେବ, ଆଲୀଜାହ !’’ ନମ୍ରଭାବରେ ପ୍ରଶ୍ନ କଲେ ବଜୀରେ-ଖାସ !

 

‘‘ହେବ ନାହିଁ ।’’

 

ଶହାଜହାଁ ଦୃଷ୍ଟିଫେରାଇ ନେଇ କହିଲେ—‘‘ଏହା ଏତେ ଜଟିଳ, ଏତେ ସ୍ଥୂଳ ଯେ ବାନୋର ଆତ୍ମିକ ପ୍ରକାଶ ଏଥିରେ ଅସମ୍ଭବ ।’’

 

ନତମସ୍ତକ ହୋଇ ଅଭିବାଦନ ଜଣାଇ ଚାଲିଗଲେ ମନ୍ତ୍ରୀ; ହେଲେ ତା’ପରେ ଆଉ କୌଣସି ନମୁନା ସମ୍ରାଟଙ୍କ ପାଖକୁ ପହଞ୍ଚି ପାରିଲା ନାହିଁ । ବାହାରେ ବାହାରେ ଦେଖି ଯାଦୁଘରକୁ ପଠେଇ ଦେଉଥିଲେ ବଜୀର-ଏ-ଖାସ୍‌, ଯେହେତୁ ପୂର୍ବରୁ ନମୁନାଠାରୁ ସେ ତାକୁ ଆକର୍ଷଣୀୟ ମନେକରୁ ନ ଥିଲେ ।

 

ପୁଣି ଦିନେ, ଦ୍ୱାଦଶବାର ସମ୍ରାଜ୍ଞୀର ପ୍ରିୟତମା ବାନ୍ଧବୀ ବଦରୁନ୍ନିସାର କିଲ୍ଲା ତ୍ୟାଗକରି ଚାଲିଯାଇଥିବା କଥା ସ୍ମରଣ କରାଇ ଦାସୀ ସୂଚିତ କଲା...

 

‘‘ଜାହାଁପନାହ ! ମୁହମ୍ମଦ ଈଷା ଅଫ୍‌ନଦୀ ନାମକ ତୁର୍କସ୍ଥାନର କେହି ଜଣେ ଶିଳ୍ପୀ ପଦଚୁମ୍ୱନ କରିବାର ଆଦେଶ ଚାହୁଁଛି ।’’

 

ଶାହଜହାଁ ପଚାରିଲେ...‘‘କେଉଁ କଳାର ଧନୀ ସେ କଳାକାର ?’’

 

‘‘ଶଙ୍ଖମର୍ମର ।’’

 

ସମ୍ରାଟ ସେ ଶିଳ୍ପୀକୁ ଦେଖିବେ ବୋଲି ଇଚ୍ଛାପ୍ରକାଶ କଲେ । କିଛି ସମୟ ପରେ ବଜୀରେ-ଖାସ ସଂଗରେ ଏକ ତୁର୍କୀୟ ଯୁବକ ସହ ଅଭିବାଦନ ଜଣାଇଲେ । ଶହାଜହାଁ ତାଙ୍କୁ ସେଇ ସ୍ଥଳକୁ ଆସିବାକୁ ନିର୍ଦ୍ଦେଶ ଦେଲେ, ଯେଉଁଠାରେ ଠିଆ ହୋଇ ସେ ଚିରଇପ୍‌ସିତ ସେଇ ଦୃଶ୍ୟର ପୁନଃପ୍ରକାଶର ପ୍ରତୀକ୍ଷାରେ ଥିଲେ ।

 

ଦାସୀ ଆଗନ୍ତୁକଙ୍କର ଆଗମନର ସୂଚନା ଦେଲା...ଅନ୍ୟ-ମନସ୍କ, ସମ୍ଭବତଃ ଦତ୍ତଚିତ୍ତ ସମ୍ରାଟ ଏମାନଙ୍କୁ ନ ଦେଖି ଆଗମନର କାରଣ ଜିଜ୍ଞାସା କଲେ ।

 

ପୁନରାୟ ଅଭିବାଦନ ଜଣାଇ ଶିଳ୍ପୀ କହିଲା...

 

‘‘ଜହାଁପନାହଁ, ଏ ଦରିଦ୍ର କଳାକାର କଳାର ସଂରକ୍ଷଣ ଚାହୁଁଛି ।’’

 

‘‘ଭୟ କରିବାର କିଛି ନାହିଁ—କହ !’’

 

ନତମସ୍ତକ ହୋଇ ଶିଳ୍ପୀ କହିଲା— ‘‘ମୁଁ ମେର ଦିବଂଗତ ପ୍ରିୟତମାର ଏକ ସ୍ମାରକୀ ନିର୍ମାଣ ନିମନ୍ତେ ଆପଣାର ସବୁ ସାମର୍ଥ୍ୟ, ସମସ୍ତ ଶକ୍ତି, ଆପଣାର ସମସ୍ତ କଳାଚାତୁରୀ ଓ କଳ୍ପନାର ବିନିଯୋଗରେ ଏକ ନମୁନାରେ ନିର୍ମାଣ କରିଛି, ଯା’ର ଅନୁରୂପ ଏକ ସ୍ମାରକୀ ଭବନ ଏ ଧୂଳିର ଧରତୀରେ କରିଦେବାର ଶକ୍ତି ମୋର ନାହିଁ । ସାରା ଜୀବନର ପରିଶ୍ରମ ବି ମୋର ଯଥେଷ୍ଟ ନୁହେଁ । ମୁଁ ଜାଣେ ଜହାଁପନାହଁ, ହଜ୍‌ରୁ ସମଦୁଃଖୀ, ଯେଉଁ ଦୁଃଖ ମୋର ଅନ୍ତରତଳେ ଅନଳ ଜାଳୁଛି । ମୋର ବିଶ୍ୱାସ, ମୁଁ କଳାର ସଂରକ୍ଷଣ ପାଇବି ଓ ମୋତେ ଏ ନମୁନାର ସାକାର ରୂପ ଦେବା ଆଦେଶ ଓ ଅବସର ମିଳିବ ।’’

 

‘‘ତେବେ ତୁମେ ଜାଣ ଯେ ମୁଁ ମୋର ପ୍ରିୟତମା ସାମ୍ରାଜ୍ଞୀର ସ୍ମୃତିର ଏକ ସ୍ମାରକୀ ନିର୍ମାଣ କରିବାକୁ ଚାହୁଁଛି ।’’ ସମ୍ରାଟ ଭାବପୂର୍ଣ୍ଣ ଶବ୍ଦର ପ୍ରଶ୍ନ କଲେ ।

 

କଳାକାର ସମ୍ମତ ହେଲା ।

 

‘‘ତା’ହେଲେ କଣ ମୁଁ ଏହା ବୁଝିବି ନାହିଁ ଯେ ତୁମେ ଏଇ ବାହାନାରେ ତମର ଏକ କଳାକୃତିଦ୍ୱାରା ମୋର କଳ୍ପନାକୁ ନ୍ୟୂନ କରିଦେବ ?’’

 

‘‘କଦାପି ନୁହେଁ ଜହାଁପନାହଁ !’’ ନମ୍ରକଣ୍ଠରେ ଉତ୍ତର ଦେଲା ଈଷା ।

 

‘‘କିପରି ?’’

 

‘‘କାହିଁକି ନା, ସମ୍ରାଟ ଓ ସ୍ୱର୍ଗତ ସାମ୍ରାଜ୍ଞୀଙ୍କର ଅଲୌକିକ ପ୍ରଣୟ ଇହଲୋକର ଯେ କୌଣସି କମନୀୟ କୃତୀକୁ ଆପଣା ତୁଳନାରେ ଅଧିକ ଦେଖି ଦୁଃଖିତ ହେବ ।’’

 

‘‘ଆଉ ତୁମେ ! ତୁମର ଓ ତୁମର ପ୍ରଣୟିନୀର ପ୍ରେମ !’’ ସତେ ଯେପରି ସମ୍ରାଟ ଆଶ୍ଚର୍ଯ୍ୟ ହେଉଥିଲେ ।

 

‘‘ନୁହେ ସହନ୍‌ଶାହ !’’ —ଶିଳ୍ପୀ ଉତ୍ତର ଦେଲା । ‘‘ମୋ ପରି ଏକ ଅତି ସାଧାରଣ ବ୍ୟକ୍ତିର ପ୍ରଣୟ ଏ ପୃଥିବୀରେ ଜନ୍ମନେଇ ଏଇଠାରେ ହିଁ ଦାହ ହୁଏ । ମୁଁ ଏକ ସ୍ୱାର୍ଥୀ କଳାକାର; ମୁଁ ଯେତେଦିନ ବଞ୍ଚିଥିବି, ସେତେଦିନ ଏଇ ସ୍ମାରକୀରେ ମୋର ପ୍ରିୟତମାକୁ ଜୀବନ୍ତ ଦେଖିବାକୁ ଚାହୁଁଛି, ଯାହା ନିଜେ ନିଜ ହାତରେ ପ୍ରାଣଭରି ଦୁଃଖର ଆନନ୍ଦ ଭିତରେ ସୃଷ୍ଟି କରିଥିବି ।’’

 

ଆଶ୍ଚର୍ଯ୍ୟ ଅଭିଭୂତ ହୋଇ ସମ୍ରାଟ ମୁହଁବୁଲାଇ ଶିଳ୍ପୀର ଆକୃତି ଦେଖିଲେ । ଦୁର୍ବଳ ପ୍ରାଣହୀନ ଶରୀର, ଶ୍ମଶ୍ରୁ ମଣ୍ଡିତ ଭାବହୀନ ମୁଖମଣ୍ଡଳ ଶୁଭ୍ର । ତା’ର ନୟନ-ପୁତ୍ତଳିକାରେ ସତେ ଯେଉଁପରି ଦୂର ଦିଗ୍‌ବଳୟ ପ୍ରତିବିମ୍ୱିତ, ହସହସ...ଯାହା ସମ୍ରାଟ ଶାହଜହାଁର ଅମୂଲ୍ୟ ନିଧି...ପ୍ରାଣର ଅନନ୍ୟ ପ୍ରେରଣା ଓ ସାନ୍ତ୍ୱନାର ସାମଗ୍ରୀ ।

 

ସହସା ଶିଳ୍ପୀର ନୟନ ନଇଁଗଲା ।

 

‘‘ଶାହଜହାଁ ଆଦେଶ ଦେଲେ—’’ ସେ ନମୁନା ନିରୀକ୍ଷଣ ନିମନ୍ତେ ଅଣାଯାଉ !’’

 

‘‘ସେବକ ଅସମର୍ଥ ଆଲୀଜାହ, ସେ ନମୁନା କେବଳ ମାତ୍ର ଏକ କଳ୍ପନା ମାତ୍ର । ଏ ପର୍ଯ୍ୟନ୍ତ ମୁଁ ତାକୁ ସାକାର ରୂପ ଦେଇ ନାହିଁ ।’’

 

ଦୀର୍ଘ ଦେଢ଼ବର୍ଷ ଭିତରେ ପ୍ରଥମେ ଥର ପାଇଁ କ୍ରୁଦ୍ଧହେଲେ ସମ୍ରାଟ...‘‘ପରିହାସ କରିବାର ବିଚିତ୍ର ସାହସ ଦେଖୁଛି !’’ ...କୋମଳତାର ଯଥେଷ୍ଟ ସ୍ପର୍ଶ ଥିଲା ତେବେ ବି ଏ ଉକ୍ତିରେ । ପଚାରିଲେ...‘‘ଏ ସାହସ କେଉଁପରି କଲ ଶିଳ୍ପୀ ! ନମୁନା ବିନା...’’

 

‘‘କଳାର ସଂରକ୍ଷଣ ନିମନ୍ତେ ଆଲୀଜାହ !’’ ଈଷା ବିନୀତକଣ୍ଠରେ ଉତ୍ତର ଦେଲା । ‘‘ମୁଁ ସେ ନମୁନା ତେଣୁ ପ୍ରସ୍ତୁତ କରି ନାହିଁ ଯେହେତୁ ଏ ଦରିଦ୍ର କଳାକାର ଓ ଅତୁଳନୀୟ ଐଶ୍ୱର୍ଯ୍ୟର ଅଧିକାରୀ ସମ୍ରାଟର ହୃଦୟର ଅବସ୍ଥା ସମଦଶାପନ୍ନ ।’’

 

‘‘ମାନେ ?’’

 

‘‘ଜହାଁପନାହ ! ଏ ଦାସର ଏ ଭୟ ଥିଲା ଯେ ମୋର ନମୁନା ଦେଖି ଆଲୀଜାହ ଅକ୍ଳେଶରେ ଏକ ସ୍ମାରକୀର ନିର୍ମାଣ କରାଇ ନେଇ ପାରିବେ ଯାହା ଆପଣା ପ୍ରେମର ଅଲୌକିକ ନିଦର୍ଶନ ହେବ ଓ ଏ ତୁଚ୍ଛ କଳାକାରର ହୃଦୟର ପ୍ରଣୟଭାବ, ଉଚ୍ଛ୍ୱାସ ଓ ଆସକ୍ତିର ସାମାନ୍ୟ ଟିକିଏ ବି ସତ୍ତା ରଖିବ ନାହିଁ ।’’

 

‘‘କଣ କହୁଛ ତୁମେ !’’ ଶାହଜହାଁ ଅତ୍ୟନ୍ତ କ୍ରୁଦ୍ଧ କଣ୍ଠରେ କହିଲେ ।

 

‘‘ଦାସ ଉଚିତ କହୁଛି ଆଲୀଜାହ,’’ ଈଷା ଅବିଚଳିତ ଭାବରେ କହିଲା— ‘‘ଏଇ ତ ଦୁନିଆଁ, ଦରିଦ୍ରର ଭାବ କିଣିନେବାର ସାମର୍ଥ୍ୟ ବି ଐଶ୍ୱର୍ଯ୍ୟଶାଳୀ ପାଖରେ ରହିଛି ।’’

 

ସମ୍ରାଟଙ୍କର କ୍ରୋଧ ସୀମାଲଙ୍ଘନ କରୁଥିଲା । ସେ ନିତାନ୍ତ କ୍ରୁଦ୍ଧ ଚକ୍ଷୁରେ ବଜୀର-ଏ-ଖାସ୍‌ଙ୍କୁ ଦେଖୁଥିଲେ, ଯେ ଗୋଟାଏ କୋଣରେ ଅସହାୟ ଭାବରେ ଠିଆହୋଇ ରହିବା ଛଡ଼ା ନିରୁପାୟ ଥିଲେ । ସେ ଏ ଦୃଷ୍ଟିକୁ ଅନୁଭବ କଲେ ଓ ତେଣୁ କହିଲେ—

 

‘‘ଦାସ ଏ ଶିଳ୍ପୀକୁ ଆଣିବାର ଧୃଷ୍ଟତା ହେତୁ ଅପରାଧ ପାଇଁ କ୍ଷମାଚାହୁଁଛି ଆଲୀଜାହ ! କିନ୍ତୁ ଏ ଯାହା କହୁଛି, ସତ୍ୟ କହୁଛି । ଏ ତୁର୍କସ୍ଥାନ ଓ ଇରାନ୍‌ରେ ଯାଦୁଗର ସଂଗତରାଶ୍‌ (ମର୍ମରପ୍ରସ୍ତରର ଶିଳ୍ପୀ) ଭାବରେ ଖ୍ୟାତ । କଥା କଥାରେ ସେ ମୋ ଆଗରେ ଯେଉଁ ରୂପରେଖାର ବ୍ୟାଖ୍ୟା କରିଗଲା, ମୁଁ ମନେକଲି ସତେ ଯେପରି ମୁଁ ଏକ ଅପରୂପ ରୂପଲାବଣ୍ୟରେ ଅଭିନବ ଛଟାର ଚାକ୍ଷୁଷ ଅନୁଭବ କରୁଛି ।’’

 

ସମ୍ରାଟ କିଛିକ୍ଷଣ ପାଇଁ ବିସ୍ମିତ ବିସ୍ଫାରିତ ନେତ୍ରରେ ମନ୍ତ୍ରୀଙ୍କୁ ଦେଖିଲେ । କଠିଣ ସ୍ୱରରେ ଆଦେଶ ଦେଲେ ଯେ ସେ ଏକ ନମୁନା ଦେଖିବାକୁ ଚାହାନ୍ତି ଓ ଚନ୍ଦନକାଠରେ ବିଳମ୍ୱ ବିନା ଏକ ନମୁନା ପ୍ରସ୍ତୁତ କରାଯାଉ ।

 

‘‘ଯାହା ଆଦେଶ ଆଲୀଜାହ !’’ ବଜୀର ନତମସ୍ତକ ହେଲେ—ଶିଳ୍ପୀ ଅଭିବାଦନ ଜ୍ଞାପନ କଲା ଓ ସେମାନେ ସମ୍ରାଟଙ୍କୁ ପୁନରାୟ ଦୂର ଦିଗ୍‌ବଳୟର ସେଇ କାଳ୍ପନିକ ଅଦ୍ଭୁତ ଦୃଶ୍ୟ ଦେଖି ହୁଏ ତ ସ୍ମୃତି-ରୋମନ୍ଥନ ପାଇଁ ଛାଡ଼ିଗଲେ...

 

ନମୁନା ନିର୍ମାଣ ନିମନ୍ତେ ଈଷା ରାଜା ଜୟସିଂହଙ୍କର ଉଦ୍ୟାନକୁ ଉଚିତ ସ୍ଥଳ ବୋଲି ମନୋନୀତ କଲା । ଉଦ୍ୟାନ ସାଧାରଣ ଲୋକଙ୍କ ବ୍ୟତୀତ ଅନ୍ୟାନ୍ୟ ପ୍ରଧାନଙ୍କ ପାଇଁ ବି ମନା ହୋଇଗଲା...ଏକାନ୍ତ ପରିବେଶ ଭିତରେ, ମନୋରମ ନୀରବତାରେ ଏକ ମଧୁର ଗୁଞ୍ଜରଣର ସୃଷ୍ଟିକଲା ସୂକ୍ଷ୍ମ ଶସ୍ତ୍ରାଦିର ଲୟବଦ୍ଧ ଚାଳନା ଓ ଏକ ସାକାର ରୂପରେ ରୂପାନ୍ତରିତ ହେବାକୁ ଲାଗିଲା ତା’ର କମନୀୟ କଳ୍ପନା । ପରିଶେଷରେ ପୂର୍ଣ୍ଣିମା ସନ୍ଧ୍ୟାରେ, ଦୀର୍ଘ ଅଠର ଦିନ ପରେ, ଈଷା ସଦରବଜୀର ସାଦ୍ଦୁଲ୍ଲା ଖାଁଙ୍କୁ ନମୁନା ପୂର୍ଣ୍ଣ ହୋଇଯାଇଥିବାର ସୂଚନା ଦେଇ, କିଲ୍ଲା-ପର୍ଯ୍ୟନ୍ତ ପରିବହନ ଅସୁବିଧାର କାରଣରୁ ବାଦଶାହ ସଲାମତ୍‌ଙ୍କୁ ଉଦ୍ୟାନକୁ ଆସି ଦେଖିନେବାର ବିନୀତ ପ୍ରାର୍ଥନା କଲା ।

 

ଶାହଜହାଁ ସୂଚିତ ହେଲେ । ଦୀର୍ଘ ଦେଢ଼ବର୍ଷ ପରେ ଭାରତ-ସମ୍ରାଟ କିଲ୍ଲାର ବେଷ୍ଟନୀମୁକ୍ତ ହୋଇ ବାହାରକୁ ଆସିଲେ । ସବୁ ବଡ଼ ବଡ଼ ସରଦାର, ବଜୀର ଓ ଅମୀର-ଉମରାବ ସଙ୍ଗରେ ଥିଲେ; ସମସ୍ତେ ଉତ୍ସୁକ ଥିଲେ—ବାସ୍ତବିକ କାଉଁରୀ ଛୁଆଇଁ କେଉଁ ଯାଦୁଗରୀ ମାୟା ସର୍ଜନା କରିଥିବ ଯାଦୁଗର ଈଷା ।

 

ଈଷା ସମସ୍ତେ ପାର୍ଷଦବର୍ଗଙ୍କୁ ନମୁନାର କିଛି ଦୂରରେ ଧାଡ଼ିବାନ୍ଧି ଠିଆ କରାଇଦେଲା । ନମୁନା ଉପରେ ଏକ ଶ୍ୱେତ ମଖମଲର ଉତ୍ତରୀୟ ଥିଲା । ଶାହଜହାଁ ସମ୍ମୁଖରେ ଠିଆହୋଇ ନିର୍ନିମେଷ ନୟନରେ ଦେଖୁଥିଲେ । ସେ ଉତ୍ତରୀୟ ମୁକ୍ତ କଲା...ପୁନରାୟ ଅନ୍ୟ ଏକ ଆଭରଣ...ଈଷତ୍‌ ସ୍ୱଚ୍ଛ, ଶୁଭ୍ର ମଲମଲର ଏକ ଆବରଣ; ମନେ ହେଉଥିଲା, ସତେ ଯେଉଁପରି ଚନ୍ଦ୍ରକିରଣଧୌତ, ଯୌବନୋନ୍ମତ୍ତା ସୁଗଠିତା ଏକ ନବାଙ୍ଗୀ ଝୀନ ଶୁଭ୍ରବସ୍ତ୍ରାବୃତା ହୋଇ ତା’ର ପାରିଦର୍ଶିତା, ସ୍ୱଚ୍ଛତାରୁ ଜାତ ଅନାବୃତଭାବରୁ, ଆପଣାକୁ ବଞ୍ଚିତ କରିବାର ସଲ୍ଲଜ ଅସଫଳ ପ୍ରୟାସ କରୁଛି ।

 

ଶାହଜହାଁଙ୍କର ସମ୍ମୁଖରେ ସୁନିର୍ମଳ ଜଳାଧାର—ନତମସ୍ତକ ହୋଇ ପ୍ରତିବିମ୍ବିତ ତାଜକୁ ମୁଗ୍‌ଧ ଦୃଷ୍ଟିରେ ଦେଖୁଥିଲେ ସେ । ସତେ ଯେପରି ଚନ୍ଦ୍ର ସ୍ନିଗ୍‌ଧତା ନେଇ ପ୍ରତିଫଳିତ ହେଉଥିଲା ସେ ପ୍ରତିମା, ଯାର ସୌନ୍ଦର୍ଯ୍ୟ ଆକାଶର ପ୍ରତିଫଳିତ ନୀଳ ପ୍ରଶାନ୍ତତାର ପୃଷ୍ଠଭୂମିରେ ଆହୁରି ମନୋରମ ମନେହେଉଥିଲା ।

 

ସମସ୍ତେ ମନ୍ତ୍ରମୁଗ୍‌ଧବତ୍‌ ଦଣ୍ଡାୟମାନ ଥିଲେ...

 

‘‘ଯାଦୁଗର ! ମୁଁ ମର୍ମାହତ, ହୁଏ ତ ତୁମର ଏ ଅତୁଳନୀୟ କଳାର ସଂରକ୍ଷଣ ପୃଥିବୀର କୌଣସି ଐଶ୍ୱର୍ଯ୍ୟ ଦେଇପାରିବ ନାହିଁ ।’’

 

ଦୁଃଖ ଓ ଆଶ୍ଚର୍ଯ୍ୟଚକିତ ଦୃଷ୍ଟିରେ ସମ୍ରାଟଙ୍କୁ ଥରେ ଦେଖିଲା ଖାଲି ! ଅନୁନୟ କଣ୍ଠରେ କହିଲା ଈଷା-

 

‘‘କାରଣ ଜାଣିବାର ଧୃଷ୍ଟତା କରିବାକୁ ଆଦେଶ ମିଳିବ ତ ଆଲୀଜାହ !’’

 

ସମ୍ରାଟଙ୍କର ବିଷଣ୍ଣ ଅଧରରେ ସ୍ମିତହାସ୍ୟର ଝଲକ ଖେଳିଗଲା ।

 

‘‘ନିଶ୍ଚୟ ! ମୋର ବିଶ୍ୱାସ ନ ଥିଲା ଶିଳ୍ପୀ, ଯେ ଏରୂପ ଏକ ଅନୁପମ ସୌଧନିର୍ମାଣ ସମ୍ଭବ ହୋଇପାରିବ । ଭାରତ ସାମ୍ରାଜ୍ଞୀକୁ ମୃତ୍ୟୁଶଯ୍ୟାରେ ଦେଇଥିବା ପ୍ରତିଶ୍ରୁତି’’...କଣ୍ଠରୁଦ୍ଧ ହେଉଥିଲା ସମ୍ରାଟର....‘‘ତୁମେ ଜାଣ ଶିଳ୍ପୀ ! ସେ ପ୍ରତିଶ୍ରୁତି ଭଙ୍ଗ କରିବାର କ୍ଷମତା ମୋର ନାହିଁ ।’’

 

ଶିଳ୍ପୀ କିଛି କହିପାରିଲା ନାହିଁ । କେବଳ ମାତ୍ର ଥରେ ଦୟନୀୟ ଦୃଷ୍ଟିରେ ରାଜା ଜୟସିଂହଙ୍କୁ ଓ ଥରେ ସମ୍ରାଟଙ୍କୁ ଦେଖିଲା ଖାଲି । ସମ୍ରାଟ ଅନତିଦୂରରେ ସାଦ୍ଦୁଲ୍ଲା ଖାଁ ପାଖରେ ଠିଆ ହୋଇଥିଲେ । ତ ସେହି ହଁ ଥିଲେ ସେ ଉଦ୍ୟାନର ସ୍ୱାମୀ, ଯେଉଁଠାରେ ଅକଥନୀୟ ପରିଶ୍ରମ, ଆଗାଧ ଆତ୍ମଦାହ, ଅସୀମ ଆନନ୍ଦ ଓ ଅନୁପମ ବ୍ୟଥା ଭିତରେ ଅହର୍ନିଶ ଆପଣାକୁ ନିୟୋଜିତ କରି ଈଷା ନମୁନାଟିର ନିର୍ମାଣ କରିଥିଲା ।

 

ରାଜା ଜୟସିଂହ ଆଗକୁ ବଢ଼ିଆସିଲେ—ଶିଳ୍ପୀକୁ ସମ୍ୱୋଧିତ କରି କହିଲେ—

 

‘‘ଶିଳ୍ପୀ ! ସମ୍ରାଟ କେବଳ ସମ୍ରାଟ ନୁହନ୍ତି, ସର୍ବାନୁଭୂତିଶୀଳ ଏକ ସାଧାରଣ ମଣିଷ ବି । ସେ ଯାହା କହିଲେ, ତାହା ଯଥାର୍ଥ । ଅନ୍ୟ କଥାରେ କଳାକାର କେବଳ ମାତ୍ର କଳାକାର; ଅସାଧାରଣ ଐଶ୍ୱର୍ଯ୍ୟର ଅଧିକାରୀ, ପରିପୂର୍ଣ୍ଣ ପ୍ରାଚୁର୍ଯ୍ୟବନ୍ତ ସମ୍ରାଟ । ତା’ର ଆପଣାର କଳା ଛଡ଼ା ଅନ୍ୟ କୌଣସି କଥାର ମୂଲ୍ୟ ତା’ ନିକଟରେ ନାହିଁ । କଳା ବ୍ୟତୀତ ଆସକ୍ତି, ଅନ୍ୟ କୌଣସି ଆକର୍ଷଣର ତାତ୍ପର୍ଯ୍ୟବୋଧ ତା’ର ନାହିଁ ! ତୁମର ଏକ ଅପ୍ରକାଶିତ, ପ୍ରକାଶୋନ୍ମୁଖ କଳାର ଅଦ୍ଭୁତ ଉଚ୍ଛ୍ୱାସ ପ୍ରକାଶ ଚାହେଁ, ଅଫୁରନ୍ତ ଆଲୋକ ଚାହେଁ । ତେଣୁ ତା’ର ସଂରକ୍ଷଣ ଦେବାର ଧର୍ମ ତୁମର ! ତୁମେ ଏ କଳ୍ପନାର ସାକାର ରୂପାନ୍ତର କରିଦେଇ ପାରିଲେ ଜହାଁପନାହ...ଏତେ ଉପଢୌକନ ଦେବେ...ଏତେ ଦେବେ... ।’’

 

ସମ୍ରାଟ ମଝିରେ କହିଲେ...‘‘ଯେ ଏହାର ପ୍ରତିଚ୍ଛାୟା ସଦୃଶ ଆରେକ ସ୍ମାରକୀ ଆପଣାର ପ୍ରିୟତମାର କବର ଉପରେ କରି ଦେଇପାରିବ ।’’

 

ପାର୍ଷଦଗଣ ସମସ୍ୱରରେ କହିଲେ...‘‘ଆଦେଶ ପାଳନ ହେଉ !’’

 

ସଜଳ ଆଖିରେ ଈଷା ଦେଖୁଥିଲା, ସେଇ ନମୁନାକୁ । ବାସ୍ତବିକ କ’ଣ କଳା ବ୍ୟତୀତ କଳାକାରର ଅନ୍ୟ କୌଣସ ଆସକ୍ତି ନାହିଁ ! କ’ଣ ଅନ୍ୟକୁ ତୃପ୍ତିଦେବାକୁ ହିଁ ତା’ର ସୃଷ୍ଟି ଓ ସେହି ହେତୁରୁ ସେ ତା’ର କଳାର ପ୍ରକାଶ କରେ ? ତାହା ହିଁ କ’ଣ ତା’ର ସୃଷ୍ଟିର ସାର୍ଥକତା ? ଫୁଲ ଫୁଟି କବରୀର ଶୋଭାବର୍ଦ୍ଧନ କରି ମଉଳି ଯିବା, କିମ୍ୱା ଦେବଗଳାର ଭୂଷଣ ହୋଇ ଆପେ ମଉଳିଯିବା ଭିତରେ ମଉଳି ଯିବାଟା ଯେଉଁପରି ବାସ୍ତବ ସତ୍ୟ ବା ସିଦ୍ଧ ପରିଣତି, ସେପରି କେବଳମାତ୍ର ଅପରକୁ ଆନନ୍ଦ ଦେବା ହିଁ କ’ଣ କଳାକାରର ଏକମାତ୍ର ଧର୍ମ ! ଆପେ ଦୀପ ପରି ଜଳିଯାଇ ଆଲୋକ ବିତରଣ କରିବା, ଆପେ ଧୂପ ପରି ସରିଯାଇ ସୁବାସ ବିତରି ଯିବା ହିଁ କ’ଣ ଶିଳ୍ପୀଜୀବନର ଚରମ ସାର୍ଥକତା ? ହୋଇପାରେ ! ତେବେ ଏ ଅନନ୍ୟ ତୃପ୍ତିଦାନର ଓ ପ୍ରଣୟର ମହତ୍ୱ କଳାକାର ନିକଟରେ କି ରୂପରେ ପ୍ରତିଭାତ ?

 

ଈଷା ମନେକରୁଥିଲା, ଅନୁଭବ କରୁଥିଲା, ଯେଉଁପରି ତା’ର ଆଖି ଆଗରେ ଧୀରେ ଧୀରେ ଭାବୀ ତାଜମହଲ ସୌମ୍ୟ ପ୍ରତିରୂପ ଉଭେଇଯାଉଛି, ଅସ୍ପଷ୍ଟ ହୋଇଯାଉଛି । ଗଭୀର ପୀଡ଼ାରେ, ବ୍ୟଥାର ଯନ୍ତ୍ରଣାରେ ସତେ ଯେଉଁପରି ସେ ସମ୍ରାଟଙ୍କୁ ଦେଖିଲା ଓ କହିଲା...‘‘ଜହାଁପନାହ ! ଆଦେଶ ଦିଅନ୍ତୁ...ଏ ସୌଧ ଏ ମାଟିର ଧରଣୀରେ ହିଁ ସମ୍ଭବ ହେବ !’’

 

ସମ୍ରାଟ ଶାହଜହାଁ ଆଦରରେ ଈଷାର ପୃଷ୍ଠଦେଶରେ କର ସଞ୍ଚାଳନ କଲେ । କହିଲେ...‘‘କିନ୍ତୁ ଗୋଟାଏ ସର୍ତ କଳାକାର !’’

 

ଈଷା କିଛି କହିଲା ନାହିଁ, ଦେଖିଲା । ତେବେ ସେ ଜିଜ୍ଞାସାରେ ପରିପୂର୍ଣ୍ଣ ନେତ୍ରଯୁଗଳ ଅନେକ କିଛି ପଚାରିଗଲେ ଯେଉଁପରି ।

 

....‘‘ମୋର ପୂର୍ଣ୍ଣବିଶ୍ୱାସ ଶିଳ୍ପୀ, ଅରଜୁମନ୍ଦ ତମର ଯାଦୁଗରୀ କଳାର ଚାତୁରୀ ଓ ଅଭିନବତ୍ୱର ସୃଷ୍ଟିରେ ମୋର ଆଖି ଆଗରେ ପ୍ରାଣବନ୍ତ ହୋଇ ଉଠିବ । ମାତ୍ର ଏହା ଯଦି ହୁଏ ନାହିଁ;’’ ସେ କିଞ୍ଚିତ ସଙ୍କୋଚ କଲେ ହୁଏ ତ, ସାମାନ୍ୟ ନୀରବ ରହି କହିଲେ...‘‘ମୁଁ ସେ ଆଦର ହୁଏ ତ ଦେଇପାରିବ ନାହିଁ; ଯେଉଁ ପ୍ରତିଶ୍ରୁତିର ଅଭୟ ବର୍ତ୍ତମାନ ଦେଇଛି ।’’

 

ଏହି ଶିଳ୍ପୀ ପକ୍ଷରେ ଦ୍ୱିତୀୟ ଆଘାତ; ଏହା କଳାକାରର ଚରମ ସତ୍ୟନିଷ୍ଠତା ଓ ଏକନିଷ୍ଠତ୍ୱର ପ୍ରତି ଏକ ଚରମ ଅବିଶ୍ୱାସ । ଆଖି ତା’ର ଛଳ ଛଳ ହୋଇ ଉଠିଲା...ଶିର ନତ କରି ଅଶ୍ରୁଳ କଣ୍ଠରେ ସେ କହିଲା ଖାଲି—

 

‘‘ଅତି ଉତ୍ତମ, ଆଲୀଜାହ !’’

 

ସମ୍ରାଟ ସାଦ୍ଦଲ୍ଲା ଖାଁ ଆଡ଼କୁ ଆଜ୍ଞାସୂଚକ ଦୃଷ୍ଟିରେ ଦେଖି କହିଲେ—

 

‘‘ଖାନ୍‌ସାହେବ ! ରାଜାମହାରାଜଙ୍କ ପାଖକୁ ସମ୍ୱାଦ ପ୍ରେକ୍ଷଣର ବ୍ୟବସ୍ଥା କରନ୍ତୁ । ଏ ଧରିତ୍ରୀରେ ସ୍ୱର୍ଗର ସୌଧ ନିର୍ମାଣ ହେବ । ଏ କାର୍ଯ୍ୟରେ ଯେଉଁମାନେ ସହାୟତା ଦେବେ, ଶହଂଶାହିୟତ ସେମାନଙ୍କ ପାଖରେ କୃତଜ୍ଞ ରହିବ !’’

 

ଦେଶର ପ୍ରତିକୋଣକୁ ସମ୍ୱାଦ ପ୍ରେଷଣ ହେଲା । ନାନାସ୍ଥାନରୁ ଉପଢୌକନ, ଦଳ ଦଳ କାରିଗର ଆଗ୍ରାକୁ ଆସିବାକୁ ଲାଗିଲେ । ଯାର ସାମାନ୍ୟ ଟିକିଏ ବି କୌଶଳ ଅଛି, ସେ ଆସି ଈଷାର ହାତରେ ହାତ ମିଳାଇଲା । ପଚାଶ ପ୍ରମୁଖ ଶିଳ୍ପୀ ଓ ବିଂଶ ସହସ୍ର ସହଯୋଗୀ ମମତାଜ ମହଲର ଆତ୍ମାକୁ ଜୀବନ୍ତ କରିବାକୁ ବିଶ୍ୱର ଏ ଅପ୍ରତିମ ଆଶ୍ଚର୍ଯ୍ୟର ନିର୍ମାଣରେ ହାତ ଦେଲେ । ମୁମତାଜବାଦ୍‌ ନାମରେ ଏକ ଛୋଟ ସହର ବସିଗଲା ।

 

ସୁନ୍ଦର ଅକ୍ଷର ଲେଖିବାକୁ ତୁର୍କସ୍ଥାନର ସତ୍ତାର ଖାଁ, ଚିତ୍ରାଙ୍କନ ନିମନ୍ତେ ସମରକନ୍ଦର ମୁହମ୍ମଦ ଶରୀଫ୍‌, ଲତାଗୁଡ଼ିକର କାର୍ଯ୍ୟ ନିମନ୍ତେ ଶୀରାଜର ଅମାନତ ଖାଁ ଓ ସବୁ କାର୍ଯ୍ୟର ନିରୀକ୍ଷଣ ନିମନ୍ତେ ଅକବରାବାଦର ମୁହମ୍ମଦ ହନୀଫ୍‌, ଈଷା ଅଫନଦୀର ଗୋଟାଏ ଗୋଟାଏ ହାତ ହୋଇଗଲେ ।

 

....ଏ ଭିତରେ ଶାହଜହାଁଙ୍କର ରାଜ୍ୟବିସ୍ତାର ହେବାକୁ ଲାଗିଲା । ଅହମଦନଗର ବିଜୟ ନିମନ୍ତେ ଯାହା ହେଲା, ସେଥିରେ ବୀଜାପୁର, ଗୋଲକୁଣ୍ଡା, କନ୍ଧାର ଶାହଜହାଁଙ୍କର ଅଧୀନସ୍ଥ ହୋଇଗଲେ ।

 

ସମ୍ମନବୁର୍ଜରେ ଠିଆହୋଇ ଦେଖିଲେ, ଦୂର କ୍ଷିତିଜରେ ଯେଉଁ ନାରୀର କମନୀୟ, କୋମଳ, ଧୂମିଳ ପ୍ରତିମା ବେଳେବେଳେ ଆଖି ଆଗରେ ନାଚିଯାଉଥିଲା, ସତେ କ’ଣ ତାହା ଆଉ ପ୍ରକାଶବତୀ ହେଉ ନାହିଁ ? ସତେ କ’ଣ ତାହା ରାଜା ଜୟସିଂହଙ୍କର ଉଦ୍ୟାନରେ ନିର୍ମିତ ହେଉଥିବା ଅପରୂପ ରୂପବନ୍ତ ସୌଧ ତଳେ ଲୁଚିଯାଉଛି ଧୀରେ ଧୀରେ ! ଜାଲନାରେ ଯେଉଁ ଦୁଇଟି ପିପାସୀ ଆଖି ଅପଲକ ଦୃଷ୍ଟିରେ ଚାହିଁରହୁଥିଲା, ସତେ ସେ କ’ଣ ସେଇ ଦର୍ଶନ, ମମତା ଆଉ ରଖିନାହିଁ ।

 

ପ୍ରଣୟୀ ଶାହଜହାଁ ଓ ସମ୍ରାଟ ଶାହଜହାଁ ଭିତରେ ପାର୍ଥକ୍ୟ ଯେତିକି, ବ୍ୟବଧାନ ଯେତିକି, ହୁଏ ତ ସେତିକି ବ୍ୟବଧାନ ଧୀରେ ଧୀରେ ସୃଷ୍ଟି ହେଉଥିଲା ସମ୍ରାଟର ଆସିବାରେ । ସମ୍ମନବୁର୍ଜକୁ ଆସି ଉଦାସୀ ଆଖିରେ ନୀଳ ଯମୁନାକୁ ଦେଖିବାର ମୋହରେ ! ଏ ବ୍ୟବଧାନ ଧୀରେ ଧୀରେ ଏତେ ହେଲା ଯେ ଆପାତତଃ ପ୍ରତି ଛ’ ମାସରେ ଥରେ ବି ସମ୍ମନବୁର୍ଜରେ ପାଦ ପଡ଼େ ନାହିଁ ସମ୍ରାଟର । ସତେ ଯେଉଁପରି ଏହା ଅରଜୁମନ୍ଦର ପ୍ରଣୟର ମଧୁର ସ୍ମୃତି ଜାଗ୍ରତ କରିବାର ସ୍ଥାନ ନୁହେଁ । କିପରି ଏକ ଅହେତୁକ ଭୟ ଜାଗ୍ରତ କରୁଛି, ମଧୁର ରୋମାଞ୍ଚ ନୁହେଁ, ଭୟର ଏକ ଶହିରଣ ଖେଳିଯାଉଛି ସମ୍ରାଟଙ୍କର ତନୁ ଓ ମନରେ !

 

...ଦିନେ ସାଦ୍ଦୁଲ୍ଲା ଖାଁ ସୂଚନା ଦେଲା, ତାଜ ନିର୍ମାଣ ଶେଷ ହୋଇ ଯାଇଛି ।

 

Unknown

ଶାହଜହାଁ କ୍ଷିପ୍ର ପଦକ୍ଷେପରେ ଆସି ସମ୍ମନବୁର୍ଜରୁ ନିରୀକ୍ଷଣ କଲେ; ହେଲେ, ସେ ଭବନ ନିର୍ମାଣର ପ୍ରାସଙ୍ଗିକ ଆଭରଣରେ ଗୋପନ ଥିଲା...ହତାଶ କଣ୍ଠରେ ସେ ପଚାରିଲେ...

 

‘‘ଏ ସବୁ କେତେ ଦିନ ଭିତରେ ପରିଷ୍କାର ହୋଇଯିବ ?’’

 

‘‘ହୁଏ ତ ଏକ ମାସ !’’ ମନ୍ତ୍ରୀ ଅନୁମାନ କଲେ...

 

‘‘ଅସମ୍ଭବ, ମୁଁ ଏହା ଆଜି ହିଁ ଦେଖିବାକୁ ଚାହୁଁଛି !’’

 

‘‘କିନ୍ତୁ ଏହା ଅସମ୍ଭବ ଆଲ୍ଲୀଜାହ !’’

 

‘‘ଏହା ମୋର ଆଦେଶ !...ଆଜିର ଜ୍ୟୋତ୍ସ୍ନାସ୍ନାତ ରାତିରେ ହିଁ ମୁଁ ଏହା ଦେଖିବାକୁ ଚାହେଁ !’’

 

ଆଗ୍ରା ଓ ଅନ୍ୟାନ୍ୟ ଅଞ୍ଚଳରେ ଘୋଷଣା କରାହେଲା । ଲକ୍ଷ ଲକ୍ଷ ନରନାରୀ ଗଭୀର ଉତ୍କଣ୍ଠା, ଅସୀମ ଶ୍ରଦ୍ଧା ଓ ଆଶ୍ଚର୍ଯ୍ୟ ସହ ଆସିବାକୁ ଲାଗିଲେ । ଏହା ହୁଏ ତ ଏକ ଅନ୍ୟ କାରଣ...ଲୋକେ କହୁଥିଲେ—ତା’ର ମାନସିକ ଅବସ୍ଥା କ’ଣ ହେବ ପ୍ରେମିକାରେ ଏ ସ୍ମାରକୀ ଦେଖି; ଯା’ର ମୁଦ୍ରା ଏ ଦେଶରେ ଚଳୁଛି ।

 

ପୂର୍ଣ୍ଣଚନ୍ଦ୍ରସ୍ନାତ ରାତ୍ରୀ....ଆଲୋକମାଳିନୀ ମଧୁମତୀ ଆଗ୍ରାର ରାଜପଥରେ ରାଜପରିଚ୍ଛଦଶୋଭିତ ଶୃଙ୍ଖଳିତ ଗଜଯୂଥ ଓ ବାଜିରାଜି । ବହୁବିଧ ବାଦ୍ୟନାଦରେ ପରିପୂର୍ଣ୍ଣ ଗଗନପବନ ତାଜଦର୍ଶନର ସ୍ୱାଗତ ସମାରୋହକୁ ଆହୁରି ମନୋଜ୍ଞ କରି ତୋଳିଥିଲା । ଅପରୂପ ଶୋଭାସାଜରେ, ଅଭୂତପୂର୍ବ ଆଡ଼ମ୍ୱରରେ ସେଦିନ ପ୍ରଣୟୀର ସମ୍ରାଟ ଶାହଜହାଁ ପ୍ରିୟତମାର ସ୍ମୃତିସ୍ମାରକୀ ଦେଖିବାକୁ ଯାଉଥିଲା ।

 

ତାଜର ପ୍ରବେଶଦ୍ୱାରରେ ତାଜର ଶିଳ୍ପୀଗଣ ସମ୍ରାଟ ଶାହଜହାଁଙ୍କର ସ୍ୱାଗତ କଲେ । ଆଲୋକମଣ୍ଡିତ, ପୁଷ୍ପତୋରଣ ସୁସଜ୍ଜିତ ଆଗ୍ରାର ଶୋଭାଶ୍ରୀର ଅତୁଳନୀୟତାରେ ବିମୁଗ୍‌ଧ ଜନତା ତାଜର ଅନୁପମତ୍ୱ ଦର୍ଶନ ଆକାଙ୍‌କ୍ଷାରେ ସମବେତ ହୋଇଥିଲେ ।

 

ଅତ୍ୟଧିକ ଆନନ୍ଦ ଅନୁଭବ କରୁଥିଲା ଈଷା ଅଫନଦୀ । ଜୀବନରେ ଆନନ୍ଦ ଉପଭୋଗର ଏହାଠାରୁ ବଳି ପ୍ରୀତିପ୍ରଦ ଅବକାଶ ହୁଏ ତ ତା’ର ଆସି ନ ଥିଲା । ତା’ର ମୁଖମଣ୍ଡଳରେ ଏକ ସ୍ୱର୍ଗୀୟ ଆଭା ଥିଲା । ସାର୍ଥକତାର ଅପୂର୍ବ ଉଜ୍ଜ୍ୱଳତାରେ ଆହୁରି ଦୀପ୍ତିମନ୍ତ ମନେହେଉଥିଲା । ସତେ ଯେଉଁପରି ଆପଣାର କଳାକୁଶଳତାରେ ଆପେ ମୁଗ୍‌ଧ, ଆପେ ଆପଣାର ପ୍ରଶଂସାରେ ଶତଜ୍ୱିହ ହୋଇ ଉଠିଥିଲା ସେ ! ସେଇ ତ ଶିଳ୍ପୀଜୀବନର ସାର୍ଥକତା, ସନ୍ତୋଷ !

 

ଈଷାର ମୁଖମଣ୍ଡଳରେ ଏଣେତେଣେ ବୟସ ରେଖାପାତ କରିଥିଲା । କେଶ କିଞ୍ଚିତ୍‌ପକ୍ୱ ହୋଇ ସାରିଥିଲେ ହେଁ ମୁଖମଣ୍ଡଳରେ ଏକ ଅପୂର୍ବ ତାରୁଣ୍ୟର ଦୀପ୍ତି ଥିଲା । ତାହା ବି ହୁଏ ତ ସାଫଲ୍ୟର...ପରିପୂର୍ଣ୍ଣ ତୃପ୍ତି ଓ ସନ୍ତୋଷର !

 

ଯା’ର କଳ୍ପନା ଏ ତାଜକୁ ମୂର୍ତ୍ତିମନ୍ତ ସାକାର ରୂପ ଦେଇଥିଲା, ସେଇ ଈଷା, ଶାହଜହାଁର ଆଗେ ଆଗେ ଉଲ୍ଲସିତ ହୋଇ ଯାଉଥିଲା...ଗର୍ବର ଏକ କମନୀୟ ସ୍ମିତହାସ୍ୟ ତା’ର ଅଧର ତଳେ ଖେଳିଯାଉଥିଲା; ଯେତେବେଳେ ସମ୍ରାଟ ପ୍ରଥମ ଦ୍ୱାର ଅତିକ୍ରମ କରି ତାଜର ସମ୍ପୂର୍ଣ୍ଣ ଅବଲୋକନ କରି ପ୍ରସନ୍ନତାର ଆଭାରେ ପୁଲକିତ ହୋଇ ଉଠୁଥିଲେ—

 

‘‘ଶହଁଶାହ ଶାହଜହାଁ ଜିନ୍ଦାବାଦ୍‌’’ ‘‘ମଲ୍‌କା ମୁ-ଅଜ୍‌ମ । ମୁମତାଜ ମହଲ, ଜିନ୍ଦାବାଦର’’ ନାରାରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିଲା ।

 

ସମ୍ରାଟ ଧୀର ପଦକ୍ଷେପରେ ବଢ଼ିଯାଉଥିଲେ ଆଗକୁ । ମୁଗ୍‌ଧ ଆଖି ଅଚଞ୍ଚଳ ହୋଇଗଲା ସେଇ ପ୍ରତିବିମ୍ୱକୁ ଦେଖି, ଯାହା ଜଳାଧାରର କମନୀୟ ନୀଳ ଫଳକରେ ପ୍ରତିଫଳିତ ହୋଇ ମାୟା ରଚନା କରିଥିଲା । ଅବାକ୍‌, ସ୍ତବ୍‌ଧ, ଅପଲକ ଶାହଜହାଁ ପୂର୍ବ ପୁଲକାନୁଭବ କରୁଥିଲେ ହୁଏ ତ !

 

ଅନେକ ପ୍ରମୁଖ, ସରଦାର, ଅମୀର-ଓମରାଓ ଶାହଜହାଁଙ୍କର ସାଥିରେ ଥିଲେ । ଭିତରେ ପ୍ରବେଶ କରିଥିଲେ । ଚମ୍ୱୁଜ ଛାତରୁ ନାନା ବର୍ଣ୍ଣରେ ଶୋଭିତ କୁସୁମମାଳିକା, ନାନା ଶୋଭାସମ୍ପଦପୂର୍ଣ୍ଣ ସାଜାସଜ୍ଜା ରୂପରେ ଅପରୂପ ରୂପସଞ୍ଚାର କରୁଥିଲା । ସ୍ୱଚ୍ଛ ପ୍ରକାଶରେ ଆଲୋକିତ କବରଟି ଦେଖି ଏକ ଅବୋଧ, ଅଶକ୍ତ ଶିଶୁ ପରି ନିକଟସ୍ଥ ହୋଇ ଦଣ୍ଡାୟମାନ ହେଲା ସମ୍ରାଟ...ନିସ୍ତବ୍‌ଧତା ଛାଇଗଲା...ଗହନ, ଗଭୀର ନୀବରତା...

 

ଏକ ଅଶ୍ରୁପୂର୍ଣ୍ଣ ଧ୍ୱନି ଗୁଞ୍ଜରିତ ହେଲା ସହସା–

 

‘‘ଅରଜମନ୍ଦ ! ..ବାନୋ !’’

 

‘‘ଅ-ର-ଜୁ-ମ-ନ୍ଦ...ବା-ନୋ !! ...ବହୁବାର ପ୍ରତିଧ୍ୱନିତ ହୋଇ ସମଗ୍ର ବିସ୍ତୀର୍ଣ୍ଣ ନୀରବତାରେ ଅଶ୍ରୁପ୍ଳାବନ କରି ପବନ ଦେହରେ ମିଶିଗଲା ସେଇ ସ୍ୱର !

 

ମୋହବିମୂଢ଼, ବିଦଗ୍‌ଧ ଭାରତସମ୍ରାଟ ଶାହଜହାଁ ହୃଦୟର ଗହନ ବେଦନାକୁ ସହନ କରିବାର କ୍ଷମତା ହରାଇ ବସିଲା ବୋଧହୁଏ...ଆକୁଳ ହୋଇ କାନ୍ଦିବାରେ ଲାଗିଲା—ନୟନବେନି ଅବିରତ ଲୁହ ଢାଳିଗଲେ । ସେଇ କ୍ରନ୍ଦନର ପ୍ରତିଧ୍ୱନି..ବହୁ ଗୁଣରେ କରୁଣାମୟୀ ହୋଇ ଧ୍ୱନିତ ହେଲା, ହୃଦୟ ଥରାଇଗଲା । ...ଈଷା ଧୀରେ ଧୀରେ ଆଗକୁ ବଢ଼ିଆସି ବିନମ୍ର କଣ୍ଠରେ ନିବେଦନ କଲା—

 

‘‘ଜହାଁପନାହ ! ଏହା ଭାରତସମ୍ରାଜ୍ଞୀର ସମାଧିର ପ୍ରତିକୃତି । ମୁଁ ଏହା ଏକ ଏଇ ହେତୁରୁ ନିର୍ମାଣ କରିଛି ଯେପରି କି ଆଲୀଜହା ଭ୍ରମ କରିବେ ନାଇଁ । ଯେଉଁ କବରରେ ଆତ୍ମାକୁ ବନ୍ଦୀ କରି ମଣିଷ ଏଇ ପୃଥିବୀରେ ଘୂରିବୁଲେ, ତାକୁ ଦେଖି ମଣିଷ ହୁଏତ ଏଇଥିପାଇଁ କାନ୍ଦେ ନାଇଁ ଯେ ପ୍ରକୃତ କବରକୁ ପହଞ୍ଚିବାକୁ ତାକୁ ସମୟ ଲୋଡ଼ା । ଆଲୀଜାହ ସେଇ ବ୍ୟବଧାନକୁ ସ୍ମରଣ କରିବେ ଓ ଦୁଃଖ ଭୁଲିଯିବେ ବୋଲି—’’

 

ଈଷାର ଏଇ ପ୍ରଭାବଶାଳୀ ଶବ୍ଦ ଗମ୍ୱୁଜର ପ୍ରତି କୋଣରେ ଗୁଞ୍ଜରିତ ହୋଇ ଉଠିଲା । ସମ୍ରାଟ କିଞ୍ଚିତ ସ୍ଥିର ହେଲେ ଓ ସମ୍ଭବତଃ ପାଖରେ ଠିଆହୋଇଥିବା ପାର୍ଷଦଗଣଙ୍କର ଉପସ୍ଥିତି ଅନୁଭବ କଲେ । ସେଠାରୁ କ୍ଷିପ୍ର ପଦକ୍ଷେପରେ ଚାଲିଆସିଲେ ସେ ।

 

ପ୍ରକୃତ କବର ପାଖରେ ପହଞ୍ଚିଲାବେଳକୁ ଆଖିରେ ଏକ ବିନ୍ଦୁ ଅଶ୍ରୁ ସୁଦ୍ଧା ନ ଥିଲା । କବର ପାଖରେ ଠିଆହୋଇ ସେ ମନେ ମନେ କଣ କିଛି ସମୟ ପାଇଁ ପଢ଼ିଲେ ଓ ଚାଲିଆସି ଦ୍ରୁତପଦରେ କବରର ଚତୁଃପାର୍ଶ୍ୱରେ ଥିବା ପ୍ରାଚୀରର କମନୀୟ କାରୁକାର୍ଯ୍ୟ ଦେଖିବାକୁ ଲାଗିଲେ-।କିଛି ସମୟ ପରେ ସେ ବାହରି ଆସିଲେ ଓ ବାହାରେ ଥିବା ଜଳଭଣ୍ଡାରରେ ପ୍ରତିବିମ୍ୱିତ ତାଜକୁ ପୁନରାୟ ନିର୍ନିମେଷ ନୟନରେ ଦେଖିବାକୁ ଲାଗିଲେ । ଜନସାଧାରଣ ଏ ପର୍ଯ୍ୟନ୍ତ ତାଜର ବାହାରେ ଥାଇ ବିଭିନ୍ନ ଜୟଧ୍ୱନି କରୁଥିଲେ । ସେଇ ଧ୍ୱନି, ସେଇ ବିସ୍ତୀର୍ଣ୍ଣ କୋଳାହଳରେ ବି ତାଜର ଶାନ୍ତିଭଙ୍ଗ ହେଉ ନ ଥିବା ଭଳି ପ୍ରତୀତ ହେଉଥିଲା । ଈଷା ଶହନ୍‌ଶାହ ଶାହଜହାଁ ପାଖରେ ନୀରବରେ ଦଣ୍ଡାୟମାନ ହୋଇ ରହି ପ୍ରଶଂସାର ଦୁଇଟି ଶବ୍ଦ ଶୁଣିବାର ପ୍ରତୀକ୍ଷା କରୁଥିଲା ।

 

କିନ୍ତୁ ହଜିଲା ହଜିଲା ଦୃଷ୍ଟିରେ ତାଜକୁ ଦେଖି ଶାହଜହାଁ ଗମ୍ଭୀର କଣ୍ଠରେ କହିଲେ—

 

‘‘ଶିଳ୍ପୀ ! ଏଇ ଅପରୂପ ରୂପସୃଷ୍ଟିରେ କେଉଁଠି ହେଲେ ମୁଁ ମୋର ପ୍ରିୟତମାକୁ ଜୀବନ୍ତ ଦେଖିଲି ନାହିଁ ।’’

 

ଏଇ ଗମ୍ଭୀର ସ୍ୱର ଶିଳ୍ପୀ ବ୍ୟତୀତ ନିକଟସ୍ଥ ଅନ୍ୟମାନେ ବି ଶୁଣିଲେ ଓ ଆଶ୍ଚର୍ଯ୍ୟ-ଚକିତ ରହିଗଲେ । ଈଷା ବ୍ୟସ୍ତ ଓ ବିବ୍ରତ ଦୃଷ୍ଟିରେ ଥରେ ସମ୍ରାଟଙ୍କୁ ଦେଖିଲା ଖାଲି; କିନ୍ତୁ ସେ ବିଶ୍ୱାସ କରିପାରିଲା ନାହିଁ । ତେଣୁ ହୁଏ ତ, ଏ କଥାର ହୃଦୟଙ୍ଗମ କରିବାକୁ ସେ ତାଜ ଆଡ଼କୁ ଦୃଷ୍ଟି ଫେରାଇନେଲା ।

 

ଜଣାନାଇଁ କେତେ ସମୟ ବିତିଗଲା । ଆଶା ଓ ନିରାଶାର ଅନେକ ସୁଅ, ଅନେକ ଜୁଆର ଓ ଭଟ୍ଟା ତା’ର ହୃଦୟ-ସାଗରରେ ଉଠି ଉଭେଇଗଲା । ସତେ ଯେଉଁପରି ଈଷା ଜଡ଼ ପାଲଟି ଯାଇଥିଲା—ନିର୍ବାକ, ନିର୍ବେଦ ଓ ନିର୍ବିକଳ୍ପ । ତେଣୁ ହୁଏ ତ ସେ ଶୁଣି ବି ପାରିଲା ନାହିଁ, ଯେତେବେଳେ ସମ୍ରାଟ କହିଲେ, ‘‘କଳାକାର ! ଏ ଯେ ଅଭୂତପୂର୍ବ ନିର୍ମାଣ, ଅତୁଳନୀୟ ରୂପର ଅପରୂପ ସୃଷ୍ଟି ତୁମେ କରିଗଲ ତାହା ନା’ ଏହା ପୂର୍ବରୁ ହୋଇଛି ନା ଭବିଷ୍ୟତରେ ସମ୍ଭବ । ମାତ୍ର ମୋର ଦୁଃଖ ରହିଗଲା—ମୁଁ ମୋର ପ୍ରିୟତମାକୁ ଜୀବନ୍ତ ଦେଖିପାରିଲି ନାହିଁ ।’’

 

ଈଷା ଶୁଣିଲା ନା ନାହିଁ, କିଏ ଜାଣେ ! ତା’ର ସାଥୀ ଶିଳ୍ପୀଗଣ ସମ୍ରାଟଙ୍କର କଥାର ବିଭିନ୍ନ ପରବର୍ତ୍ତୀ ପ୍ରଶ୍ନର ଉତ୍ତର ଦେଉଥିଲେ । ସମ୍ରାଟ ଫେରିଲେ । ଈଷା ସେଇଠାରେ ହିଁ ନିଶ୍ଚଳ ହୋଇ ଠିଆ ହୋଇଥିଲା, ସତେ ଯେଉଁପରି କିଏ ତାକୁ ସର୍ବାନୁଭୂତିରହିତ ପଥର କରିଦେଇଥିଲା ।

 

ହର୍ଷଧ୍ୱନି—ଅଭିନନ୍ଦନ ଧ୍ୱନି ଧୀରେ ଧୀରେ ଦୂରରୁ ଦୂରତର ହୋଇ ଶୁଣାଯାଉଥିଲା । ଘଣ୍ଠ ଓ ନିଶାଣର ଶବ୍ଦ ଧୀରେ ଧୀରେ ଧୀମେଇ ଯାଉଥିଲା । ଈଷାର ଚାରିପଟେ ତା’ର ସହଯୋଗୀ ଏକତ୍ରିତ ହୋଇଗଲେ । ସମସ୍ତଙ୍କର ଆଖିରେ ସମବେଦନା ଓ ଆଶଙ୍କା ଥିଲା । ଏଇ କଥା ସର୍ବତ୍ର ପ୍ରଚାରିତ ହୋଇ ସାରିଥିଲା । ବିଭିନ୍ନ ମନ୍ତବ୍ୟ ପ୍ରକାଶ ହେବାକୁ ଲାଗିଥିଲା ।

 

ସତ୍ତାର ଖାଁ କହିଲା—‘ତାଜରେ ଏ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ସେତେ ଧନ ଈଷାକୁ ଦେବାକୁ ସମ୍ରାଟ ଚାହାନ୍ତି ନାହିଁ ।’

 

ସହାନୁଭୂତି ପ୍ରକାଶ କରି ଅମାନତ୍‌ ଖାଁ କହିଲା, ‘‘ଏହା ସତ୍ୟ ହେଲେ ଅର୍ଥ ଦେବା ବଡ଼ କଥା ନୁହେଁ । ସମ୍ରାଟ ଭୟ କରୁଛନ୍ତି ହୁଏ ତ ଏତେ ଅର୍ଥପ୍ରାପ୍ତି ପରେ ଈଷା ତାଜଠାରୁ ବି ସୁନ୍ଦର ଏକ ଭବନ ନିର୍ମାଣ କରିଦେବ, ଯାହା ଫଳରେ ତାଜର କୌଣସି ଗୌରବ ରହିବ ନାହିଁ ।’’

 

ମୁହମ୍ମଦ ହନୀଫ କ୍ରୋଧମିଶ୍ରିତ ସ୍ୱରରେ କହିଲା, ‘‘କେଉଁଠି ମଲା ମଣିଷ ବି ଜୀଇଁଛି ? କଳାର ସଜୀବତା ହିଁ ମୁମତାଜର ସଜୀବତା; କିଏ କହୁଛି ତା’ଜ ସଜୀବ କଳାର ପ୍ରତିନିଧିତ୍ୱ କରୁନାହିଁ ?’’

 

ମାତ୍ର ଇଷା କେବଳ ମାତ୍ର ତାଜକୁ ନିର୍ନିମେଷ ଆଖିରେ ଦେଖୁଥିଲା । ତା’ର ସାଥୀ ଯେ ମନ୍ତବ୍ୟ ପ୍ରକାଶ କରୁଥିଲେ, ତାକୁ ଶୁଣିବାର ଧୈର୍ଯ୍ୟ ନ ଥିଲା ତା’ର । ଯେତେବେଳେ ଶାହଜହାଁ ତାଜର ନମୁନା ଦେଖିସାରି ପ୍ରତିଶ୍ରୁତି ଚାହିଁଥିଲା ଯେ ସେଥିରେ ତାକୁ ମୁମତାଜ ଜୀବନ୍ତ ଦେଖାଯିବା ଉଚିତ; ସେତେବେଳେ ସେ ତ କେବଳ ମାତ୍ର କଳାର ସଜୀବତା ଅର୍ଥରେ ତାହା ଗ୍ରହଣ କରି ନ ଥିଲା । ତା’ର ବିଶ୍ୱାସ ଥିଲା ଯେ ଅପୂର୍ବ କଳ୍ପନା ସାକର ହେବା ପରେ ମୁମତାଜ ସମ୍ରାଟ ଆଖିରେ ଜୀବନ୍ତ ହୋଇ ଉଠିବ ନାହିଁ, ଏହା ଅସମ୍ଭବ !

 

ନୀରବ ନିଶ୍ଚଳ ଈଷା କିଛି ସମୟ ପରେ ଚଳମାନ ହେଲା । ଶୀରାଜର ଅମାନତ୍‌ଖାଁକୁ ପାଖକୁ ଡାକି ବ୍ୟଥାର୍ଦ୍ର କଣ୍ଠରେ କହିଲା, ‘‘ଆମମାନଙ୍କର ଫେରିବାର ଆୟୋଜନ କର । ମୁଁ ଚଞ୍ଚଳ ଫେରିଯିବାକୁ ଚାହୁଁଛି । ଅନୁଭବ କରୁଛି, ମୁଁ ବେଶି ଦିନ ବଞ୍ଚିରହିବି ନାଇଁ । ଚାହୁଁଛି, ମୁଁ ମୋର ଜନ୍ମମାଟିର ଶେଷ ନିଶ୍ୱାସ ତ୍ୟାଗ କରିବି । ସମସ୍ତଙ୍କୁ କହିଦିଅ, ଆମେ ସଭିଏଁ ଏଠାରୁ କାଲି ସକାଲେ ଚାଲିଯିବା ।’’

 

‘‘କିନ୍ତୁ ଆମେ ଯେ ଆମର ଶେଷ ମାସର ଦରମା ସୁଦ୍ଧା ଏ ପର୍ଯ୍ୟନ୍ତ ପାଇନାହୁଁ ।’’

 

ଈଷା ଉତ୍ତର ଦେଲା–

 

‘‘କଳାର କୌଣସି ମୂଲ୍ୟ ନାହିଁ ଅମାନତ୍‌। ଆମର ଯେତେ ଆଦର ସତ୍‌କାର କରିବା କଥା, ସେତକ ବାଦଶାହ କରି ସାରିଲେଣି । ଆଉ ବିଶେଷ କିଛି ଦେବାକୁ କଷ୍ଟ ହେବ ତାଙ୍କୁ । ଆମେମାନେ ତ ଦେଇଥିବା ପ୍ରତିଶ୍ରୁତି ରଖିପାରିଲେ ନାହିଁ ।’’ ଆପଣା କଥାକୁ ନିଜେ ଅବିଶ୍ୱାସ କରି ଈଷା ପୁଣି ଥରେ ତାଜକୁ ଦେଖିଲା । ...ଦୀର୍ଘ ନିଶ୍ୱାସ ତ୍ୟାଗକରି କହିଲା–

‘‘ତା’ ଠାରୁ ଆଉ ଅଧିକା କିଛି ନେବାର ଅଧିକାର ଆମର ନାହିଁ । ଯେତେ ମିଳିଛି, ସେତିକିରେ ସନ୍ତୁଷ୍ଟ ହେବା ଭଲ !’’

ସମସ୍ତ କଳାକାର ନିଜ ନିଜକୁ, ଜଣେ ଅନ୍ୟଠାରୁ ଅଭିନ୍ନ ବୋଲି ଭାବୁଥିଲେ । ଭ୍ରାତୃଭାବ ଥିଲା ସେମାନଙ୍କ ଭିତରେ; ଜଣେ ଅନ୍ୟ ଉପରେ ଆତ୍ମିକ ନିର୍ଭରଶୀଳ ଥିଲା । ସମସ୍ତେ ଈଷାର ଭାବର ଆଦର କଲେ, ସମ୍ମତ ହେଲେ । ଈରାନ୍‌, ତୁର୍କୀସ୍ଥାନ ଆଦି ଉତ୍ତର-ପଶ୍ଚିମୀ ଦେଶର ଅଧିବାସୀ କାରିଗରଙ୍କୁ ନେଇ ଯାତ୍ରାର ଆୟୋଜନ ହେବାକୁ ଲାଗିଲା । ସାରା ମୁମତାଜାବାଦ୍‌ ଏଇ ଆୟୋଜନ ହେତୁ ମୁଖର ହୋଇ ଉଠିଲା ।

ପ୍ରଭାତ ହେଲା । ପ୍ରଦୋଷର ପ୍ରଥମ ପାଟଳ କିରଣ ପୃଥିବୀରେ ଅଭିନନ୍ଦନ ଜଣାଇ ସ୍ୱାଗତ କଲା । ଦୀର୍ଘ ପ୍ରସ୍ଥାନକାରୀ ଶିଳ୍ପୀଦଳ ତାଜ ସଦର ଦରଜାରେ ସମବେତ ହେଲେ । ସଦର ଦରଜା ସେତେବେଳେ ପର୍ଯ୍ୟନ୍ତ ବନ୍ଦଥିଲା, ଆଉ ତା’ର ସୁରକ୍ଷାରେ ଥିବା ରକ୍ଷାକାରୀ ଦ୍ୱାରପାଳ କୌଣସି ଏକ କ୍ଷୀଣକାୟା ଶୀର୍ଣ୍ଣା ବୃଦ୍ଧା ସହିତ ବାକ୍ୟବିନିମୟ କରୁଥିଲା । ସମ୍ଭବତଃ, ତା’ର ବାରଣ କରିବାର ସପକ୍ଷରେ କୌଣସି ଏକ ଯୁକ୍ତିର କିଞ୍ଚିତ୍‌ବିଶଦ ବ୍ୟାଖ୍ୟା କରୁଥିଲା ।

ପ୍ରଭାତର କୋମଳ କିରଣରେ ଉଦ୍‌ଭାସିତ, ଶତଗୁଣରେ ଗୁଣିତ, କମନୀୟତାରେ କମନୀୟ, ଆପଣାର ସର୍ବଶ୍ରେଷ୍ଠ କଳାକୃତିର ଅନ୍ତିମ ଦର୍ଶନ ନିମନ୍ତେ ଓଟରୁ ଅବତରିତ ହେଲା ଈଷା ଅଫନଦୀ । ତା’ର ଅନେକ ସାଥି ତା’ର ସାଥିରେ ଥିଲେ । ତାକୁ ଦେଖି ଦ୍ୱାରରକ୍ଷୀ ବିନମ୍ର ଅଭିବାଦନ ଜଣାଇଲା ଓ ବୃଦ୍ଧାକୁ ଦ୍ୱାରରୁ ଚାଲିଯିବାକୁ ଅନୁନୟ ନିବେଦନ ଜଣାଇଲା । ହେଲେ, କୌଣସିମତେ ବୃଦ୍ଧା ଦ୍ୱାରରକ୍ଷୀର ଅନୁରୋଧର ସମ୍ମତ ହେଲା ନାହିଁ ।

ଈଷା ଧୀର ପଦକ୍ଷେପରେ ଦ୍ୱାରଦେଶକୁ ଆସି ଧୀରେ ଗଳାରେ ପଚାରିଲା–‘‘କଥା କ’ଣ ମା’...କଣ ଚାହୁଁଛୁ ?’’

ବୃଦ୍ଧା ହସ୍ତ ଉତ୍ତୋଳନପୂର୍ବକ ନୟନୋପରି ଛାୟାଦାନ କରି ଈଷାକୁ ଗଭୀର ଦୃଷ୍ଟିରେ ଦେଖିବାକୁ ଲାଗିଲା....କୋମଳ କଣ୍ଠରେ କହିଲା....‘‘ଶୁଣିଛି, ଅରଜୁମଂଦ୍‌ବାନୋ ବେଗମ୍‍ ର କବର ଉପରେ ଅଲ୍ଲାହର ଦୂତମାନେ ଏକ ଭବନ ନିର୍ମାଣ କରିଛନ୍ତି । ବହୁଦୂରରୁ ଦେଖିବି ବୋଲି ଦଉଡ଼ି ଆସିଛି; କିନ୍ତୁ ଏମାନେ ମୋତେ ଦେଖିବାକୁ ଦେବେ ନାହିଁ । ମୋତେ, ଏଇ ବଦରୁନ୍ନିସାକୁ, ଯାହାକୁ ବେଗମ୍‍ ଜୀବନ ଦେଇ ଭଲ ପାଉଥିଲା, ଯେ ତାକୁ ପାଲନାରେ ଝୁଲାଇ, କଥା କୁହାଇ, ଚାଲିବା ଶିଖାଇ ଏଡ଼େରୁ ଏଡ଼େ କଲା, ଆଉ ଯା’ର ଦୁନିଆଁ, ଅଲ୍ଲାହ, ସେଇ ଅରଜୁମଂଦବାନୋକୁ ଉଠେଇ ନେଇ ଶୂନ୍ୟ କରିଦେଲେ । ଦଶ କୋଶରୁ ଚାଲି ଚାଲି ଆସିଛି । ବର୍ତ୍ତମାନ ଇଏ... ।’’

 

ଈଷା ପଚାରିଲା, ‘‘ତା ହେଲେ ତୁ ମଲ୍‌କା ମୁଅଜ୍‌ମା ଅରଜୁମନ୍ଦ ବାନୋଙ୍କର... ।’’

 

‘‘ଆଉ ମୁଁ ଏତେବେଳ ଧରି କଣ କହୁଥିଲି ?’’ ସୁଦ୍ଧା ଆଶ୍ଚର୍ଯ୍ୟ ଚକିତ ଦୃଷ୍ଟିରେ ଦେଖି କହିଲା ।

 

‘‘ଆ, ମୋ’ ସଙ୍ଗର ! ମୁଁ ତୋତେ ଦେଖେଇବି !’’ ଈଷା କହିଲା ।

 

ବୃଦ୍ଧା ତାକୁ ବାରମ୍ୱାର ଆଶୀର୍ବାଦ ଦେଲା । ଅଲ୍ଲାହର ନାମ ଉଚ୍ଚାରଣ କରି ଥରିଲା ଥରିଲା ପାଦ ବଢ଼ାଇ ତା’ସଙ୍ଗରେ ଗଲା । ସଭିଏଁ ଅନୁଭବ କଲେ—ବୃଦ୍ଧା ଥକିଯାଇଛି । ପାଦଠାରୁ ଆଣ୍ଠୁ ପର୍ଯ୍ୟନ୍ତ ପାୟଜାମା ଧୂଳିଧୂସରିତ ହୋଇ ଯାଇଥିଲା ।

 

ଆପଣା କଳାକୃତିରେ ଆପେ ବିଭୋର ଈଷା, ପ୍ରଶଂସା ଅପ୍ରାପ୍ତିର କ୍ଷୋଭରେ ମ୍ରିୟମାଣ କଳାକାର ସବୁରି ଆଗେ ଆଗେ ଥିଲା—ବୃଦ୍ଧାର ବାହାନାରେ ସତେ ଯେପରି ଆପଣାର ପ୍ରିୟତମାକୁ ଉଚ୍ଛ୍ୱସିତ କଣ୍ଠରେ ଆପଣାର କଳାଚାତୁରୀ ଓ ପ୍ରଣୟ ନିବେଦନର ଏକ ସାକାର ବର୍ଣ୍ଣନା କରିଯାଉଥିଲା ।

(ପ୍ରିୟତମା ! ତୁ ଏ କବର ଦେଖିବାକୁ ଆସିଛୁ ! ହେଲେ, ଏ ତ ଏକ କବର ନୁହେଁ । ପ୍ରେମପାଗଳିନୀ କୌଣସି ଏକ କୋମଳାଙ୍ଗୀ, ଶ୍ୱେତାଙ୍ଗୀ ଶୁଭ୍ରବସନା ନାରୀର ମୂର୍ତ୍ତି, ଯା’ର ବସ୍ତ୍ରରେ ଆମେ ଆମର ଭୋଗବୃତ୍ତି ପାଇଁ ମୋତି ମଣି ମାଣିକ୍ୟ ଜଡ଼ିତ କରିଦେଇଛୁଁ । ଆମେ ଏ ମଝିରେ ଜଳାଧାର ନିର୍ମାଣ କରିନୁ—ଏହା ଯେ ଏକ ଦର୍ପଣ, ସେ ମାନିନୀ ନିମନ୍ତେ ରଖିଦେଇଛୁଁ ଯେ ଆପଣାର ରୂପର ଉଦାସିନୀ, ଆଖି ମେଲି କେବଳ ମାତ୍ର ଥରେ ଦେଖୁ ତା’ର ଅପରୂପ ରୂପଶ୍ରୀ....ଥରେ ହସୁ, ମୁକ୍ତା ଝରୁ, ବିଦ୍ୟୁତ୍‌ ଚମକି ଯାଉ, ସୁଗନ୍ଧ ପୁଲକି ଉଠୁ, ଥରେ ମାତ୍ର ବଧୂଲି ଅଧର ତା’ର ସ୍ମିତହାସ୍ୟର ମଧୁର ବିଧୂନନରେ ଧ୍ୱନିତ ହୋଇଉଠୁ !)

ବୃଦ୍ଧା ଅର୍ଦ୍ଧମୁଦ୍ରିତ ନେତ୍ରରେ ସବୁ ନିରେଖି ଦେଖି ଆଗକୁ ଆଗକୁ ବଢ଼ିଯାଉଥିଲା । ସେ ହତଚେତନା ଥିଲା ଯେଉଁପରି; ସତେ ଯେପରି ଈଷାର ପ୍ରତ୍ୟେକ କଥା ଶୁଣିବାକୁ ହୃଦୟ ତା’ର ବ୍ୟାକୁଳ ଥିଲା । ଈଷା କହିଚାଲିଥିଲା-

...କୌଣସି ପ୍ରେମୀର ଗୃହ ଶୂନ୍ୟକରି ଏଇପରି ଏଇଠି ଆମର ହେବାକୁ ତପୋମଗ୍ନା ହୋଇଯାଇଛି । ତା’ର ହାତ ପଥର ପାଲଟି ମୀନାର ହୋଇଯାଇଛି । ଦେଖୁ? ସେଇ ଉତ୍ତୋଳିତ କରର ପ୍ରତ୍ୟେକ ଅଙ୍ଗୁଳି ସ୍ପଷ୍ଟ ଦେଖାଯାଉଛି ! ଟିକିଏ ରହିଯାଅ, ଏଇ ତାପସୀ ଦେବୀର ହୃଦୟମନ୍ଦିରରେ ପ୍ରବେଶ କରିବା ଆଗରୁ ପବିତ୍ର କୋରାନ୍‌ର କିଛି ଅଂଶ ପଢ଼ିନିଅ, ନ ହେଲେ ଅନ୍ୟାୟ ହେବ; ଆଉ ତୁମେ ତା’ର ହୃଦୟ-କଥା, ତା’ର ହୃଦୟର ପବିତ୍ରତାକୁ ବୁଝିପାରିବ ନାହିଁ; ହୃଦୟଙ୍ଗମ କରିପାରିବ ନାହିଁ ।

ବୃଦ୍ଧାର ଥରୁଥିବା ପାଦ ଅକସ୍ମାତ୍‌ ସ୍ଥିରହୋଇ ଦୃଢ଼ ହୋଇଗଲା । ସତେ ଯେପରି ପବନରେ ଭାସି ଭାସି ସେ ତାଜକୁ ପ୍ରତ୍ୟେକ କୋଣରୁ ଦେଖିଯାଉଥିଲା । ଈଷା ଆତ୍ମବିସ୍ମୃତ ହୋଇ, ଆପେ ଆପଣା ଆନନ୍ଦରେ ବିହ୍ୱଳ ହୋଇ କହିଯାଉଥିଲା ।

...ହୃଦୟର ଦୁଇଟି ଭାଗ ପରି ଆମେ ବି ଏ ଲୋଭନୀୟାର ହୃଦୟର ଦୁଇ ଭାଗରେ ବାଣ୍ଟିଦେଇଛୁଁ । ଉପରେ ଥିବା କବର ଏ ଦେବୀର ରୂପ ପ୍ରତି ଉଠୁଥିବା ଅବିଶ୍ୱସନୀୟ ଭାବନାକୁ ଦହନ କରିବାର ଏକ ସାଧନ ମାତ୍ର । ଆଉ ସେଇ ସୁବର୍ଣ୍ଣସଦୃଶ ମୀନାର, କମନୀୟ ଜାଲି ଦେଖୁଛ...ସେ ସବୁ ତା’ର ବିୟୋଗବ୍ୟଥାଜନିତ ଅନ୍ତରର କ୍ଷତ । ପ୍ରଣୟୀବିୟୋଗର ବ୍ୟଥା ହେତୁ ସ୍ପଷ୍ଟ ଅକ୍ଷତ କ୍ଷତ ! ମୂକ ମୌନ ନାରୀର ବେଦନାର୍ଦ୍ର ଦୀର୍ଘଶ୍ୱାସ ଏ ପୃଥିବୀ ଦେଖିପାରେ ନାହିଁ, ଶୁଣିପାରେ ନାହିଁ । ତେଣୁ ସେଇ ଧ୍ୱନିର ପ୍ରତିଧ୍ୱନି ସର୍ଜନା କରିବାକୁ ଆମେ ଏ ଗମ୍ୱୁଜର ସୃଷ୍ଟି କରିଛୁଁ ! ଏହା କେହି ଯଦି ଶୁଣୁଛି ତ ସିଏ ଏଇ ମୂକ ମୌନ ଗମ୍ୱୁଜ... ଏ ଦୀପ ଓ ଧୂପଦାନୀ—ଯେଉଁମାନେ ହୃଦୟରେ ଗଭୀର ଜ୍ୱାଳାଧରି ଦାହର ଜ୍ୱାଳାନୁଭବ କରୁଛନ୍ତି—ତିଳ ତିଳ ଜଳି ଆଲୋକ ବିକୀରଣ କରି, ସୁବାସ ବିତରଣ କରି ନିଃଶେଷ ହୋଇଯାଉଛନ୍ତି...

ଆଶ୍ରୟ ଦେଇ ଈଷା ବୃଦ୍ଧାକୁ ଭିତରକୁ ନେଲା । ଆପଣାର ଜଣେ ସାଥୀ ହାତରେ କର୍ପୂରର ଏକ ବତୀ ଅଣାଇ କବର ପାଖରେ ଜାଳି ନୀରବରେ ଦଣ୍ଡାୟମାନ ହୋଇ ରହିଲା। କେବଳମାତ୍ର ବୃଦ୍ଧା କାନରେ ଧୀରେ ଧୀରେ କହିଲା—ପାଟିକରିବୁ ନାଇଁ, ନିଦ ଭାଙ୍ଗିଯିବ, ଏଠାରେ କେହି ଶୋଇଛି ।

ଏ ଶବ୍ଦ ଶୁଣି ବୃଦ୍ଧାର ସର୍ବାଙ୍ଗରେ ଏକ ଅଭୂତ ଶିହରଣ ଖେଳିଗଲା । ସେ ନିର୍ବାକ୍‌, ନିସ୍ପନ୍ଦ ହୋଇ କବର ଆଡ଼କୁ ଅନାଇ ରହିଲା କେବଳ ।

 

ବାହାରିଆସି ଈଷା ବୃଦ୍ଧାକୁ ବିଭିନ୍ନ କକ୍ଷ ଦେଖାଇବାକୁ ଲାଗିଲା । ସଂକେତ ପାଇ ତା’ର ସବୁ ସାଧୀ ତଳେ ରହିଗଲେ । ତା’ର ବାଣୀ ସତେ ଯେପରି ଲୁପ୍ତ ହୋଇ ଯାଇଥିଲା । ଆପଣାର କଳାର ପ୍ରଶଂସାପୂର୍ଣ୍ଣ ବର୍ଣ୍ଣନାରେ ଆପେ ମୁଗ୍‌ଧ ହୋଇ ସୁଦୂର ଅତୀତର କୌଣସି ଏକ ମଧୁର ସ୍ମୃତିରେ ଡୁବିଯାଇଥିଲା ସେ । କକ୍ଷର ପ୍ରଥମ ପରିକ୍ରମା ପରେ ପରେ ସେ ଅନୁଭବ କଲା, ସେ ଯେପରି ଏକାକୀ ରହିଯାଇଛି, ବୃଦ୍ଧା ନାହିଁ ।

 

ସଚେତ ହୋଇ, ପ୍ରକୃତିସ୍ଥ ହୋଇ ଫେରିଲା ଈଷା । ଦେଖିଲା, ବୃଦ୍ଧା କକ୍ଷର ଠିକ୍‌ ମଧ୍ୟଭାଗରେ ପ୍ରସ୍ତର ମୂର୍ତ୍ତିବତ୍‌ ଠିଆହୋଇ ରହିଛି । —ନିଶ୍ଚଳ; ହେଲେ, ଅଧର ଥରୁଛି, ଧୀର ଅଥଚ ସ୍ପଷ୍ଟକଣ୍ଠରେ ବୃଦ୍ଧା କହୁଛି–

 

‘‘ବାନୋ ! ତୋ’ର ବଦରୁନ୍ନିସାକୁ ଚିହ୍ନିପାରୁନୁ ? ଏଇ କେବଳ ମାତ୍ର କୋଡ଼ିଏ ବରଷ ଭିତରେ କ’ଣ ମୁଁ ସାତ ପର ହୋଇଗଲି ? ମୁଁ ତ ଗୋଟାଏ ମୁହୂର୍ତ୍ତ ପାଇଁ ବି ତୋତେ ଭୁଲିଯାଇନାହିଁ । ହଁ, ଆଜି ସତେ ତ ତୁ ସବୁକିଛି ଧଳାପୋଷାକ ପିନ୍ଧିନେଇଛୁ । ମୋର ମନେଅଛି, ମଣିମାଣିକ୍ୟ, ଅଳଙ୍କାର ଆଭୂଷଣ ତୋତେ ବେଳେବେଳେ ଭଲ ଲାଗେ ନାଇଁ—ଦିନେ ସେପରି ହେଲା ସବୁ ଅଳଙ୍କାର, ସବୁ ରଙ୍ଗୀନ ପୋଷାକ ତୋ ଦେହରୁ ଉତ୍ତାରି ମୁଇଁ ତ ପିନ୍ଧେଇ ଦେଇଛି ଏଇ ବସ୍ତ୍ର—ଏଇ ପରିଚ୍ଛଦ...ଶୁଭ୍ର,...ଶୁକ୍ଳ ।’’

 

ଶବ୍ଦ ଧୀର ଅଥଚ ସ୍ପଷ୍ଟ ଥିଲା । ଈଷା ଆଶ୍ଚର୍ଯ୍ୟଚକିତ ହୋଇ କିଛି କହିବାକୁ ଯାଉଁ ଯାଉଁ ନୀରବ ହୋଇଗଲା । ସେ କେବଳ ବୃଦ୍ଧାକୁ ଅପଲକ ଆଖିରେ ଦେଖୁଥିଲା ଯେ ଆପଣା କଥାରେ ଆତ୍ମହରା ଥିଲା ।

 

‘‘ମୁଁ କଣ ଜାଣେ ତୁ ଏଇଠି ଆସି ବସିଛୁ । ମୁଁ ଦେଖିଲି, ତୁ ଯେତେବେଳେ ମହଲରେ ରହିଲୁ ନାହିଁ, ମୁଁ କିଲା ଛାଡ଼ି ଚାଲିଆସିଲି । କଣ ବା ଭଲ ହେଲା ? ଏ ରୂପ ଲୁଚକାଳି କଣ ଭଲ-? ତୋତେ ମୋ ରାଣ; ମୋ ସାଥିରେ ଯିବୁ ତ ? ....ବାନୋ, ବାନୋ !!’’

 

ହଠାତ୍‌ ଈଷାର ନୟନରେ ବିଦ୍ୟୁତବତ୍‌ ଏକ ଅପୂର୍ବ ଜ୍ୟୋତି ଖେଳିଗଲା । ସେ ସେଇ କକ୍ଷରୁ ଧୀର ପଦକ୍ଷେପରେ ବାହାରି ଆସିଲା । ଦଉଡ଼ି ଦଉଡ଼ି ତଳକୁ ଆସି ଧୀର ଅଥଚ ଆଦେଶପୂର୍ଣ୍ଣ କଣ୍ଠରେ ନିର୍ଦ୍ଦେଶ ଦେଲା—‘‘ଖବରଦାର ! କେହି ଯେପରି ଭିତରକୁ ଯିବେ ନାହିଁ, ବାହାରେ ପହରା ଲଗାଇ ଦିଅ । ଟିକିଏ ବି କଥା ନ ଶୁଭୁ । ମୁଁ ଏଇମାତ୍ର ଫେରିଆସିବି ।’’

 

ଲୋକେ ଦେଖିଲେ ବୃଦ୍ଧ ଈଷା ଦଉଡ଼ି ଦଉଡ଼ି ଯାଉଛି—ଦଉଡ଼ୁ ନାଇଁ ଯେ ସତେ ଯେପରି ଉଡ଼ି ଉଡ଼ି ଯାଉଛି । ଦେଖୁଁ ଦେଖୁଁ ସେ ତାଜର ସଦର ଦରଜା ପାର ହୋଇଗଲା...ବାହାରେ ବନ୍ଧା ହୋଇଥିବା ଘୋଡ଼ା ଖୋଲିନେଲା । କେହି ପଚାରନ୍ତା, ‘‘କଥା କଣ-?’’ ...ସେ ଘୋଡ଼ା ଉପରେ ବସି ସାରିଥିଲା । ଘୋଡ଼ାର ଲଗାମ ଧରି ଦୁଇ ତିନି ଥର ଟଙ୍କାର ଦେବାରେ ଗୋଡ଼ ଟେକି ଠିଆ ହୋଇଗଲା ଘୋଡ଼ାଟି...ପବନ କିଛି ନୁହେଁ—ଆହୁରି ଚଞ୍ଚଳ ଗତିରେ କିଲ୍ଲା ଆଡ଼କୁ ଦଉଡ଼ିବାକୁ ଲାଗିଲା ।

 

କିଲ୍ଲା ଦରଜାରେ ଚିତ୍କାର କଲା ଈଷା—‘‘ଦରଜା ଖୋଲ, ତାଜର କାରିଗର ଈଷା ଆସିଛି ।’’

 

ଦରଜା ଶବ୍ଦାୟିତ ହୋଇ ଈଷାର ସ୍ୱାଗତରେ ଖୋଲିଗଲା । ତୀର ପରି ଛୁଟି ଚାଲିଥିବା ଘୋଡ଼ା ଦ୍ୱାର ପରେ ଦ୍ୱାର, ଅଳିନ୍ଦ ପରେ ଅଳିନ୍ଦ ଅତିକ୍ରମ କରି ଅନ୍ତିମ ଦ୍ୱାରରେ ପହଞ୍ଚିଲା...ଈଷା ଚିତ୍‌କାର କଲାଭଳି ଉଚ୍ଚସ୍ୱରରେ କହୁଥିଲା—

 

‘‘ଖବର ଦିଅ ବାଦଶାହ-ସଲାମତ୍‌ଙ୍କୁ, ଈଷା ଆସିଛି । କହ, ତାଜମହଲରେ ମଲ୍‌କା-ମୁ-ଅଜ୍ଜମା ଜୀବନ୍ତ ଆଗମନ କରିଛନ୍ତି....ଓଃ, ଶହଂଶାହ ମୁହୂର୍ତ୍ତକ ପାଇଁ ବିଳମ୍ୱ କଲେ ବିଏ ଏ ଅପୂର୍ବ ଦୃଶ୍ୟ ସାରା ଜୀବନ ପାଇଁ ଦେଖି ପାରିବେ ନାହିଁ ।’’

 

ସମଗ୍ର କିଲ୍ଲାରେ ରୋମାଞ୍ଚ ଖେଳିଗଲା । ଈଷାର ପ୍ରତିଟି ଶବ୍ଦ ସଠିକ । ଗୋଟାକ ପରେ ଗୋଟାଏ ସନ୍ଦେଶବାହକ ହାତରୁ ଦାସୀ ପର୍ଯ୍ୟନ୍ତ ନିମିଷକର ପହଞ୍ଚିଗଲା । ସମ୍ରାଟ ନମାଜ ପରେ ମନ୍ତ୍ରୀ ସାଦ୍ଦୁଲା ଖାଁକୁ କେତେକ ଅତ୍ୟାବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ ବସିଥିଲେ । ଦାସୀମୁଖରୁ ଏ ସଂବାଦ ଶୁଣି ଆଶ୍ଚର୍ଯ୍ୟଚକିତ ହୋଇ ଠିଆହେଲେ...ମନ୍ତ୍ରୀକୁ ଦେଖିଲେ ଥରେ—ସତେ ଯେପରି ସେଇ ଚକିତ—ଦୀପ୍ତିମନ୍ତ ନେତ୍ରଯୁଗଳ ପଚାରୁଥିଲେ—‘‘କଣ ବା ହୋଇପାରେ କଥାଟି !’’

 

ମନ୍ତ୍ରୀ କହିଲେ—‘‘ଆଲୀଜାହ ! ମୁଁ ତ ପ୍ରଥମରୁ ନିବେଦନ କରିଛି କି ଏ ଯାଦୁଗର ସଂଗତରାଶ୍‌ ନାମରେ ପ୍ରସିଦ୍ଧ, ବିଳମ୍ୱ କରନ୍ତୁ ନାହିଁ !’’

 

ଶାହଜହାଁ ଦ୍ରତପଦରେ ବାହାରକୁ ବାହାରି ଆସିଲେ । ଗଭୀର ଉତ୍‌କଣ୍ଠାରେ ପ୍ରତୀକ୍ଷା କରୁଥିବା ଈଷା ବାଦଶାହଙ୍କୁ ଦେଖିବା ମାତ୍ରକେ କୌଣସି ବାକ୍ୟବ୍ୟୟ ନ କରି ଘୋଡ଼ା ଝପଟାଇ ତାଜ ଆଡ଼କୁ ଦଉଡ଼ିବାକୁ ଲାଗିଲା—ଭୁଲିଯାଇଥିଲା ଅନ୍ତତଃ ଅଭିବାଦନ କରି ମୁଣ୍ଡ ନୁଆଇଁ ଦେବାକୁ । ସର୍ବାଗ୍ରେ ଈଷା, ପଛେ ପଛେ ଶାହଜାହାଁ—ପଛରେ ଅଙ୍ଗରକ୍ଷୀଦଳ ଗୋଟାକ ପରେ ଗୋଟାଏ ତାଜମହଲରେ ପହଞ୍ଚିଲେ ।

 

ସେଇପରି, ଠିକ୍‌ ସେଇପରି ଥିଲା ତ ତାଜ ।...ବାଦଶାହ ସଲାମତ୍‌ଙ୍କୁ ଦେଖି ପ୍ରତ୍ୟେକ ବ୍ୟକ୍ତି ନଇଁ ଯାଉଥିଲା । ତାଜର ସଦର ଦରଜା ପାରି ହୋଇ ଶାହଜହାଁ ସତୃଷ୍ଣ ନୟନରେ ଥରେ ତାଜମହଲକୁ ଦେଖିଲେଈଷାର ପଛେ ପଛେ ଅନୁଧାବନ କଲେ । —କିଛି ପଚାରିଲା ଈଷା, ତା’ର ସାଥୀଙ୍କୁ । ସମ୍ରାଟଙ୍କୁ କହିଲା—‘‘ଏଇଠାରେ ସମସ୍ତଙ୍କୁ ଛାଡ଼ି, ବାଦଶାହ ସଲାମତ୍‌ ମୋ ସାଥୀରେ ନୀରବରେ ଚାଲନ୍ତୁ ।’’

 

ସମସ୍ତେ ପଛରେ ରହିଗଲେ । .....ଈଷା ଓ ସମ୍ରାଟ ଧୀରେ ଧୀରେ କକ୍ଷ ମଧ୍ୟରେ ପ୍ରବେଶ କଲେ—ଧୀରେ ଧୀରେ—ସନ୍‌ସନ୍‌ ପବନ ଜାଲିଦାର ଝରକାର ରନ୍ଧ୍ରରେ ବାଜି ଏକ ସଙ୍ଗୀତର ଲୟବଦ୍ଧ ସ୍ୱର ସର୍ଜ୍ଜନା କରୁଥିଲା । ସେ ସ୍ୱରରେ ବି ଥିଲା ବିଚିତ୍ର ଗାମ୍ଭୀର୍ଯ୍ୟ, ଅତି ବିଚିତ୍ର ପ୍ରଶାନ୍ତତା...

 

ବୃଦ୍ଧା ଠିକ୍‍ ସେହିପରି ଠିଆହୋଇଥିଲା—ନିଶ୍ଚଳ, ନୀରବ, ନିସ୍ପନ୍ଦ । ସେ ଠିକ ସେଇ କାରୁକାର୍ଯ୍ୟପୂର୍ଣ୍ଣ ବାତାୟନ ଆଡ଼କୁ ଏକ ଲୟରେ ଚାହିଁଥିଲା । ଈଷା ଓଠ ଉପରେ ହାତରଖି ଅତି ଧୀର ଗଳାରେ କହିଲା—‘‘ଜହାଁପନାହ ! ଏ ବୃଦ୍ଧାକୁ ଜାଣନ୍ତି ?’’

ଶାହଜହାଁ ହଠାତ୍‌ କହିଲେ—

‘‘ହଁ, ଏ ତ ବଦରୁନ୍ନିସା ! ଜାଣିବି ନାଇଁ କେଉଁପରି ? କିନ୍ତୁ, କେତେ ବଦଳି ଯାଇଛି ।’’

କିଛି ସମୟ ପାଇଁ ବଦରୁନ୍ନିସାକୁ ଦେଖି ସମ୍ରାଟ ପଚାରିଲେ—

‘‘କିନ୍ତୁ ବାନୋ ! ...ତୁମେ ଯେ ତା’ର କଥା କହୁଥିଲ ?’’

ଏଇ ବୃଦ୍ଧାକୁ ପଚାରନ୍ତୁ ଆଲୀଜାହ ! ଏଇ ତ ସାମ୍ରାଜ୍ଞୀ ସହିତ ବର୍ତ୍ତମାନ କଥା ହେଉଥିଲା ।

ଶାହଜହାଁ ଚକିତ ହେଲେ—ଆଶ୍ଚର୍ଯ୍ୟପୂର୍ଣ୍ଣ କଣ୍ଠରେ ସାମାନ୍ୟ ଉଚ୍ଚ ଗଳାରେ ପଚାରିଲେ—

‘‘ଖାନମ୍‌ ! ତୁ ଦେଖିଛୁ ବାନୋକୁ ?’’

ବୃଦ୍ଧା ଏ ପ୍ରଶ୍ନର କୌରସି ଉତ୍ତର ଦେଲା ନାହିଁ । ସମ୍ରାଟ ଆହୁରି ଗଢ଼ାଗଳାର ଏହା ପୁନରାୟ ପଚାରିଲେ । ହେଲେ, ସେ ସ୍ୱର ଜାଲି ଦେଇ ବାହାରେ ପବନରେ ତରଙ୍ଗ ରଚି ମିଳେଇଗଲା । ସମ୍ରାଟ ପ୍ରଶ୍ନସୂଚକ ଦୃଷ୍ଟିରେ ଦେଖିଲେ ଈଷାକୁ—ଈଷା କିଛି କହିଲା ନାହିଁ । ହେଲେ, ତା’ର ନିରୀହ ଆଖି ଦୁଇଟି ସମ୍ରାଟଙ୍କୁ ପୁନରାୟ ପ୍ରଶ୍ନ କରିବାକୁ ଅନୁରୋଧ କଲେ ହୁଏ ତ-!

ଶାହଜହାଁ ଆଗକୁ ବଢ଼ିଗଲେ—ପୁନରାୟ ସେହି ପ୍ରଶ୍ନ କଲେ—ଉତ୍ତର କିନ୍ତୁ ପାଇଲେ ନାହିଁ । ଭାବିଲେ, ବୃଦ୍ଧାର ସ୍କନ୍ଧରେ ହାତ ଦେଇ ତାକୁ ପ୍ରକୃତିସ୍ଥା କରିଦେବେ । କିନ୍ତୁ କରସ୍ପର୍ଶ ପାଇ ଅତ୍ୟନ୍ତ ସୂକ୍ଷ୍ମ ସନ୍ତୁଳନରେ ଆଧାରିତ ଓ ସ୍ଥାପିତ ହୋଇଥିବା ଏକ କାଷ୍ଠପ୍ରତିମା ପରି ବୃଦ୍ଧାର ଅଚେତ ଶରୀର ତଳେ ପଡ଼ିଗଲା । ହେଲେ, ତା’ର ଭାବମୁଦ୍ରା ପୂର୍ବବତ୍‌ ଅପରିବର୍ତ୍ତିତ ଥିଲା । ନୟନବେନିରେ ସେଇପରି ଚକିତ ଦୃଷ୍ଟି ଥିଲା ଯେଉଁପରି । ଚଞ୍ଚଳ ପାଦରେ ଆଗକୁ ବଢ଼ିଯାଇ ଈଷା ବୃଦ୍ଧାର ନାଡ଼ ପରୀକ୍ଷା କଲା ।

ଶାହଜହାଁ ବେଦନାପୂର୍ଣ୍ଣ କଣ୍ଠରେ ଚିତ୍କାର କଲେ–

‘‘ବାନୋ ! ବାନୋ !! –ଈଷା ! ବାନୋ କାହିଁ ?’’

ତୁମେ ମୋତେ କହିଥିଲ—ବାନୋ ଏଇଠି ଅଛି । କିନ୍ତୁ କାହିଁ ?’’

ବୃଦ୍ଧାର ହାତ ଧୀରେ ଧୀରେ ତଳେ ରଖିଦେଇ ଧୀରେ ଧୀରେ ଠିଆହେଲା ଈଷା । ଅତ୍ୟନ୍ତ ଶାନ୍ତ, ଗର୍ବୋନ୍ନତ କଳାକାର ଗୌରବର ପରିପୂର୍ଣ୍ଣ ଚକ୍ଷୁରେ ଦେଖିଲା ସମ୍ରାଟଙ୍କୁ ଓ ନିତାନ୍ତ ମପାଚୁପା ଶବ୍ଦରେ କହିଲା ସେ...

‘‘ଜହାଁପନାହ ! ବାନୋ ଆପଣଙ୍କର ଏ ତାଜର ପ୍ରତିଟି ପଥରରେ, ପ୍ରତିଟି ଫୁଲରେ, ପ୍ରତି କୋଣରେ ଜୀବିତ ଅଛି । ତାକୁ ସିଏ ଦେଖିବ ସିନା ଯା’ର ପ୍ରାଣରେ ତା’ ପ୍ରତି ଅତୁଟ ଓ ପବିତ୍ର ପ୍ରେମର ଧାରା ପ୍ରବହମାନ । ଯା’ର ହୃଦୟରେ ସେ ଧାରା ପ୍ରବାହିତ ଥିଲା, ସିଏ ଦେଖିଛି–କଥା ହୋଇଛି । ଖାଲି ସେତିକି ନୁହେଁ, ଦୀର୍ଘ କୋଡ଼ିଏ ବର୍ଷର ବିଚ୍ଛେଦ ପରେ ମିଳିଥିବା ଅଳିକ ସାନ୍ନିଧ୍ୟକୁ ଅତି ଆପଣାର, ଏକାନ୍ତ ନିଜର କରିନେବାକୁ ଆପେ ଆପଣାଛାଏଁ ମିଳେଇ ଯାଇ ତା’ସାଥୀରେ ଏକ ଓ ଅଭିନ୍ନ ହୋଇଯାଇଛି । ଯେଉଁ କୋଡ଼ିଏ ବର୍ଷ ଭିତରେ ଆଲୀଜାହ ତାସକନ୍ଦ୍‌, ସମରକନ୍ଦ୍‌, ତୁର୍କ, ଇରାନ୍‌ଗୋଟାକ ପରେ ଗୋଟାଏ ଜୟ କରିଛନ୍ତି, ରକ୍ତର ବନ୍ୟା ଛୁଟିଛି–ପ୍ରେମର ପ୍ଳାବନ ମରିଯାଇଛି—ହଜିଯାଇଛି—ନୀରସ ହୋଇଯାଇଛି ।

‘‘ହୋଇପାରେ ସେଇ ହୁଏ ତ ସେଇ ପ୍ରୀତିର ଅପ୍ରତିମ ପ୍ରତିମାକୁ ମନରୁ ପୋଛି ଦେଇଛି— ।’’

ଶାନ୍ତ ହେଲା ଈଷା ।

କହିଲା–

‘‘ଆଗାମୀ ଇତିହାସ ହୁଏତ କହିବ ଈଷାର ଅପରାଧର କଥା ଓ କାହାଣୀ—’’

ଅପଲକ ଆଖିରେ—ଏକ ନିରୀହ ଚାହାଣୀରେ ସମ୍ରାଟ ଶିଳ୍ପୀର ମୁହଁକୁ ଦେଖୁଥିଲେ ।

—କହନ୍ତି ଈଷାକୁ ଅନେକ ପୁରସ୍କାର ମିଳିଲା—ହୁଏ ତ ସେ ପୁରସ୍କାର ଏତେ ନୁହେଁ ଯେଉଁଥିରେ କି ଏକ ତାଜମହଲ ନିର୍ମାଣ କରାଯାଇ ପାରିବ, ହୁଏ ତ ତୁର୍କିସ୍ଥାନ ପହଞ୍ଚିବା ପୂର୍ବରୁ ଈଷାର ମୃତ୍ୟୁ ହୋଇଥିବ—ହେଲେ, ସେ ଦାସୀ, ବାନ୍ଧବୀ ଅଧିକ, ସିଏ ବି ତ ସ୍ମୃତିରେ ଅମର ହୋଇଗଲା । ତାଜର ଦକ୍ଷିଣଦ୍ୱାରର ଡାହାଣ ପଟେ, ମୁମତାଜବାଦ ଆଡ଼କୁ—ଆଜି ବି ତ ସେ ସ୍ମାରକ ରହିଛି, ଯାହା ତାଜର ଅଭିନ୍ନ ଅଙ୍ଗ......

...ମୁଁ ହୁଏ ତ ଘୁମେଇ ପଡ଼ିଥିଲି । ମୋର ଅନତିଦୂରରେ ଟର୍ଚ୍ଚ ଆଲୁଅ ପକାଇ ବିନମ୍ର କଣ୍ଠରେ ଦରୁଆନ କହୁଥିଲା...

‘‘ଡାକ୍ଟର୍‌ ସା’ବ ! ଇଜାବତ୍‌ ଦେଁ ତୋ ଅର୍ଜ କରୁଁକି ରାତ୍‌ ବହୁତ୍‌ହୋ ଗୟୀ ହୈ !’’

ମୁଁ ହାତର ଘଡ଼ିରେ ଦେଖିଲି–ଏଗାରଟା ପାଖାପାଖି ! ଉଠି ଠିଆହେଲି...ଧୀର ପଦକ୍ଷେପରେ ବାହାରି ଆସୁଥିଲି ବାହାରକୁ–ସତେ ଯେପରି କିଏ କୋମଳ କଣ୍ଠରେ କହୁଥିଲା–

‘‘ମୋ ସୁଯୋଗ ନେଇ ତୁମେ ଉପଲକ୍ଷ୍ୟ କଲ ସିନା ମୋରେ

ତୁମରି ପ୍ରକାଶ ପାଇଁ, ରଖି ମୋତେ ଚିର ନେପଥ୍ୟରେ ।

ପ୍ରଚାର ଫଳକ ପରି ଘୋଷିବାକୁ ତୁମ କୀର୍ତ୍ତିଲିପି

ଶବ ପରେ ଗଢ଼ିଲେ ମୋ ହେମ ଚୂଡ଼ା ତୁମରି ଶିଳିପୀ !

ମଣିମୁକ୍ତା ମାଣିକ୍ୟରେ ତୋଳାଇଲେ ବିରାଟ ମନ୍ଦିର

ଶିଳାର କଠିନ ଦେହେ ଖୋଳାଇଲ ସ୍ତବ ଯେ ରାଣୀର !

କିନ୍ତୁ ମହାରାଜ !

ମଣିମୁକ୍ତା. ହେମ ଅଛି; ନାଇଁ ତହିଁ ନାରୀ ମମତାଜ !!

 

ସେଦିନ ଆଉ ବେଳ ନ ଥିଲା, କଲ୍ୟାଣୀ ପାଇଁ ତାଜମହଲର ନମୁନା କିଣିବାକୁ । ...ଘରକୁ ଫେରି ସତେ ଯେପରି ମୋର ଅନ୍ତର ତଳେ ଭରିଗଲା କବିତ୍ୱ, ଲେଖି ବସିଲି–

 

କେହି ତ ଜାଣେ ନି ଶିଳ୍ପୀ !

ରୂପର ଗୋପନ ମର୍ମ ତମରି ନୟନେ .

ବିଧୂର ମୂର୍ଚ୍ଛନା ତଳେ କଳ୍ପନାର

ଅଭେଦ ଆଗ୍ରହେ

ସାକାର ହୋଇଲା ତବ ପ୍ରିୟାର ସପନେ

ଈଷା ଅଫନଦୀ,

ଚିରନ୍ତନ ପ୍ରିୟା ପାଇଁ ଶ୍ରେଷ୍ଠ ଚଉପଦୀ,

କଳକଳ ଛଳଛଳ ଯୁମନାର ଜଳ

ଅଥବା ଅମ୍ଳାନ କାନ୍ତ

ଏ ମର୍ମର ପାଷାଣର ଫୁଲ ।

 

ଘରକୁ ଫେରିଲି । ଖୁବ୍‌ ଇଚ୍ଛାହେଲା, ଫେରିବା ବାଟରେ ତାଜମହଲର ଚମତ୍କାର ନମୁନାଟିଏ କିଣି ନେବାକୁ । ସବୁ ବନ୍ଦ ହୋଇ ସାରିଥିଲା । ....ଫେରିଲି ।

 

ବୁବୁର ହସିଲା ହସିଲା ମୁହଁ, ସଜଳ ସରଳ ଦୁଇଟି ଭସାଣିଆ ମନୋଲୋଭା ଆଖି, ଫରୁ ଫୁରୁ ଅଲରା ବାଳ...ଆଖି ଆଗରେ ନାଚିଗଲା । ସେଇ ମୋର ଆତ୍ମଜ !

 

ମୁଁ ମନେକଲି ନନାଙ୍କ କଥା । ବିଶେଷ କିଛି ନୁହେଁ । ବିଶେଷ କିଛି ଐଶ୍ୱର୍ଯ୍ୟ ବୋଲି କହିବା ଭଳି ଉପଭୋଗ ତ ଜୀବନରେ କେବେହେଲେ କରିନାହିଁ, କିମ୍ୱା ଅଭାବ ବୋଲି କିଛି ଗୋଟାଏର ଅନୁଭବ ବି ତ ଏ ପ୍ରାଣକୁ ସ୍ପର୍ଶ କରିନାଇଁ । ହେଲେ, ଚିନ୍ତାହୀନତାରେ ପରିପୂର୍ଣ୍ଣ ଜୀବନ ଓ ଚିନ୍ତାପୂର୍ଣ୍ଣ ଜୀବନ ଭିତରେ ପାର୍ଥକ୍ୟ ଅନେକଟା । ସତରେ କ’ଣ ଏ ସଂସାର, ସାଂସାରିକ ସକଳ ଜଞ୍ଜାଳର ବିସ୍ତୀର୍ଣ୍ଣତାକୁ ଉପଭୋଗର ରୂପରେ ରୂପାନ୍ତରିତ କରିବାର ସାମର୍ଥ୍ୟ ମୋର ଅଛି...ଏଇ ଭାବ ଜାଗରିତ ହୋଇଥିଲା ତ ? ଧୀରେ ଧୀରେ ଏ ଜୀବନ, ଏ ଜୀବନର ସଙ୍ଘର୍ଷ, ଏ ଜୀବନର ପ୍ରୀତିପ୍ରଦତା ଓ ଗ୍ଳାନି, ଏ ଜୀବନର ସାମୁହିକ ପ୍ରତିକୂଳତା, ଅନୁକୂଳତା ସକଳ ସ୍ୱାଦ୍ୟ ଅସ୍ୱାଦ୍ୟକୁ ସମାନ ଭାବରେ ଗ୍ରହଣ କରିନେବାର କ୍ଷମତା-କ୍ଷମତା ନୁହେଁ ତ ଅଭ୍ୟାସରେ ପରିଣତ ହୋଇଗଲାଣି । ହେଲେ, ସେ ଜୀବନ ସତରେ କଣ ଆସିବ ଆଉ ଥରେ ?

 

ହଁ, ମୁଁ ବି ବର୍ତ୍ତମାନ ପିତା । ଆପେ ଓଦାରେ ଶୋଇ ଶୁଖିଲାରେ ଶୁଆଇବାର ଆନ୍ତରିକତା—ହୃଦୟତା ମୋର ବି ଅଛି । କେତେ ଶ୍ରଦ୍ଧା, କେତେ ସ୍ନେହ, କେତେ ଆଦର, କେତେ ଉତ୍‌କଣ୍ଠା ଭିତରେ ମୁଁ ପାଳନ କରୁନାହିଁ । ହୁଏ ତ ସବୁ ପିତା ସମାନ । ମୁଁ ଜୀବନରେ ଥରେ ଭାବିଲା ପରି ମୋର ପୁତ୍ର ସେଇ କଥା ଭାବିବ ତ ଯେ ଜୀବନ ଓ ଜୀବନର ଜଞ୍ଜାଳ ତୁଲାଇବା ସତେ କ’ଣ ସମ୍ଭବ ?

 

ସିଏ ବହୁବାର ଚାହିଁଥିଲେ ହେଁ ଯେ କୌଣସି କାରଣରୁ ହେଉ ନା କାହିଁକି ତାଜମହଲର ନମୁନାଟିଏ ଦେବା ଯଦି ସମ୍ଭବପର ହୋଇନାହିଁ, ମୁଁ କଣ ତା’ ପାଇଁ ତାଜମହଲ ନିର୍ମାଣ କରିପାରିବି ? ନୁହେ । ତେବେ ମୋର ପ୍ରଣୟର ମୂଲ୍ୟ କଣ ? ଭାବିଲେ କେତେ ନ୍ୟୂନ ବୋଲି ମନେ ହେଉନାଇଁ ! ମୁଁ କିନ୍ତୁ ସ୍ୱୀକାର ତ କରିପାରିବି ନାଇଁ । ମୋର ହୃଦୟ ତ ସ୍ୱୀକାର କରିପାରିବ ନାଇଁ, ଯିଏ ପରିପୂର୍ଣ୍ଣ ପ୍ରଣୟ ଦେଇଛି ।

 

ଆଗ୍ରା ଦୁର୍ଗର ସେଇ ଗମ୍ୱୁଜ, ଅଧୁନା ଅବରୁଦ୍ଧ ବାତାୟନ ହୁଏ ତ ସେଦିନ ଗୋଟାଏ ପଲକ ପାଇଁ ବି ମୁକ୍ତ ରହିବାକୁ ବଞ୍ଚିତ ହୋଇ ନ ଥିବ । ଦୁଇଟି ଅଶ୍ରୁସଜଳ ନୟନ ହୁଏ ତ ଶାନ୍ତ-ଅଶାନ୍ତ ଆକାଶର ଗହନ ନୀଳିମାରେ, ରଜତଶୁଭ୍ର ପୂର୍ଣ୍ଣମୀର ମଧୁର ଜ୍ୟୋତ୍ସ୍ନାରେ, ରୌଦ୍ରସ୍ନାତ ବିଚିତ୍ର ଉଜ୍ଜ୍ୱଳତାରେ, କିମ୍ୱା ଗହନ ଗଭୀର ସୀମାହୀନ ଅନ୍ଧକାର ଭିତରେ ଆବେଗ ଉତ୍‌କଣ୍ଠାରେ ଆପଣାର ବୋଲି କିଛି ଖୋଜି ଖୋଜି ହତାଶ ହୋଇ ନ ଥିବ, ଦୀପ୍ତି ଓ ଦ୍ୟୁତି ସମ୍ପୂର୍ଣ୍ଣ ଲିଭିଯିବା ଯାଏଁ । ବସନ୍ତର ବର୍ଣ୍ଣାଢ଼୍ୟ ମହୋତ୍ସବରେ, ପତ୍ରଝରାର କରୁଣ ନୂତନତାରେ ହୁଏ ତ ଅଥକ, ଅପ୍ରତିହତ ଭାବରେ ଖୋଜିବୁଲିଥିବ ଆପଣାର ପ୍ରୀତିର ପ୍ରତିମାକୁ । ସେଇ ଶାହଜହାଁ ଭାରତର ସମ୍ରାଟ, ଦିଗ୍‌ବିଜୟୀ, ବିଚିତ୍ର ପରାକ୍ରମଶାଳୀ ମହାରାଜ । ଶୀର୍ଣ୍ଣ, ଜରାଜୀର୍ଣ୍ଣ, ଦୁର୍ବଳ ସେଇ ତନୁରେ ହୁଏ ତ ବଞ୍ଚିରହିଥିବ କେବଳ ସେଇ ପ୍ରଣୟୀ,....ସମ୍ରାଟ ନୁହେଁ !

 

ଆଓରଙ୍ଗଜେବ ଘଟନାକ୍ରମରେ ବନ୍ଦୀକରି ସବୁ ଭୋଗର ପାର୍ଥିବ ସାମଗ୍ରୀ ଯୋଗାଇଦେଇ ଯେଉଁ ପୀଡ଼ା ଓ ଯନ୍ତ୍ରଣା ଦେଇଥିଲା, ସମ୍ରାଟ ଶାହଜହାଁଙ୍କୁ ତା’ଠାରୁ ବୋଧହୁଏ ମୃତ୍ୟୁ ଶ୍ରେୟସ୍କର ହୋଇଥାନ୍ତା ।

 

ବିଚିତ୍ର ପ୍ରତିଶୋଧ !

 

ଗୋଟାଏ ଦିଗରେ ଭାରତର ରାଜସିଂହାସନ; ଅନ୍ୟ ଦିଗରେ ହୀରାବାଈର ପ୍ରଣୟ । ଗୋଟାଏ ଆପଣା ପାଇଁ ମନୋନୀତ କରିନେବାର ଆଦେଶରେ ହୀରାବାଈକୁ ସାଗ୍ରହ ମନୋନୀତ କରିନେଇଥିଲା ଆଉରଙ୍ଗଜେବ । ବାହୁର ବିକ୍ରମ, ଆପଣାର ବୁଦ୍ଧି ପ୍ରତି ପ୍ରଗାଢ଼ ଆସ୍ଥା ତା’ମନରେ ହୁଏ ତ ଏହି ବିଶ୍ୱାସ ଦେଇଥିଲା ଯେ ଭାରତର ରାଜ-ସିଂହାସନ କା’ର ଦୟାର ଦାନରୂପେ ଗ୍ରହଣ କରି ଆପଣାର ପରାକ୍ରମକୁ ଅପମାନିତ କରିପାରିବ ନାଇଁ ଆଓରଙ୍ଗଜେବ ।

 

ସେଇ ତ ମମତାଜର ସନ୍ତାନ । ସମ୍ରାଟ ଶାହଜହାଁ ଓ ମମତାଜର ପ୍ରିୟତମ ପୁତ୍ର; ସୌମ୍ୟଦର୍ଶନ, କୃତବିଦ୍ୟ, ପରମ ନିଷ୍ଠାବାନ, ପ୍ରଣୟୀ, ସୌନ୍ଦର୍ଯ୍ୟ-ପିପାସୁ ଆଓରଙ୍ଗଜେବ; ଭାରତର ଭାବୀ ସମ୍ରାଟ...ଅଧୀଶ୍ୱର !

 

କେତେ ପ୍ରାଣବାନ, କେତେ ମଧୁର, କେତେ ରୋମାଞ୍ଚକର ମୁହୂର୍ତ୍ତ ସତରେ ନ ଥିଲା ! ଦାକ୍ଷିଣାତ୍ୟର ରାଜପ୍ରାସାଦର ରସହୀନ ବାତାବରଣ ଭିତରେ ରାଜନୀତି, ଶାସନନୀତି, ବିଭିନ୍ନ ରାଜକୀୟ କୌଶଳ ଅଧ୍ୟୟନ ନିମନ୍ତେ ପ୍ରେରିତ ଯୁବକ-ସମ୍ରାଟ ଆଓରଙ୍ଗଜେବ ମନରେ, ପ୍ରାଣତଳେ କେତେ ପୁଲକ ସତରେ ଜଗାଇ ନ ଥିଲା ସେଇ ନୂପୁରର ଛମ୍‌ ଛମ୍‌ ଶବ୍ଦ । ଛମ୍‌ ଛମ୍‌ ଛମ୍‌...ଛ’ଅମ୍‌ ବହୁବାର ଶୁଣିଲା ସେ । ପ୍ରାସାଦ-ଉଦ୍ୟାନରେ ବହୁ କୁସୁମ-ଗନ୍ଧର ମଧୁରତା ମୁଗ୍‌ଧ, ଗ୍ରୀଷ୍ମ ସଂଧ୍ୟାରେ ଶୀତଳତା ଉପଭୋଗ କରୁଥିବା ଯୁବକ, ଯୌବନୋଚ୍ଛ୍ୱାସ ପରିପୂର୍ଣ୍ଣ ହୃଦୟ ଭାବୀ ଭାରତର ସମ୍ରାଟ ଆଓରଙ୍ଗଜେବ କେତେ ମଧୁର ଭାବରେ ଆପେ ଆପଣାକୁ ହଜାଇ ଦେଲା ନାହିଁ-!

 

ସେଦିନ ସେଇ ଅଳସ ସନ୍ଧ୍ୟାର କମନୀୟତା ଉପଭୋଗ କରି ନୀରବରେ ବସି ଆପେ ଆପଣା ଭାବନାରେ ମଜ୍ଜି ରହିଥିବାବେଳେ ନୂପୁରର ସେଇ ଲୟବଦ୍ଧ ମଧୁର ବିକ୍ୱଣ ଅନାୟାସରେ ତାଙ୍କର ଚିତ୍ତ ଚଞ୍ଚଳ କରି ତୋଳିଲା । ଏଣେତେଣେ ନିରୀକ୍ଷଣ କରି ସେ ଅପରୂପ, ଅପୂର୍ବ ଦୃଶ୍ୟ ଦର୍ଶନରେ କିଞ୍ଚିତ୍‌ ମୁଗ୍‌ଧ, ବିଶେଷ ଆଶ୍ଚର୍ଯ୍ୟ ହେଲେ । କେହି ନବାଙ୍ଗୀ କୁରଙ୍ଗୀଦୃଶା ସତେ ଯେପରି ଲୟ ରଖି, ତାଳବଦ୍ଧ ଗତିରେ, ଛନ୍ଦହୀନ ଛନ୍ଦରେ ନାଚିଯାଉଛି । ମୁକ୍ତ, ନିଃଶଙ୍କ ବନର ଚପଳ-ଛନ୍ଦବତୀ ସାରଙ୍ଗୀ ପରି...ପାର୍ବତୀ ତଟିନୀର ଛଳଛଳ କଳକଳ ଉଚ୍ଛଳ ମଧୁର ଧାରା ପରି ମୁଗ୍‌ଧ ଗତିବତୀ—ଏକାନ୍ତତାରେ ତୃପ୍ତା ମୁଗ୍‌ଧା ଅସଂଯତା ସେଇ ଲାବଣ୍ୟବତୀ ତରୁଣୀ; ବିଚିତ୍ର, ଅଭିନବ ତା’ର ପରିପୂର୍ଣ୍ଣ ଅଙ୍ଗଲତାର ବିଧୂନିତ ଦୋଳନ ସ୍ୱାଭାବିକ ଯୁବକ ପ୍ରାଣରେ କାମନା ଜାଗରିତ କରୁଥିଲା; ରସସଞ୍ଚାର କରୁଥିଲା । ମୁଗ୍‌ଧ, ଅପଳକ, ଆବେଗ ଆକର୍ଷଣପୂର୍ଣ୍ଣ ଦୃଷ୍ଟିରେ ଲତାନ୍ତରାଳରୁ ଦେଖୁଥିଲେ ଆଓରଙ୍ଗଜେବ । ହୁଏ ତ ଏହା ପୂର୍ବରୁ ଏରୂପ-ସୌନ୍ଦର୍ଯ୍ୟର କମନୀୟତା ଦର୍ଶନର ସୌଭାଗ୍ୟ ଆସି ନ ଥିଲା ।

ହଠାତ୍‌ ଚମକି ଥମିଗଲା ତା’ର ବିଧୂନୀତ ପଦଯୁଗଳ । ଚଞ୍ଚଳ ଢଳଢଳ ନୀଳ ନୟନବେନି ଘଡ଼ିକ ପାଇଁ ଅଧିକ ଚଞ୍ଚଳ ହୋଇ ଲଜ୍ଜାନତ ହୋଇ ସ୍ଥିର ହୋଇଗଲେ । ଉନ୍ମୁକ୍ତ ବକ୍ଷଦେଶରେ ଉତ୍ତରୀୟ ଟାଣିନେଇ ଉନ୍ନତ ଉରୋଜଯୁଗଳର ସୁଗଠିତ ଲାବଣ୍ୟକୁ ଲୁଚାଇ ନେବାର ପ୍ରୟାସ ତା’ର ସୌଷ୍ଠବର ଶ୍ରୀବୃଦ୍ଧି କଲା ସିନା, ଆଉରଙ୍ଗଜେବ ଅଧିକ ବିଭୋର ହେଲେ ସିନା, ନେତ୍ର ଟେକି ଦେଖିବାର ସାହସ କରିପାରିଲେ ନାହିଁ । ଆଗରେ ତା’ର, ତା’ର ଅଜ୍ଞାତରେ ଗୋପନରେ ରହି ଏ ରୂପ ଦର୍ଶନର ଚୌର୍ଯ୍ୟାପରାଧ ହେତୁ ଦୋଷୀଟି ପରି ଠିଆହୋଇ ରହିଲେ । ଅନେକ ସମୟରେ ନୀରବତା ପରେ ଧୀରେ ଧୀରେ ସଂଗୃହୀତ ପକ୍ୱଫଳ ଉତ୍ତରୀୟର ଅଞ୍ଚଳରେ ଭରି ସେ ଚାଲିଗଲା । ମୁଗ୍‌ଧ ନୟନରେ ତା’ର ଫେରିବା ପଥକୁ ଅନାଇ ରହିଲେ ଆଓରଙ୍ଗଜେବ-। ତା’ର ନୃତ୍ୟଶୀଳା ଅଙ୍ଗଲତା ଧୀରେ ଧୀରେ ତାଙ୍କର ନେତ୍ରାନ୍ତରାଳକୁ ଚାଲିଗଲା; ମାତ୍ର ପରିଚୟ ତା’ର ତଥାପି ବି ଗୋପନ ରହିଗଲା ଆଓରଙ୍ଗଜେବଙ୍କ ନିକଟରେ । ହୃଦୟ ତଳେ କାମନାର ମନୋଜ୍ଞ ମଧୁର ଅଲିଭା ଅନଳ ଜାଳି, ପ୍ରାପ୍ତିର ବିଚିତ୍ର ଆବେଗମୟ ତୃଷା ଜଗାଇ ଚାଲିଗଲା ସେ ।

ବୋଧହୁଏ ସେଇ ପୁଲକ, ସେଇ ଆବେଗ, ସେଇ ତୃଷା ଓ ପିପାସା ଜାଗିଥିଲା ହୀରାବାଈର ହୃଦୟର । ହେଲେ, କାହିଁ ରାଜନର୍ତ୍ତକୀ ହୀରାବାଈ; କାହିଁ ଭାରତର ଭାବୀ ସମ୍ରାଟ ! ଆକାଶକୁସୁମ ତୋଳିବାର ବ୍ୟର୍ଥପ୍ରୟାସ କାହିଁକି ବା କରିବ ସେ ! କାହିଁକି ବା ସେ କଥାର ଇଚ୍ଛା କରିବ ! ମନେ ମନେ ଆଶାର କାନକୀ ପ୍ରତିମା ଆଙ୍କିଯିବ ଯାହା ପାଇବାର ନୁହେଁ ।

ହେଲେ, ସିଏ କଣ ସତରେ ବୁଝିଲା ଗୋଟାଏ ଆକୁଳ ଅନ୍ତର, ଦୁଇଟି ବ୍ୟାକୁଳ ନୟନ ଠିକ୍‌ ସେଇ ନିର୍ଦ୍ଦିଷ୍ଟ ସମୟରେ ତା’ର ପ୍ରତୀକ୍ଷାରେ, ତା’ର ଦର୍ଶନ ପିପାସାରେ ପ୍ରମତ୍ତ ହୋଇ ଉଦ୍ୟାନର ପ୍ରତ୍ୟେକ କୋଣରେ, ପ୍ରତିଟି ନବକିଶଳୟରେ, ପ୍ରତିଟି ପୁଷ୍ପ ଓ କଳିକାରେ ତାକୁ-ଇ ଖୋଜୁଛି...ତା’ରି ଅନ୍ୱେଷଣରେ ସଜୀବ ହୋଇ ଉଠୁଛି ତା’ର ପ୍ରାଣ ଓ ଅବଶେଷରେ ବ୍ୟଥାର୍ଦ୍ର ହୋଇଉଠୁଛି ହତାଶାରେ !

ଆପଣାକୁ ଦିନେ ରୋକିପାରିଲା ନାଇଁ ହୀରାବାଈ । ମନା ମାନିଲା ନାଇଁ ହୃଦୟ ! ଆପଣା ଛାଏଁ ଆପଣାକୁ ସତେ ଯେପରି ନାନା ଅପରୂପ ଶୋଭା-ସାଜରେ ସଜାଇନେଲା ସେ । ନ ଚାହିଁବି ବହୁପୂର୍ବରୁ ଉଦ୍ୟାନରେ ଉପସ୍ଥିତା ହୀରାବାଈ ବହୁବାର ଚାହିଁ ସୁଦ୍ଧା ଫେରିଆସି ପାରିଲା ନାହିଁ । ନାନା ପାଳିତ-ପକ୍ଷୀର କ୍ରୀଡ଼ା, ଲାଳିତ ପୁଷ୍ପର ରସଆଗ୍ରହୀ ଅଳିକୁଳର ମୁଗ୍‌ଧପ୍ରଣୟ ନିବେଦନକୁ କ୍ରୀଡ଼ାପୂର୍ଣ୍ଣ ନିରୀକ୍ଷଣ କରୁଁ କରୁଁ ମର୍ମର ପ୍ରସ୍ତରନିର୍ମିତ ବେଦୀ ଉପରେ ବକୁଳର କାନ୍ତ ଛାୟାତଳେ ସ୍ୱପ୍ନିଳ ତନ୍ଦ୍ରାରେ ହଜିଗଲା ସେ ।

ଆଓରଙ୍ଗଜେବ ଆସିଲେ । ଦରିଦ୍ର ହଠାତ୍‌ କୋଟି ନିଧି ପାଇଲା ପରି; ଅନ୍ଧ ହଠାତ୍‌ ଚକ୍ଷୁଷ୍ମାନ୍‌ହେଲା ପରି, ଭିଖାରୀ ରାଜରାଜେଶ୍ୱର ହେଲା ପରି ଆନନ୍ଦାତିଶଯ୍ୟରେ ହୀରାବାଈକୁ ଦେଖି ସାଉଁଟି ନେବାକୁ ନଇଁଗଲେ ସେ । ହେଲେ, ସ୍ପର୍ଶ କଲେ ନାହିଁ । ସ୍ପର୍ଶ ନ କରି ବାହୁବେଷ୍ଟନ କରି ଶାୟିତା ହୀରାବାଈର ଯଥାସମ୍ଭବ ପାଖକୁ ନଇଁ ଆସି ବିଭୋର ଆଖିରେ ଦେଖିଲେ ତାକୁ । ଘନକୃଷ୍ଣ ତା’ର ଚୂର୍ଣ୍ଣକୁନ୍ତଳ ଶୀତଳ ପବନର କୋମଳ ସ୍ପର୍ଶରେ ଥରି ଥରି ପୁଲକ ଜଗାଇ ଯାଉଥିବା ସୁବାସ ବିତରଣ କରି ଯାଉଥିବା ଅଝଟ ଅଳକରାଶି । ଆକର୍ଣ୍ଣଲମ୍ୱିତ କମନୀୟ ନୀଳ ଗହନ ଭୁରୁ...କମ୍ପିତ ପଲକ, ତା’ର ବିଧୂନିତ ଅଧର । ହୀରକହାର ମଣ୍ଡିତ ସୁଗଠିତ କୁଚମଣ୍ଡଳ । ଅଙ୍ଗବାସୋପରି ସ୍ୱଚ୍ଛ ଈଷତ୍‌ନୀଳ ଉତ୍ତରୀୟ ତଳେ ନିଶ୍ୱାସ ଶ୍ୱାସରେ ପତିତ-ଉତ୍‌ଥିତ ଦୋଳାୟିତ ବକ୍ଷଶ୍ରୀ । ମୁଗ୍‌ଧ ହୋଇ, ପୁଲକିତ ହୋଇ, ରୋମାଞ୍ଚିତ ହୋଇ ଅପଲକ ଆଖିରେ ଦେଖୁଥିଲେ ଆଓରଙ୍ଗଜେବ...ଶିହରଣ-ଶୀତ୍କାରର ମଧୁର ବ୍ୟଥାରେ ଆତ୍ମବିଭୋର ଆଓରଙ୍ଗଜେବ ଶଙ୍ଖ-ଶୁଭ୍ର ମର୍ମର ପ୍ରତିମାଟି ପରି ଶାୟିତା, କମନୀୟା, ଲୋଭନୀୟା ହୀରାବାଈର ରକ୍ତିମ ଅଧରରେ ଚୁମ୍ୱନ ଦେଲେ ! ଉଷ୍ମ ସ୍ପର୍ଶର ପ୍ରଗଲ୍‌ଭତାରେ ଚମକି ପଡ଼ି ଉଠିଲା ହୀରାବାଈ...ଆପଣାକୁ ଯଥାସମ୍ଭବ ସଂଯତ କରି ଉଠିଲା ସିନା...ବିଶାଳ ବକ୍ଷ, ବିପୁଳ ବାହୁବେଷ୍ଟନର ଆଶ୍ରୟ ବ୍ୟତୀତ ଗତ୍ୟନ୍ତର ନ ଥିଲା । ହେଲେ, ଶାୟିତ ହୋଇ ରହିଥିବା ଯେ ବିଚିତ୍ର ବ୍ରୀଡ଼ାପ୍ରଦ...ଅନ୍ତତଃ ବକ୍ଷର ବିପୁଳତାରେ ଆତ୍ମଗୋପନ କରି ଭାବଗୋପନର ପ୍ରୟାସ କରିହେବ ତ ?

ଆଓରଙ୍ଗଜେବର ବକ୍ଷ ଉପରେ ଆପାତତଃ ଲୋଟିରହି ଧୀର ଗଳାରେ ଅନେକବେଳ ପରେ କହିଲା ହୀରାବାଈ—

‘‘ଏହା କ’ଣ ଶୋଭନୀୟ କୁମାର ! ଭାରତର ଭାବୀସମ୍ରାଟ, ରାଜନର୍ତ୍ତକୀ ହୀରାବାଈ...’’

‘‘ହୀରାବାଈ ! ରାଜନର୍ତ୍ତକୀ !!’’ ଆଶ୍ଚର୍ଯ୍ୟହେଲା ଆଓରଙ୍ଗଜେବ । ‘‘ମୁଁ ତ କେବେହେଲେ ଦେଖିନାହିଁ ଦରବାରରେ...’’

‘‘ଦରବାରକୁ କେବେହେଲେ ମୁଁ ଯାଇନି...’’

‘‘ମୁଁ ପରିଚୟ ତ ପଚାରି ନାଇଁ । ପ୍ରଣୟ ପାଇଁ ଅଧିକାର କ’ଣ ରାଜନର୍ତ୍ତକୀର ନାଇଁ...ରାଜାର ନାହିଁ ?’’

‘‘ଥାଇପାରେ; ହେଲେ, ପ୍ରଣୟ ମୋ ପାଇଁ ବିଳାସ ତ ନୁହେଁ ! ଜନ୍ମଜନ୍ମାନ୍ତର ପବିତ୍ର ବନ୍ଧନ ବ୍ୟତୀତ ପ୍ରଣୟକୁ ଅନ୍ୟ କୌଣସି ଅର୍ଥରେ ଗ୍ରହଣ କରିବା ମୋ ପକ୍ଷରେ ଯେ ସମ୍ଭବ ନୁହେଁ-!’’

‘‘ମୁଁ ବି ତ ଚାହେଁ ନାଇଁ !’’

ଅଶ୍ରୁ ସଜଳ ହୋଇ ଉଠିଥିଲା ହୀରାବାଈର ନୟନବେନି ।

ଏ ପ୍ରଣୟ ଦିନୁଁଦିନ ନିବିଡ଼ରୁ ନିବିଡ଼ତର ହେଲା; ମଧୁରରୁ ମଧୁରତର ହେଲା ।

ବିଶେଷ ଆନନ୍ଦିତ ହେଉଥିଲେ ମାତୁଳ ଅଫଜଲ୍‌ ଖାଁ; ଯେ ହୀରାବାଈକୁ ଆପଣାର କନ୍ୟାରୂପେ ପାଳି, ଆଦର, ସ୍ନେହ ଦେଇ ସନ୍ତାନହୀନତାର ଗଭୀର ବ୍ୟଥା ଭୁଲିଥିଲେ । ହୀରାବାଈ ଭାରତର ସାମ୍ରାଜ୍ଞୀ ହେବ...ରାଜରାଣୀ ହେବ...ତାଙ୍କରି କନ୍ୟା... ! ସେଇ ତ ଭାରତର ଭାବୀ ସମ୍ରାଟର ନିର୍ମାଣ କରୁଛନ୍ତି...ସେଇ ତାଙ୍କର ଗର୍ବ, ଆନନ୍ଦ ଓ ଗୌରବ ।

ସମ୍ରାଟ ଶାହଜହାଁଙ୍କର ପାଖରେ ସଦୈବ ରହି ପ୍ରଥମ ପୁତ୍ର ଦାରା ଜୀବନର ପ୍ରତିଟି ମୁହୂର୍ତ୍ତ ଅସନ୍ତୋଷରେ ବ୍ୟଥିତ କରୁଥିବା ସ୍ୱାଭାବିକ ! ପ୍ରତିଟି କଥାରେ କ୍ଷୋଭର ଅନୁଭବ କରୁଥିବା ନିତାନ୍ତ ସତ୍ୟ । ପ୍ରଥମ ପୁତ୍ର ଭାବରେ ରାଜଗାଦିର ଉତ୍ତରାଧିକାର ତା’ର !

 

ଦ୍ୱିତୀୟ ପୁତ୍ର ସୁଜା—ବଙ୍ଗର ନବାବ୍‌। ତାହା ଏକ ଗୋଲାମୀ ଛଡ଼ା ଆଉ କ’ଣ ହୋଇପାରେ ! କୌଣସି ମୁହୂର୍ତ୍ତରେ ସାମାନ୍ୟ ଏକ ଆଦେଶପତ୍ର ଯେ ତାକୁ ସ୍ଥାନାନ୍ତରିତ କରିବାକୁ ସକ୍ଷମ, ଏଥିରେ ସନ୍ଦହର ଅବକାଶ ନାହିଁ ।

 

ସର୍ବକନିଷ୍ଠ ମୁରାଦ ମନର ଅସନ୍ତୋଷର ଲେଶମାତ୍ର ସ୍ପର୍ଶ ନ ଥିଲା । ସେ ଗୁଜରାଟର ଶାସନଦାୟିତ୍ୱରେ ରହି ସନ୍ତୁଷ୍ଟ ଥିଲା ।

 

ସମ୍ରାଟ ଶାହଜହାଁ ଆଖିରେ ଶ୍ରେଷ୍ଠତ୍ୱର ଅଧିକାରୀ ତୃତୀୟ ପୁତ୍ର ଆଓରଙ୍ଗଜେବ ସବୁ ବିଚାରରେ ଭାରତସମ୍ରାଟ ହେବାର ଯୋଗ୍ୟତାର ମାପକାଠିରେ ଉତ୍ତୀର୍ଣ୍ଣ, ପ୍ରିୟତମ ଥିଲା । ତେଣୁ ହୁଏ ତ ଅନ୍ୟମାନେ ଈର୍ଷାର ଗହନ ଜ୍ୱାଳାରେ ଜଳୁଥିଲେ !

 

ସେଇମାନେ ଦିନେ ଏକତ୍ରିତ ହୋଇ ସମ୍ରାଟ ପର୍ଯ୍ୟନ୍ତ ହୀରାବାଈ ଓ ଆଓରଙ୍ଗଜେବର ପ୍ରଣୟବାର୍ତ୍ତା ପହଞ୍ଚାଇ ଜଣାଇଥିଲେ ଯେ ଭାରତର ଏକଛତ୍ର ଶାସନଭାର ଗ୍ରହଣ କରିବାକୁ ମନୋନୀତ ହୋଇଥିବା ଆଓରଙ୍ଗଜେବ ଉଦ୍ଦିଷ୍ଟ ରାଜନୀତି, ଶାସନନୀତିର ଅଧ୍ୟୟନ ସାଥିରେ ପ୍ରଣୟ-ବିଜ୍ଞାନର ଅଧ୍ୟୟନ ମଧ୍ୟ ଆବଶ୍ୟକ ବୋଲି ହୁଏ ତ ଅନୁଭବ କରିଥିବେ ।

 

ସମ୍ରାଟ ଶାହଜହାଁ ପୁତ୍ରର ଏ କାର୍ଯ୍ୟକୁ ଦାୟିତ୍ୱହୀନତା ଭାବରେ ଗ୍ରହଣ କଲେ !

 

ସେଦିନ ପୂର୍ଣ୍ଣମୀର ମଦିର ନିଶାରେ ଜ୍ୟେତ୍ସ୍ନାସ୍ନାତ ଉଦ୍ୟାନର ମନୋରମ ନୀରବତାରେ ସବୁଜ ଦୁର୍ବାର କୋମଳ ଶେଜରେ ନିବିଡ଼ ଆଶ୍ଳେଷର ମଧୁର ବନ୍ଧନରେ ବହୁବେଳ ବନ୍ଦୀ ରହିଥିଲେ ଆଓରଙ୍ଗଜେବ ଓ ହୀରାବାଈ । ସତେ ଯେପରି ଜୀବନର ସବୁ ସ୍ୱାଦକୁ ଏକ ଓ ଅଭିନ୍ନ ଭାବରେ ଲୁଟିନେବାର ଲୋଭନୀୟ ମୁହୂର୍ତ୍ତରେ ହଜି ରହିଥିଲେ ସେମାନେ ! ହୀରାବାଈର ଉନ୍ମୁକ୍ତ ବକ୍ଷ ଉପରେ ଲୋଟିରହି; କଜଳକଳା ଅଳକ-ରାଶିରେ ସରାଗରେ କର ସଂଚାଳନ କରୁ କରୁ ରକ୍ତିମ ଅଧର କପୋଳ ଓ ଗଣ୍ଡରେ ଆକୁଳ ଚୁମ୍ୱନ ଆଙ୍କି ଆତ୍ମବିଭୋର ଆଓରଙ୍ଗଜେବ, ଆସନ୍ତାକାଲି ପ୍ରଭାତରେ ଦିଲ୍ଲୀଶ୍ୱର ଭାରତସମ୍ରାଟ ଶାହଜହାଁଙ୍କର ଆଦେଶାନୁସାରେ ଦିଲ୍ଲୀଯାତ୍ରାର ପ୍ରାରମ୍ଭ କରୁଥିବାର ସୂଚନା ଦେଲେ । ଅଶ୍ରୁସଜଳ ନେତ୍ରରେ ବିଭୋର ହୋଇ ବିମୁଗ୍‌ଧ ବ୍ୟାକୁଳତାରେ ହୀରାବାଈ ପରିରମ୍ଭର ନିବିଡ଼ ବନ୍ଧନରେ ବାନ୍ଧିରଖିଲା, କିଛି କହିଲା ନାହିଁ । ଆଓରଙ୍ଗଜେବ ସେହି ନୀବର ନିବେଦନରେ, ସେଇ ଆତ୍ମନିବେଦନର ଅବାକ୍‌ ପ୍ରାଚୁର୍ଯ୍ୟରେ ମନେକଲେ—ହୀରାବାଈ ବିଚ୍ଛେଦ ସହନର କ୍ଷମତାହୀନା, ଜୀବନରେ ମୁହୂର୍ତ୍ତକ ପାଇଁ ବି ଅନ୍ତର କରିବାର କ୍ଷମତା ତା’ର ନାହିଁ ।

 

ଯିବାକୁ-ଇ ହେବ ! ରାଜକୀୟ ନିର୍ଦ୍ଦେଶ ପାଳନର ଅବମାନନା କରିବା ଅସଂଭବ ନ ହେଲେ ବି ନିତାନ୍ତ ଅସମୀଚୀନ ହେବ । ବୃଦ୍ଧ ପିତାର ଇଚ୍ଛା—ଜୀବଦ୍ଦଶାରେ ପୁତ୍ରକୁ ଭାରତର ସମ୍ରାଟ ରୂପରେ ଦେଖିବେ ।

 

ହୀରାବାଈର ହୃଦୟ ମାନିଲା ନାହିଁ । ହେଲେ, ସ୍ୱୀକାର କରିନେଲା ଯେ ତା ଠାରୁ ଆଓରଙ୍ଗଜେବ ଦାୟିତ୍ୱ ଯଥେଷ୍ଟ ବେଶି । ହୋଇପାରେ ତା’ପାଖରେ ସେ କେବଳ ମାତ୍ର ଏକ ସ୍ନେହଶୀଳ ପ୍ରଣୟୀ; ମାତ୍ର ସମଗ୍ର ଭାରତବର୍ଷ ପାଇଁ ସେ ଓ ତା’ର ଆବଶ୍ୟକତା କିଞ୍ଚିତ୍‌ ଭିନ୍ନ । ସେଇ ସ୍ନେହ, ସେଇ ଅନୁରାଗର ଉପସ୍ଥିତି ସହିତ ସଂରକ୍ଷଣର କ୍ଷମତାର ଉପସ୍ଥିତି ନିତାନ୍ତ ଆବଶ୍ୟକ । ହୀରାବାଈ କିପରି ଭାବନ୍ତା ଯେ ଆଓରଙ୍ଗଜେବ କେବଳ ମାତ୍ର ତା’ର ଏକଜନୀନ ଅଧିକାରରେ ବାନ୍ଧି ରଖିନେବ ଯା’ର ସାର୍ବଜନୀନ ସ୍ନେହ-ସଂରକ୍ଷଣ ପାଇଁ ସମଗ୍ର ଭାରତବର୍ଷ ଉତ୍କଣ୍ଠିତ !

 

ହୀରାବାଈର ଅଧରରେ ଅଧୀର ଚୁମ୍ୱନର ଅଗଣିତ ଚିତ୍ର ଆଙ୍କି ହସି ହସି ବିଦାୟନେଲେ ଆଉରଙ୍ଗଜେବ । ଆପଣାର ହୀରକ ଅଙ୍ଗୁରୀୟ ଆପଣା ହାତରେ ଆଓରଙ୍ଗଜେବଙ୍କୁ ପିନ୍ଧାଇଦେଇ ଚୁମ୍ୱନର ପ୍ରତିଦାନ ନିବିଡ଼ ଆଶ୍ଳେଷରେ, ଗଭୀର ଅନୁରାଗ ପରିପୂର୍ଣ୍ଣ ଚୁମ୍ୱନରେ ଦେଲା ହୀରାବାଈ । ହୁଏ ତ ତା’ର ଅଙ୍ଗୁରୀୟ ଆଓରଙ୍ଗଜେବଙ୍କର ହୃଦୟ ତଳେ ତା’ର ମଧୁର ସ୍ମୃତିକୁ ପ୍ରାଣବନ୍ତ କରି ରଖିବ । ହୀରାବାଈର ଅଙ୍ଗୁରୀୟକୁ ବହୁବାର ପ୍ରୀତିପୂର୍ଣ୍ଣ ଚକ୍ଷୁରେ ଦେଖିଲେ ଆଓରଙ୍ଗଜେବ ଓ ଆପଣାର କଟି ମଣ୍ଡନ କରିଥିବା ମଣିମୁକ୍ତାଖଚିତ ସୌଖୀନ ଛୁରିକାଟି ହୀରାବାଈ ହାତକୁ ବଢ଼ାଇଦେଲେ ଆଦରରେ...

 

ଆଗାମୀ କାଲି ପ୍ରଦୋଷରୁ ଦିଲ୍ଲୀଯାତ୍ରାର ଆରମ୍ଭ କରିବାକୁ ହେବ । ସମସ୍ତ ଆୟୋଜନ ସରିଯାଇଥିଲା ।

 

ହସି ହସି ବିଦାୟ ଦେଲା ହୀରାବାଈ—ହୀରାବାଈର କାନ୍ଧ ଉପରେ ବାତ୍ସଲ୍ୟମମତାପ୍ଳୁତ ସ୍ପର୍ଶ ଦେଇ ଆନନ୍ଦଉତ୍‌ଫୁଲ୍ଲ ଚିତ୍ତରେ ବିଦାୟ ଦେଲେ ଅଫ୍‌ଜଲ୍‌ ଖାନ୍‌...

 

ସେଇ ତ ହେଲା ବିଦ୍ରୋହର ସୂତ୍ରପାତ । ବିଚିତ୍ର ଭାବରେ ପରିବେଷିତ ଈର୍ଷାର ଜ୍ୱାଳାରେ ଦଗ୍‌ଧ ସମାଚାରରେ କ୍ଷୁବ୍‌ଧ ପିତା ଦିଲ୍ଲୀର ପରିପୂର୍ଣ୍ଣ ଦରବାରରେ ଆଓରଙ୍ଗଜେବକୁ ଭାବୀ ଭାରତସମ୍ରାଟ ଯୋଗ୍ୟ ବ୍ୟବହାର ନଦେଇ ଅପରାଧୀ ପରି ଦଣ୍ଡାୟମାନ ହୋଇଥିବା ଆଓରଙ୍ଗଜେବକୁ ଗୋଟାଏ ଦିଗରେ ଭାରତର ରାଜସିଂହାସନ, ଅନ୍ୟ ଦିଗରେ ହୀରାବାଈର ପ୍ରଣୟ; ଏ ଉଭୟରୁ ଗୋଟାଏ ଆପଣା ପାଇଁ ମନୋନୀତ କରିନେବାକୁ ଆଦେଶ ଦେଲେ । ଆଓରଙ୍ଗଜେବ ସାଦର, ସାଗ୍ରହରେ ହୀରାବାଈକୁ ଗ୍ରହଣ କରିନେଲା । ତା’ର ଆପଣା ବାହୁର ବିକ୍ରମ, ବୁଦ୍ଧି ଓ ସାହସ ପ୍ରତି ପ୍ରଗାଢ଼ ଆସ୍ଥା ତା’ର ପ୍ରାଣ ତଳେ ଏହି ବିଶ୍ୱାସକୁ ସଂଚାର କରିଥିଲା ଯେ ଦିଲ୍ଲୀସିଂହାସନ ଅଧିକାର କରିବାକୁ ତାକୁ ଗୋଟାଏ ମୁହୂର୍ତ୍ତ ବି ଲାଗିବ ନାହିଁ । ତେଣୁ ତାହା କା’ର ଦୟାର ଦାନ ରୂପେ ସେ ଗ୍ରହଣ କରିବେ କେଉଁପରି ? ଦିଲ୍ଲୀର ରାଜଗାଦି ଅଧିକାର କରିବା ଯଦ ସଦ୍‌ଭାବନାରେ ସମ୍ଭବ ହେଲା ନାହିଁ, ତା ହେଲେ ବିଦ୍ରୋହ ହେଉ ତା’ର ସମୀକରଣର ଶ୍ରେଷ୍ଠତମ ପନ୍ଥା—ଏହି ସିଦ୍ଧାନ୍ତ ହଠାତ୍‌ନେଲା ଆଓରଙ୍ଗଜେବ...ଘୋଡ଼ା ଝପଟାଇ ଦାକ୍ଷିଣାତ୍ୟ ପ୍ରତ୍ୟାବର୍ତ୍ତନ କଲା ଆଓରଙ୍ଗଜେବ...

 

...କେବଳ ମାତ୍ର ପ୍ରଣୟ ପାଇଁ, କେବଳ ମାତ୍ର ଏକ ସାଧାରଣ ନାରୀ ପାଇଁ ଭାରତର ରାଜସିଂହାସନ ତୁଚ୍ଛ ମଣିବ ଜଣେ ! ଏ ସମ୍ୱାଦ ପାଇଁ ଆପଣଙ୍କୁ ଧନ୍ୟା ମନେକଲା ହୀରାବାଈ । ଆଉ ବା କଣ ପାଇଥାନ୍ତା ସେ ବିନିମୟରେ ? କେଉଁ ସୌଭାଗ୍ୟ, କେଉଁ ଗୌରବ, କେଉଁ ଐଶ୍ୱର୍ଯ୍ୟ ଓ ଅପବର୍ଗ ପ୍ରଣୟ-ପ୍ରତିଦାନରେ ଏହାଠାରୁ ଅଧିକ ହୋଇଥାନ୍ତା ? ଆପଣାର ହୃଦୟଭରା ପ୍ରଣୟର, ପ୍ରାଣର ସାର୍ଥକ ସ୍ୱପ୍ନର ମନୋହର ସାକାର ରୂପ ଦର୍ଶନରେ ଆତ୍ମବିସ୍ମୃତ, ବିଭୋର, ବିମୁଗ୍‌ଧ ହେଲା ହୀରାବାଈ ! ଦାରା, ସୁଜା ଓ ମୁରାଦ୍‌କୁ କହିଲା...

 

‘‘ଅସମ୍ଭବ, ଏହା କଦାପି ସମ୍ଭବ ହେବ ନାହିଁ । କେବଳ ମାତ୍ର ମୋ ପାଇଁ ଭାରତସମ୍ରାଟ ହେବେ ନାଇଁ ଆଓରଙ୍ଗଜେବ୍‌, ମୁଁ ସହିନେବି କେଉଁପରି ?’’

 

ଆଫଜଲ ଖାନ୍‌ ଏ ସମ୍ୱାଦର ଆଭାସ ପାଇଥିଲେ । ସତ୍ୟତା ସମ୍ୱନ୍ଧରେ ବି ବିଶ୍ୱାସ ଥିଲା ତାଙ୍କର; ମାତ୍ର ତାହା ହୀରାବାଈ ପାଖରେ ପ୍ରକାଶ କରିବା ସମୀଚୀନ ମନେକରି ନ ଥିଲେ । ଭାବିଥିଲେ, ଆଓରଙ୍ଗଜେବ ପ୍ରତ୍ୟାବର୍ତ୍ତନ କରିବା ସଙ୍ଗେ ସଙ୍ଗେ ପରିଣୟର ବ୍ୟବସ୍ଥା କରି ଆଓରଙ୍ଗଜେବଙ୍କୁ ଦାକ୍ଷିଣାତ୍ୟର ଅଧିପତି ବୋଲି ଘୋଷିତ କରି ବିରୋଧର ସମ୍ମୁଖୀନ ହେବେ । ଆପେ ସୈନ୍ୟପରିଚାଳନା କରିବେ, ବିଦ୍ରୋହୀ ହେବେ । ନିଜେ ଥାଉଁ ଥାଉଁ ଅପରିପକ୍ୱ, ଜ୍ଞାନହୀନ ଆଓରଙ୍ଗଜେବଙ୍କୁ ଯୁଦ୍ଧଭୂମିକୁ ଛାଡ଼ିଦେବେ କିପରି ?

 

ଘଟଣା ଏପରି ହେଲା, ଯାହା ଫଳରେ କୌଣସି କଥାର ଆୟୋଜନ ପାଇଁ କାଳାତିପାତ କଲେ ନାହିଁ ଆଫଜଲ୍‌ଖାନ୍‌। ଅବିଳମ୍ୱେ ଯୁଦ୍ଧର ସକଳ ଆୟୋଜନ ହୋଇଗଲା । ଆଓରଙ୍ଗଜେବ ପ୍ରତ୍ୟାବର୍ତ୍ତନ କରି ଆଗ୍ନେୟଗିରି ପରି ଅଗ୍ନିଉଦ୍‌ଗୀରଣ କରୁଥିବା ଆଫଜଲ୍‌ଖାନ୍‌ ଓ ଯୁଦ୍ଧର ଅଭିନବ ସାଜରେ ସଜ୍ଜିତ ଦାକ୍ଷିଣାତ୍ୟକୁ ଦେଖି ବିସ୍ମିତ ହେଲେ...

 

ହୀରାବାଈ ପତ୍ର ଲେଖି ଯାଇଥିଲା...

 

‘‘ପ୍ରାଣ ମୋର !

 

ମୁଁ ଯାଉଛି । ମୋତେ ଖୋଜିବ ନାଇଁ । ମୁଁ ସର୍ବଦା ତୁମରି ପାଖରେ ପାଖରେ ଅଛି; କାରଣ ତୁମକୁ ଛାଡ଼ି ବଞ୍ଚିରହିବା ମୋ ପକ୍ଷରେ ସମ୍ଭବ ନୁହେଁ । ରାଜା ମୋର, ତୁଚ୍ଛ ଏଇ ହୀରାବାଈ ଲାଗି ଭାରତର ରାଜସିଂହାସନ ତ୍ୟାଗକରି ଗୋଟାଏ ପ୍ରଣୟିନୀ ମନରେ ଆନନ୍ଦ ଦେବାର ଆଗ୍ରହରେ ସାରା ଭାରତକୁ ଦୁଃଖୀ କରିବା କ’ଣ ଉଚିତ ? ତୁମେ ଭାରତର ରାଜା ହୁଅ । ଭାରତ ତୁମର ସୁଶାସନରେ ସୁଖୀ ହେଉ, ଏହା ହିଁ ଏକମାତ୍ର ଅଭିଳାଷ ! ଦୁଃଖ କରିବ ନାହିଁ, ମୁଁ ରହିଲି ନାଇଁ ବୋଲି । ମୋର ସ୍ମୃତିକୁ, ଆପଣାକୁ ଭାରତ ପାଇଁ ନିୟୋଜିତ କରି ହୃଦୟ ତଳେ ଜୀବନ୍ତ କରି ରଖିବ ବୋଲି ବିଶ୍ୱାସ କରୁଛି ।

 

-ହୀରାବାଈ-’’

 

ଖାଲି ସେତିକି ନୁହେଁ; ହୀରାବାଈର ମରଦେହକୁ ଠିକ୍‌ ସେହି-ପରି ଭାବରେ ସଂରକ୍ଷିତ କରି ରଖିଥିଲେ ଆଫଜଲ ଖାନ୍‌...ଗାଲିଚା ଉପରେ ନିର୍ଜୀବ ଭାବେ ପଡ଼ିରହିଥିଲା ହୀରାବାଈ...ସମଗ୍ର ଚଟାଣ ଶୋଣିତାକ୍ତ ହୋଇ ଉଠିଥିଲା...ସେଇ ଛୁରି ଆଓରଙ୍ଗଜେବଠାରୁ ଉପହାରରେ ମିଳିଥିବା ମଣିମୁକ୍ତା ମଣ୍ଡିତ ଛୁରିକା...ତା’ଠାରୁ ଆଉ ଅଧିକ ପ୍ରିୟତମ କିଏ ବା ହୋଇଥାନ୍ତା ଏକ ପ୍ରାଣବନ୍ତ ମୃତ୍ୟୁ ନିମନ୍ତେ ! ହୀରାବାଈ ପତ୍ର-ଲେଖି ଆତ୍ମହତ୍ୟା କରିଥିଲା । ଆଓରଙ୍ଗଜେବ ଭାରତର ଭାବୀ ସମ୍ରାଟ ହେବେ—ଏହି ଅନ୍ତିମ କାମନା ଓ ଆଶା ଜ୍ଞାପନ କରି ଆତ୍ମୋତ୍ସର୍ଗ କରିଥିଲା ।

 

ଦୁଇଟି କାମନୀୟ ଶ୍ୟାମଳ ପତ୍ରଶଯ୍ୟାରେ ସଦ୍ୟ ଫୁଟନ୍ତ ଗୋଲାପ ଭଳି, ଗହନ ନୀଳିମ ଆକାଶରେ ଏକାନ୍ତ ଏକ ଲୋଭନୀୟ ତାରା ଭଳି, ଶ୍ୟାମଳ ଲତାପତ୍ରର କିଞ୍ଚିତ ଅନ୍ତରାଳରେ ସୂର୍ଯ୍ୟର କମନୀୟ ଉଜ୍ଜ୍ୱଳତାର ବିଚିତ୍ର ଦ୍ୟୁତିକୁ ଧରି ରଖିବାର କ୍ଷମତାସମ୍ପନ୍ନ ଏକ ଶିଶିରବିନ୍ଦୁ ଭଳି ସୁନ୍ଦର ମନେହେଉଥିଲା ହୀରାବାଈ । ମୃତ୍ୟୁର କୋଳରେ ନିଝୁମ ନିଦରେ ଶୋଇଥିବା ହୀରାବାଈର ଅଧରରେ, ମୁଖମଣ୍ଡଳରେ ଜୀବନର ସବୁ ସୌନ୍ଦର୍ଯ୍ୟ ଥିଲା, ସବୁ ମାଧୁର୍ଯ୍ୟ ଥିଲା ।

 

ଆଓରଙ୍ଗଜେବ ଆକୁଳ ଆଲିଙ୍ଗନ କଲେ, ଚୁମ୍ୱନ କଲେ ! ଦିଲ୍ଲୀ ସଲତନତ୍‌ ତୋ’ର ପାଦତଳେ ଲୋଟାଇ ଦେବାର କ୍ଷମତା ମୋର ଅଛି । ମୋର ହୀରାବାଈକୁ ମୋତେ କିଏ ଫେରାଇ ଦେବ !

 

...ସେଇ ତ ହେଲା ବିଦ୍ରୋହର ଆଦ୍ୟପର୍ବ । କନ୍ୟାଶୋକରେ ଆକୁଳ ଆଫଜଲ ଖାନ୍‌, ପ୍ରିୟତମାର ବିୟୋଗବ୍ୟଥାରେ ବ୍ୟାକୁଳ ଆଓରଙ୍ଗଜେବ୍‌ ମୁକ୍ତ ତରବାରୀ ନେଇ ଆଗେଇ ଗଲେ...ଗୋଟାକ ପରେ ଗୋଟାଏ ପ୍ରଦେଶ କରାୟତ୍ତ ହେଲା...ଗୋଟାକ ପରେ ଗୋଟାଏ ପ୍ରଦେଶର ରାଜା ବୋଲି ଆପଣାକୁ ଘୋଷିତ କରିଗଲେ ପ୍ରତିଦିନ । ବିଭିନ୍ନ ଯୁଦ୍ଧରେ ଦାରା, ସୁଜା, ମୁରାଦ ଗୋଟାକ ପରେ ଗୋଟାଏ ନିହତ ହେଲେ । ଦିଲ୍ଲୀର ଅଧୀଶ୍ୱର, ଭାରତର ସମ୍ରାଟ ହେବାର ପଥ ପରିଷ୍କାର କରି ବୃଦ୍ଧପିତାଙ୍କୁ ବନ୍ଦୀକଲେ ଆଓରଙ୍ଗଜେବ୍‌ । ଆଗ୍ରାର ଦୁର୍ଗ ରାଜବନ୍ଦୀଶାଳାର ରୂପନେଲା । ଶାହଜହାଁ ସମସ୍ତ ସାଂସାରିକ ସୁଖ-ସ୍ୱାଚ୍ଛନ୍ଦ୍ୟ ପ୍ରାପ୍ତହୋଇ ବିନ୍ଦୀ ହେଲେ । ....ମମତାଜମହଲ...ତାଜମହଲ...ଯମୁନାର ନୀଳଜଳର ଲୋଭନୀୟ ଦର୍ପଣରେ ପ୍ରତିବିମ୍ୱିତ ତାଜ ପୀଡ଼ା ଦେଲା...ଦିବସକୁ ଅନ୍ଧକାରାଚ୍ଛନ୍ନ କଲା । ...ରାତ୍ରିର ଗଭୀର ତମିସ୍ରାରେ ଆଲୋକମାଳିନୀ ଆଗ୍ରାର ସୌନ୍ଦର୍ଯ୍ୟ ଉପଭୋଗ କରିବାର ଲାଳସା ତ୍ୟାଗକରି ତାଜମହଲର ସ୍ଥଳ ନିରୂପଣ କରିବାକୁ ଲାଗିଲେ ନିଷ୍ପ୍ରଭ ନୟନବେନି ।

 

ହଁ, ସମ୍ରାଟ ଶାହଜହାଁର ତନୁରେ ପରାକ୍ରମଶାଳୀ ସମ୍ରାଟ ନୁହେଁ—ବ୍ୟଥା ଅଧୀର ପ୍ରଣୟୀ ଏକ, ମୃତ୍ୟୁର ମୁହୂର୍ତ୍ତ ଗଣୁଥିଲା—ତଥାପି ନୟନବେନି ସ୍ୱଚ୍ଛ ଥିଲା—ଅଧରରେ ଲାଗିରହିଥିଲା ସେଇ ମଧୁର ସ୍ମିତହାସ୍ୟ—ହୁଏ ତ ଲୋତକର ଅବିରତ ପ୍ଳାବନରେ ନୟନବେନି ସ୍ୱଚ୍ଛରୁ ସ୍ୱଚ୍ଛତର ହୋଇଯାଇଥିଲେ—ହୁଏ ତ ଅଧରବେନି ଦୁଃଖର ଆତିଶଯ୍ୟରେ ଅଧିକ ସହନଶୀଳ ହୋଇ ବ୍ୟଥାର ରୂପାନ୍ତର ମୁଗ୍‌ଧ ହୋଇ କରିଥିଲେ ! ସେଇ ବ୍ୟଥା ହୁଏ ତ ସହନଶୀଳତାର ରୂପ ନେଇଥିଲା ଅଧରକୋଣରେ ସ୍ମିତହାସ୍ୟ ରୂପରେ ।

 

କିମ୍ୱଦନ୍ତୀ କହେ, ପ୍ରତିଶୋଧର ବହ୍ନିରେ ପ୍ରଜ୍ଜ୍ୱଳିତ ଆଓରଙ୍ଗଜେବ, ପିତାଙ୍କୁ ବି ବନ୍ଦୀକରି ମନର ତୃଷା ମୋଚନ କରିଥିବା ଆଓରଙ୍ଗଜେବ୍‌ ଆପଣାର ପ୍ରଥମ ପୁତ୍ରର ଜନ୍ମର ସୂଚନା ପାଇବାକ୍ଷଣି, ସୂଚିତ କରୁଥିବା ନହବତର ମଧୁର ସ୍ୱର ଲାଲକିଲ୍ଲାର ପ୍ରତି କୋଣରେ ଆନନ୍ଦର ଅମୀୟ ଢେଉ ଖେଳାଇଯିବା ପୂର୍ବରୁ ଦିଲ୍ଲୀ ତ୍ୟାଗକରିଥିଲା ଆଗ୍ରାର ଉଦ୍ଦେଶ୍ୟରେ । ହୁଏ ତ ତାର ଜନ୍ମର ସମ୍ୱାଦ ପ୍ରାପ୍ତହୋଇ ଠିକ୍‍ ସେଇ ଆନନ୍ଦ, ଠିକ୍‍ ସେଇ ଅଭିନବ ହର୍ଷାନୁଭବ କରିଥିବେ ଶାହଜହାଁ ସେଦିନ । ମାତ୍ର ପିତାକୁ ବନ୍ଧନମୁକ୍ତ କରିପାରିଲା ନାଇଁ ଆଓରଙ୍ଗଜେବ । ନମ୍ରନତ ହୋଇ ପିତାର କୋଳକୁ, ଭୁଜର ବନ୍ଧନକୁ ଫେରିଯାଇ ପାରିଲା ନାଇ ଆଓରଙ୍ଗଜେବ । ଆଗ୍ରା ଦୁର୍ଗର ଦ୍ୱାରଦେଶରେ ହେବାକ୍ଷଣି ନହବତ ସୂଚିତ କଲା ମୃତ୍ୟୁର କରୁଣତା । ଶାହଜହାଁଙ୍କର ପ୍ରାଣପକ୍ଷୀ ଅନନ୍ତ ଅସୀମତାରେ ପକ୍ଷ ମେଲି ଉଡ଼ିଯାଇଥିଲା । —ସ୍ଥିର, ଅଚଞ୍ଚଳ ନୟନବେନି ସତେ ଯେପରି ସେଇ ତୃଷାରେ, ସେଇ ଆବେଗମୟ ଉତ୍‌କଣ୍ଠାରେ ତାଜମହଲର ପ୍ରଶାନ୍ତ ନୀରବତାରେ କିଛି ଖୋଜୁଥିଲେ—ଅନେକ କିଛି ଖୋଜୁଥିଲେ...

 

ହଁ, ବିଶେଷ ମନେପଡୁଥିଲା ବୁବୁର କଥା । ସେ ସତେ ହଠାତ୍‌ ଦିନେ ଭାବିବ ଯେ ଜୀବନ ଓ ଜୀବନର ଜଞ୍ଜାଳକୁ ତୁଲାଇବା କେତେ କଠିଣ । ସେଦିନ ହୁଏ ତ ହୃଦୟଙ୍ଗମ କରିବ ଯେ ମୁଁ, ତା’ର ମାତା, ତାକୁ କେତେ ଆଦର, କେତେ ଅନୁରାଗ, କେତେ ସ୍ନେହ ଦେଇ ପାଳନ କରିନାହୁଁ ! ମୋର ଭୟ କରିବାର କିଛି ନାହିଁ; କାହିଁକି ନା ଗୋଟାଏ ଦିଗରେ ଭାରତର ରାଜଗାଦି ଓ ଅନ୍ୟ ଦିଗରେ ହୀରାବାଈ ଭିତରୁ ଗୋଟାଏ ଆପଣା ପାଇଁ ବାଛିନେବାକୁ ଆଦେଶ ଦେବାର ସାମର୍ଥ୍ୟ ମୋର ନାହିଁ । ସେପରି କୌଣସି ଐଶ୍ୱର୍ଯ୍ୟ ନାହିଁ, ଯା’ର ଲୋଭନୀୟତା ହୁଏ ତ ସେପରି ଏକ ମନୋନୟନର ଅବକାଶ ଆଣିଦେବ...ଯେଉଁପରି ହୁଏ ତ କଲ୍ୟାଣୀକୁ, ହୁଏ ତ ସମ୍ରାଟ ଶାହଜହାଁର ମମତାଜ ପ୍ରତି ସ୍ନେହର ତୁଳନାରେ, ମୁଁ, ଅଧିକ କିଛି ଭଲପାଉଥିଲେ ହେଁ ତାଜମହଲ କାହିଁକି, ତା’ଠାରୁ ଆହୁରି ଅଧିକ କିଛି ତା’ର ସ୍ମୃତିରେ ଗଢ଼ିତୋଳିବାର ଇଚ୍ଛା ଏ ପ୍ରାଣକୁ ଆନ୍ଦୋଳିତ କରୁଥିଲେ ହେଁ ମୋର ସେ କ୍ଷମତା ନାହିଁ—ସେ ସାମର୍ଥ୍ୟ ନାହିଁ ଯେ ମୁଁ କିଛି ଏକ ଗଢ଼ିଦେବି—ଗଢ଼ାଇଦେବି । ଏ ପର୍ଯ୍ୟନ୍ତ ତା’ପାଇଁ ତାଜମହଲର ନମୁନାଟିଏ କିଣି ଆଣିବାର ବେଳ ପାଇ ନି ବୋଧହୁଏ । କାହିଁକି, କିପରି ଏହା ତା’ ପାଇଁ ଆଣିବା ମୋ ପକ୍ଷରେ ସମ୍ଭବ ହୋଇନାହିଁ—ସେ ଯଦି ପଚାରେ ? କଣ ଅଛି ମୋ ପାଖରେ, ଯାହା ତା’ର ପ୍ରଶ୍ନର ଯୁକ୍ତଯୁକ୍ତ ଉତ୍ତର ହେବ ?

 

ମୁଁ ମନେ ମନେ ସ୍ଥିର କଲି, ଆଗାମୀ ପ୍ରଭାତର ପ୍ରଥମ କାର୍ଯ୍ୟ ହେବ ତାଜମହଲର ସୁନ୍ଦର ନମୁନାଟିଏ ଆଣି କୌଣସି ଏକ ସୁନ୍ଦର ସ୍ଥଳରେ ସଜ୍ଜିତ କରି ରଖିବି, ଯାହା ମୁଁ ନ କହିଲେ ବି ଯେପରି କଲ୍ୟାଣୀର ଦୃଷ୍ଟି ଆକର୍ଷଣ କରିବ । କେତେ ଖୁସି, କେତେ ଆନନ୍ଦ ସତରେ ହେବ ନାଇଁ ସେ !

 

ସେମାନେ ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବେ ।

 

ରାତି ଅନେକ ହୋଇଯାଇଥିଲା । ଅତି ନିର୍ଜନ ମନେ ହେଉଥିଲା । ବାହାରଘରେ ମୋର ଖାଇବା ତୁଟିବା ପରେ ଶୋଇସାରିଥିଲା ନୌକର ପିଲାଟି...ଏହା ପୂର୍ବରୁ ସଭିଏଁ ଏହି ଘରେ ରହିଥିଲେ ହୁଏ ତ ଆହୁରି ନିଛାଟିଆ ଲାଗନ୍ତା ଏଇ ପରିବେଶ । ସ୍ମୃତିସମ୍ୱଳିତ ହୋଇ ଏ ଘରର ପ୍ରତିକୋଣ ହୁଏ ତ ବହୁ ସ୍ମୃତିକୁ ପୁନଃ ଜାଗରିତ କରନ୍ତା ।

 

କଲ୍ୟାଣୀ !

 

ସେଇ କଲ୍ୟାଣୀ ସଂପୂର୍ଣ୍ଣରୂପେ ମୋ ପାଇଁ ଉଦ୍ଦିଷ୍ଟ ଓ ନିବେଦିତ ତା’ର ଜୀବନ ! ସେଇ ତ ଜୀବନର ଚରମ ତୃପ୍ତି, ପରମ ସନ୍ତୋଷ । କ୍ଳାନ୍ତ ହୋଇ, କାର୍ଯ୍ୟରତ ଦିବସ ପରେ ମାନସିକ ଓ ଶାରୀରିକ ସବୁ ଅବସନ୍ନତା ସତେ କିପରି ଗୋଟାଏ ନିମିଷକେ ଉଭେଇ ଯାଏନାହିଁ ତା’ର ସରଳ, ମୋର ପ୍ରତୀକ୍ଷାରେ ସତେ ଯେଉଁପରି ଉତ୍‌କଣ୍ଠିତ ଦୁଇଟି ଆଖି ଦେଖିଲେ ।

 

କୋମଳ କମଳ ପରି କୋମଳାଙ୍ଗୀ, ଚକିତହରିଣୀ ପରି ଚଞ୍ଚଳଦୃଶା, ଦିବ୍ୟଗନ୍ଧଯୁକ୍ତା ଅନୁପ୍ରମା, ଈଷତ୍‌ ରକ୍ତାଭ ନେତ୍ରପ୍ରାନ୍ତ, ଆକର୍ଣ୍ଣଲମ୍ୱିତ ଘନଭୂରୁ, ଦୀର୍ଘ ନାଶା, ରକ୍ତାଭ ଅଧର ଓ ଗଣ୍ଡଦେଶ, ସୁକଠିଣ ସୁନ୍ଦର କମନୀୟ ବର୍ତ୍ତୁଳ ସ୍ତନଯୁଗଳ, ଈଷତ୍‌ ରକ୍ତାଭ-ଶ୍ୟାମ ସ୍ତନାଗ୍ର, କ୍ଷୀଣ କଟି, ତ୍ରିବଳିମଣ୍ଡିତ ଉଦରଦେଶ, ସୁଗଭୀର ନାଭୀ, କମ୍ରବର୍ତ୍ତୁଳ ଭୁଜ ଓ ଜାନୁଦେଶ, ଘନ ନିତମ୍ୱ, ଶ୍ରଦ୍ଧାବତୀ, ସଲଜ୍ଜା, କମନୀୟ କାନ୍ତିବତୀ, ଚମ୍ପକବର୍ଣ୍ଣୀ, ମାନିନୀ, ଅଳ୍ପଭାଷିଣୀ ମୋର କଲ୍ୟାଣୀ ! ଶ୍ୱେତପୁଷ୍ପ ତା’ର ଅତି ପ୍ରିୟ ! ତେଣୁ ବୋଧୁହୁଏ ବହୁ ବାର ଚାହିଁଛି ଏକ ପ୍ରତିକୃତି ଏ ପାଷାଣ-ପୁଷ୍ପର !

 

ବହୁ ଆନନ୍ଦ ଦେଇଛି ସେ । ସ୍ତ୍ରୀ ଓ ପୁରୁଷ ପରସ୍ପର ପୂର୍ଣ୍ଣରୂପରେ ସନ୍ତୁଷ୍ଟା, ସୁଖୀ ହେବା ଯଦି ବିବାହର ଲକ୍ଷ୍ୟ; ସ୍ତ୍ରୀ ଓ ପୁରୁଷର ଜୀବନ ପରସ୍ପର ମିଳିତ ହୋଇ ଯଦି ପୂର୍ଣ୍ଣାଙ୍ଗ ହୁଏ; ବିକଶିତ ହୁଏ ପରିଣୟରେ, ତେବେ ମୋର ପରିଣୟ ଏକ ସାର୍ଥକ ପରିଣୟ । ଆମର ଏକାନ୍ତ ଆତ୍ମସମର୍ପଣର ଏକନିଷ୍ଠ ସୁଖର ଉଦ୍‌ଗମ ନିତାନ୍ତ ସରସ, ନିତାନ୍ତ ମଧୁର । କିପରି ତା’ଠାରୁ ଦୂରରେ ରହିବି; ମୁଁ ବା ସ୍ମୃତିର ନିତାନ୍ତ ନିକଟରେ ରହିଛି । ଅନୁଭବ କରିଛି, ଯେପରି ସେ ମୋ ପାଖରେ ସର୍ବଦା ବିଦ୍ୟମାନ । ତା’ର ସବୁ କଥା ତା’ର ଅନୁପସ୍ଥିତିରେ ଅନୁଭବ କରିବା, ସ୍ମରଣ କରିବାର ପ୍ରୀତିପଦତା ଓ ପ୍ରାଣପୂର୍ଣ୍ଣତ୍ୱର ମୋର ଅନ୍ତରକୁ ମଧୁର ଭାବରେ ପୁଲକିତ କରିଛି, ମଥିତ କରିଛି ।

 

ସତରେ କ’ଣ ନାରୀ ଗୋଟାଏ ସ୍ନେହପୂର୍ଣ୍ଣ ପରିବେଶ, ଗୋଟାଏ ମମତାମୟ ସ୍ନେହଶୀଳ ବନ୍ଧନର ମାୟା ତ୍ୟାଗକରି ତା’ର ବିନିମୟରେ ଯାହା ପାଏ, ସେଥିରେ କ’ଣ ଆତ୍ମଭରି ଆନନ୍ଦ ପାଏ ?

 

ମୋର ଏବେ ବି ତ ମନେଅଛି, ସେଦିନ ପ୍ରଥମ କରି ଅତି ମଧୁର ବ୍ରୀଡ଼ାନତା କଲ୍ୟାଣୀକୁ ଆପଣାର ଭୁଜପାଶରେ ବାନ୍ଧିରଖି ତା’ର ଅଧର ଓ ଗଣ୍ଡରେ ଅଜସ୍ର ଚୁମ୍ୱନ ଆଙ୍କିଗଲି-। କେଜାଣି କେଉଁପରି ଏକ ଉଦ୍‌ବେଗ, ଆକୁଳତା ଓ ଆନନ୍ଦର ଉନ୍ନତ ଶିଖରରୁ ମୁଁ ଦେଖିଲି ଯେପରି ଏ ସମଗ୍ର ସଂସାର ତୁଚ୍ଛ—ଏକ ସ୍ୱଚ୍ଛନ୍ଦ ହାସ୍ୟ, ଉଜ୍ଜ୍ୱଳ ଆହ୍ଲାଦ, ଉଲ୍ଲାସ, ପ୍ରଣୟରିପପୂର୍ଣ୍ଣତା ଓ ସେଇ ପରିପୂର୍ଣ୍ଣ ପ୍ରଣୟର ଅକଥ ଉନ୍ମାଦ, ବିଳାସର ଐଶ୍ୱର୍ଯ୍ୟ ଯାହା ହୁଏ ତ ମୁଠାମୁଠା ମୋର ଚତୁର୍ଦ୍ଦିଗରେ ବିଚ୍ଛୁରିତ ହୋଇଗଲା...ସାଉଁଟିଲେ ସାଉଁଟି ହେବନାହିଁ-। ଅନିର୍ବଚନୀୟ ! ମୁଁ ମନେକରୁଥିଲି, ଯେଉଁପରି ମୁଁ, ମୁଁ ହୋଇ ନାହିଁ, ନିଃଶେଷ ହୋଇ ଯାଉଛି, ଆପଣାକୁ ସମ୍ପୂର୍ଣ୍ଣ ହଜାଇ ଦେଉଛି—ମୋର ସମସ୍ତ ସତ୍ତା ସତେ ଯେପରି ଅମୂର୍ତ୍ତ ହୋଇ ଯାଉଛି-। କିନ୍ତୁ ସେ ଗ୍ରହୀତାର ବିଚିତ୍ର ଉତ୍ସାହରେ ପୁଲକିତା, ସମୁଦ୍ରପରି ଅସୀମ ଉନ୍ମାଦର ମାଧୁର୍ଯ୍ୟ ଓ ପାର୍ବତ୍ୟ ନଦୀର କଳକଳ ଛଳଛଳ ନିର୍ଝର ପରି ଆବେଗଯୁକ୍ତା ସତେ ଯେପରି ଆପଣାକୁ ମୋର ଆଲିଙ୍ଗନଇେ ହଜାଇ ଦେଇଥିଲା । ଅଦ୍ଭୁତ ଲଜ୍ଜାଶୀଳା, ନୟନ ମୁଦ୍ରିତ କରି, ଅଧର କୋଣରେ ସ୍ମିତହାସ୍ୟର ଶୋଭା ବିକଶାଇ ହୁଏ ତ ଲଜ୍ଜାନିବାରଣ କରୁଥିଲା । ପ୍ରକାଶିତା, ବସନହୀନତାର କୌଣସି ପ୍ରଭାବ ଯେପରି ନ ଥିଲା ସେଇ ପରିରମ୍ଭର ଅବଗୁଣ୍ଠନରେ !

 

ମୁଁ ମାନବ । ରକ୍ତମାଂସରେ ଗଠିତ ଏ ମୋର ତନୁ । କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟର ଅନୁଭୂତିରଞ୍ଜିତ ମୋର ହୃଦୟକୁ ସେସବୁ ସ୍ୱାଦ ଦେଇଛି । ମୁଁ ଏହା ବାରମ୍ୱାର କହୁଛି, ଅନୁଭବ କରୁଛି ବୋଧହୁଏ ।

 

ମୋର ଠିକ୍‌ ମନେ ନାହିଁ ତା’ର କଥା ଭାବି ଭାବି ମୁଁ ସେଦିନ କେତେବେଳେ ଶୋଇଗଲି । ଅତି ଚଞ୍ଚଳ ଶଯ୍ୟାତ୍ୟାଗ କରି ବି ସେଦିନ । ଅତି ପ୍ରଦୋଷରୁ ମନେକଲି ସତେ ଯେପରି କଲ୍ୟାଣୀ, ପିଲାମାନେ ସଭିଏଁ ଆସିଗଲେଣି । ସଚେତନ ମନରେ ‘‘ସେମାନେ ସନ୍ଧ୍ୟାରେ ପହଞ୍ଚିବେ’’ ଏ ଚେତନା ଜାଗ୍ରତ ଥିଲେ ମଧ୍ୟ କେଜାଣି କାହିଁକି ଯେ ମନେକଲି ସେମାନେ ଆସିଗଲେଣି ।

 

ସକାଳୁ ପାଗ ମେଘୁଆ ଥିଲା । ମୁଁ ଡାକ୍ତରଖାନା ବାହାରିଥିଲି । ଡାକ୍ତରଖାନା ଯିବାକୁ ବାହାରିଲେ ମୋତେ କେଜାଣି କାହିଁକି ସେ ବୃଦ୍ଧ ମୁସଲ୍‌ମାନ ତା’ର ରୁଗ୍‌ଣା ବେଗମର କଥା ମୋର ହୃଦୟକୁ ବାର ବାର ମଥିତ କରୁଥିଲା । ଏକ ବିଚିତ୍ର ଦୁଃଖରେ ପରିପୂର୍ଣ୍ଣ କରି ଦେଉଥିଲା ହୃଦୟ । ତଥାପି ବି ବଞ୍ଚିବାର ସ୍ପୃହା ଅଛି । ଏତେ ଦୁଃଖ, ଏତେ ଯନ୍ତ୍ରଣା, ଏତେ ବ୍ୟଥା ସତ୍ତ୍ୱେ କେଜାଣି ଜୀବନର କେଉଁ ସ୍ୱାଦ ଜୀବନକୁ, ଜୀବନ ପ୍ରତି ପ୍ରଗାଢ଼ ମମତାକୁ ଉଜ୍ଜୀବିତ କରିରଖିଛି; ଆକର୍ଷଣର ମଧୁର ନିଶାରେ ଅଧୀର କରି ରଖିଛି ।

 

ଦୁର୍ଭାଗ୍ୟ ଓ ଦୁଃଖର କଥା—ଏଇ ଈର୍ଷାହୀନ ଆଶ୍ରୟସ୍ଥଳୀ ଦୁଃଖ, ଯନ୍ତ୍ରଣା, ରୋଗ ଓ ଅସମର୍ଥତାର ଉପଶମନ ନିମନ୍ତେ ଉଦ୍ଦିଷ୍ଟ ଈର୍ଷାହୀନ ଆଶ୍ରୟସ୍ଥଳୀ, ଏଇ ଡାକ୍ତରଖାନା, ସେଇମାନଙ୍କୁ ଆଶ୍ରୟ ଦେବାକୁ, ସେମାନଙ୍କର ଉପସ୍ଥିତିକୁ ଅଙ୍ଗୀକାର କରିବାକୁ ଶେଷ ପର୍ଯ୍ୟନ୍ତ ଅସମର୍ଥ ଥିଲା । ସେଇ ନାରକୀୟ ଦୁର୍ଗନ୍ଧ ହିଁ ଏ ସମସ୍ତ ହାନି ଘଟାଇଥିଲା ।

 

ଡାକ୍ତରଖାନାର ସବୁ ରୋଗୀଙ୍କୁ ଏହା ଅସହ୍ୟ ହେଲା । ସେମାନେ ତା’ର ଉପସ୍ଥିତି ପାଇଁ ମୁକ୍ତକଣ୍ଠରେ ଆପତ୍ତି କଲେ । କମ୍ପାଉଣ୍ଡର, ଡ୍ରେସର, ଏପରି କି ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀମାନେ ମଧ୍ୟ ତା’ ପାଖକୁ ଯିବାକୁ ସିଧା ଅମଙ୍ଗ ହେଲେ ।

 

ମୁଁ ଆଶ୍ଚର୍ଯ୍ୟ ଅଭିଭୂତ ହେଉଥିଲି । ଏ ଅସହ୍ୟ ଦୁର୍ଗନ୍ଧ ବୃଦ୍ଧ ପକ୍ଷରେ ଆଦୌ ଅସହ୍ୟ ହେଉ ନ ଥିଲା ! କୌଣସି ପ୍ରକାର ବିକାର, ବିକଳ୍ପ, ଅସ୍ପୃହା ନ ଥିଲା ତା’ର ମନରେ ! ଏକ ସ୍ୱୟଂଚାଳିତ ଯନ୍ତ୍ର ପରି ଆପଣାକୁ ପ୍ରତିଟି ମୁହୂର୍ତ୍ତ ତା’ର ସେବାରେ, ତାର ଆବଶ୍ୟକତା ପୂରଣ ପାଇଁ ନିୟୋଜିତ କରିଥିଲା ସେ । ମୁଁ ଦେଖୁଥିଲି, କାର୍ଯ୍ୟରତ ସେଇ ବୃଦ୍ଧ ଯେପରି କି ସେଥିରେ ହିଁ ପାଉଥିଲା ଚରମ ଆନନ୍ଦ ଓ ଆପଣାକୁ ସମ୍ପୂର୍ଣ୍ଣରୂପେ ନିୟୋଜିତ କରିପାରିଛି ବୋଲି ହୁଏ ତ ସେ ବ୍ୟଥା ଭୁଲିଥିଲା—ତା’ର ମନରେ ଏ ଆଶଙ୍କା ଓ ଭୟ ନଥିଲା ଯେ ବେଗମ୍‍ ତା’ର ବଞ୍ଚିବ ନାଇଁ–ଏକ ଦୁରାରୋଗ୍ୟ ରୋଗର ଶିକାର ସେ ।

 

ସେମାନଙ୍କୁ ବହିଷ୍କାର କରିବାର ଆପତ୍ତି ଧୀରେ ଧୀରେ ବଳଶାଳୀ ହେଲା । ମୁଁ ଦିନେ ବାଧ୍ୟ ହୋଇ ସେମାନଙ୍କୁ ଚାଲିଯିବାକୁ କହିଲି । ବୃଦ୍ଧକୁ କହିଲି ଯେ ମୁଁ ଆବଶ୍ୟକ ହେଲେ ପ୍ରତ୍ୟହ ତା’ର ବେଗମ୍‍ କୁ ଦେଖିଯିବି ଓ ତାକୁ ପ୍ରତିଦିନ ଡାକ୍ତରଖାନାକୁ ଆସି, ବେଗମ୍‍ ର କଥା କହି ଔଷଧ ନେଇଯିବାକୁ ନିର୍ଦ୍ଦେଶ ଦେଲି ।

 

ସେ ପରଛି ଛାଡ଼ିଦେଲା । ହେଲେ, ବେଶି ଦୂର ଗଲା ନାହିଁ । ଡାକ୍ତରଖାନାର ପରିଧି ଭିତରେ ଏକ ବିଶାଳ ବୃକ୍ଷର ଛାୟାତଳେ ଆଶ୍ରୟ ନେଲା । ବୃଦ୍ଧ ଔଷଧ ପାଇଁ ବରାବର ଆସେ...ଦରକାର ହେଲେ ମୁଁ ବି ଥରେ-ଅଧେ ଯାଇଛି ଇନ୍‌ଜେକ୍‌ସନ ଦେବାକୁ । ବୃଦ୍ଧର ଅନୁରାଗ, ଆସକ୍ତି ଓ ନିଷ୍ଠା ସତେ ଯେପରି ମୋତେ ମଧ୍ୟ ନିର୍ବିକାର କରି ଦେଇଥିଲା ।

 

ସେତେବେଳେ ଭୀଷଣ ବର୍ଷା ହେଉଥିଲା । ସେ ଅପ୍ରତ୍ୟାଶିତ ଦୃଶ୍ୟ ମୋତେ ବିବ୍ରତ କଲା । ମୋର ସତ୍ତାରେ ସତେ ଯେଉଁପରି ଖେଳିଗଲା କୋହ ଓ ଅଶ୍ରୁର ପ୍ଳାବନ । ବୃଦ୍ଧ ସମ୍ପୂର୍ଣ୍ଣ ରୂପେ ତିନ୍ତିଯାଇଥିଲା । ତିନ୍ତି ତିନ୍ତି ଆପାତତଃ ଥରୁଥିବା ଦୁଇ ହାଜରେ ଚାଦରର ଦୁଇ ପାଖ ଯଥାସମ୍ଭବ ଟାଣି ଧରିଥିଲା । ଚାଦରର ସାମନାର ଅନ୍ୟ ଦୁଇ ପାଖ ଗଛର ଗୋଟାଏ ଡାଳରେ ବନ୍ଧା ହୋଇଥିଲା ।

 

ଶୀଘ୍ର ଓ ଶାନ୍ତଭାବରେ ମୁଁ ସେମାନଙ୍କ ପାଖକୁ ଗଲି । ଏଇ ଚାନ୍ଦୁଆ ରଚନାର ଅପକ୍ୱ ଉପସ୍ଥିତବୁଦ୍ଧି ସେହି ବାଧାକୁ ସମ୍ଭାଳି ନେବାକୁ ପୂରାପୂରି ଅନୁପଯୋଗୀ ଥିଲା ଓ ତାହା ସେଇ ସ୍ଥିର ତଥା ଭୀଷଣ ବର୍ଷାରୁ ମୋଟେ ରକ୍ଷାକରି ପାରୁ ନ ଥିଲା । ...ସେଇ ଦୀନା ବେଗମ୍‍ ; ତା’ର ଆପାଦମସ୍ତକ ତିନ୍ତି ଯାଇଥିଲା ଓ ସେ ଭୀଷଣ ଭାବରେ ଥରୁଥିଲା । ଏସବୁର ପ୍ରଭାବ ସତ୍ତ୍ୱେ ତା’ର ମୁହଁରେ ଯେଉଁ କେତେକାଂଶ ବାକି ଥିଲା, ତହିଁରେ ଏକ ଭୟାନକ ସ୍ମିତହାସ୍ୟ ତରଙ୍ଗ ରଚୁଥିଲା ।

 

ମୋର ଅଭ୍ୟସ୍ତ ଆଖି ମୋତେ ସୂଚିତ କଲା ଯେ ବେଗମ୍‍ ଦେହରେ ନିଶ୍ଚୟ ଭୀଷଣ ଉତ୍ତାପ ଅଛି ।

 

ମୁଁ ସେମାନଙ୍କର ଏ ଦୟନୀୟ ଅବସ୍ଥା ଦେଖି ମର୍ମାହତ ହେଲି ଓ ଏସବୁ ପରିସ୍ଥିତି ହେତୁ ମୁଁ ସେମାନଙ୍କୁ ଫେରିଯିବାକୁ, ଅନ୍ତତଃ କିଛିଦିନ ପାଇଁ ଯେଉଁଠାରୁ ଆସିଛନ୍ତି, ସେଠାକୁ ଫେରିଯିବାକୁ କହିବାକୁ ବାଧ୍ୟ ହେଲି । ବହୁ କଷ୍ଟରେ, ବହୁ ସଙ୍କୋଚରେ ଏତକ କହିପାରିଲି; ହେଲେ, କହିସାରି ସେମାନଙ୍କ ମୁହଁକୁ ଚାହିବା ବି ମୋ ପକ୍ଷରେ ସମ୍ଭବର ହୋଇପାରିଲା ନାହିଁ ।

 

ଏ ହୃଦୟ ସତେ ଯେପରି ଏକ ସହର, ଯାହା ଧୀରେ ଧୀରେ ଗଢ଼ି ଉଠେ । ପ୍ରତିଦିନ ନବଚେତନାରେ ଭାସ୍ୱର, ନବୀନ ଉଦ୍ଦୀପନାରେ ଉଜ୍ଜ୍ୱଳ, ନିତ୍ୟନବନୀତ ବେଶରେ ଆଶାର ଉଷା ଆସେ । ଆକାଙ୍‌କ୍ଷାର ମଧ୍ୟାହ୍ନ ଆସେ । ସବୁ ଉଜ୍ଜ୍ୱଳତା ଧୀରେ ଧୀରେ ମଉଳିଯାଏ, ସତେ ଯେପରି କେହି ଅଯାଚିତ ଭାବରେ ବିଛେଇ ଦେଇଥିବା ମହାଦାନକୁ ପୁଣି ଥରେ ସାଉଁଟି ନିଏ । ଅନ୍ଧକାର ଆସେ, ରାତ୍ରି ଆସେ, ନିସ୍ତବ୍‌ଧତା ଆସେ, ତଥାପି ବି ଶାନ୍ତି ଆସେ । ପୁନରାୟ ଉଷା କମନୀୟ ବେଶରେ ଆସି ମାଧୁର୍ଯ୍ୟ ଖେଳାଇଯିବ—ଏଇ ଆଶାର ଆଶ୍ରୟରେ ମଣିଷ ବଞ୍ଚି ରହେ । ପ୍ରଦୋଷର ପହିଲି ପାଟଳ କିରଣର ସ୍ପର୍ଶରେ ଫୁଟିଥିବା ଫୁଲର ମହକରେ ଜାଗ୍ରତ ପକ୍ଷୀ; ଏଇ ମଣିଷ ପରି ହୁଏ ତ କାର୍ଯ୍ୟବ୍ୟସ୍ତ ହୁଏ । ସନ୍ଧ୍ୟାରେ ଫେରିଆସେ ନୀଡ଼କୁ । ଜୀବନର ଏଇ ଆବର୍ତ୍ତ, ଏଇ ସହର ପରି କୋଳାହଳ ଓ ନିସ୍ତବ୍‌ଧତା ଭିତରେ ଆପଣାର ସବୁ ହରାଇ ସବୁ କିଛି ପାଏ....

 

ସବୁ ହୃଦୟ ଯାହା ଚାହେଁ ତାହା ପାଏ ନାହିଁ, ସବୁ ଆଶାର କଳି ଫୁଲ ହୁଏ ନି; ଅନେକଟା ମଉଳିଯାଏ ।

 

ମୁଁ ସେମାନଙ୍କୁ ସେଠାରୁ ଚାଲିଯିବାକୁ କହିଲା ପରେ ପରେ ହଠାତ୍‌ ଏକ ନିରାଶାଭାବ, ଏକ ଅନୁନୟ ଅପରିବର୍ତ୍ତିତ ତଥା ବଳଶାଳୀ ଭାଗ୍ୟର ବିରୁଦ୍ଧରେ ସମସ୍ତ ମାନବିକ ଚେଷ୍ଟାର କରୁଣ ଅସହାୟ ଭାବ ସେ ବୃଦ୍ଧକୁ ସମ୍ପୂର୍ଣ୍ଣ ରୂପେ ଆଘାତ ଦେଉଥିଲା । ସେ ଆପଣାକୁ ହୁଏ ତ ଏପରି ଅସହାୟ ମନେକରୁଥିଲା, ଯେପରି କ୍ଷୁଧାର୍ତ୍ତ ପକ୍ଷୀଶାବକଗୁଡ଼ିକ ନୀଡ଼ରେ ହଠାତ୍‌ ଆବିର୍ଭୂତ ସର୍ପର ଦର୍ଶନରେ ମନେକରନ୍ତି ।

 

‘‘ଅନୁଗ୍ରହ କରି ହଜୁର !’’ ସେ ଅପରିହାର୍ଯ୍ୟ ତଥା ପତନୋନ୍ମୁଖ ଦୁର୍ଦ୍ଦଶାର ଅଶୁଭ ଭବିଷ୍ୟତ ପ୍ରତି ଆଉ ମୁଦ୍ରିତ ନୟନ ହୋଇ ରହିପାରିଲା ନାହିଁ । ସେ ଅଶ୍ରୁପୂର୍ଣ୍ଣ ନେତ୍ରରେ ମୋ ଆଡ଼କୁ ଦେଖି ପଚାରୁଥିଲା-

 

‘‘ସତରେ କଣ ସମାନ୍ୟ ଟିକିଏ ବି ଆଶା ନାଇଁ ଡାକ୍ତର ! ...ଏ ଭଲ ହେବ... ? ...କ୍ଷୀଣ ଓ ଦୁର୍ବଳତମ !’’

 

ମିଥ୍ୟା ଆଶା ଓ ବୃଥା ସାନ୍ତ୍ୱନାର ଭାଷା ମୋର କଣ୍ଠ ପାଖରେ ହିଁ ରୋକିଗଲା ।

 

‘‘ନାଁ ମୋଟେ ନୁହେଁ । ମୋର ଭୟ ହେଉଛି...।’’ ମୁଁ ନିତାନ୍ତ ସତ୍ୟ କହିଥିଲି । ଅବଶ୍ୟ କଥାଟି ଅତୀବ ଅସହନୀୟ ଓ ଆଘାତପ୍ରଦ ହୋଇଥିଲା ।

 

ମସ୍ତକ ତା’ର ଛାତି ପର୍ଯ୍ୟନ୍ତ ନଇଁ ଆସିଥିଲା । ନୀରବ ଥିଲା ବୃଦ୍ଧ । ଆସନ୍ନ ଭବିଷ୍ୟତରେ ଘଟିବାକୁ ଥିବା ଅଘଟଣା ପ୍ରତି ବିନୟ ପୂର୍ବକ ମସ୍ତକ ତା’ର ନଇଁ ଯାଇଥିଲା ଯେପରି-!

 

ମୁଁ କିଛି ନ କହି ଚାଲିଗଲି । ପ୍ରାୟ ଘଣ୍ଟାଏ ପରେ ବର୍ଷା ଶାନ୍ତ ହୋଇଗଲା । ଆକାଶ ସ୍ୱଚ୍ଛ ହୋଇ ସୂର୍ଯ୍ୟାଲୋକରେ ସତେ ଯେପରି ପ୍ରାଣସଞ୍ଚାରିତ ହେଲା ।

 

ବାରବାର ମନେପଡ଼ୁଥିଲା ବୃଦ୍ଧଟିର କଥା । ତା’ର ବେଗମ୍‍ କଥା । ମୁଁ ମୋର କୌଣସି କାର୍ଯ୍ୟରେ ମନୋନିବେଶ କରିପାରିଲି ନାହିଁ ।

 

ସବୁଦିନ ପରି, ଆପାତତଃ ନିର୍ଦ୍ଦିଷ୍ଟ ସମୟରେ ମୋର କାର୍ଯ୍ୟ ଶେଷକରି ଫେରିଲି । ବୃକ୍ଷର ଛାୟାତଳ ନିତାନ୍ତ ନିଛାଟିଆ ମନେହେଲା । ମରୁଯାତ୍ରୀଦଳ ଚାଲିଗଲା ପରେ କେତୋଟି ମୁହୂର୍ତ୍ତ ପାଇଁ ରହିଯାଇଥିବା ତମ୍ୱୁର ଅର୍ଦ୍ଧପୂର୍ଣ୍ଣ ଗର୍ତ୍ତ ପରି ଏଣେତେଣେ କେତୋଟି ପରିତ୍ୟକ୍ତ ବସ୍ତୁ ପଡ଼ିଥିଲା । ମୋ ଆଗରେ ଅନେକ ଦୃଶ୍ୟ ଭାସିଗଲା; ବିଶେଷ କରି ସ୍ମୃତିରେ ନିତାନ୍ତ ଉଜ୍ଜ୍ୱଳ ସେଇ ଅନ୍ତିମ ଦୃଶ୍ୟ । ବୃଦ୍ଧର ଥରୁଥିବା ଦୁଇଟି ହାତ, ହାତର ଚାଦର, ଭୀଷଣ ବର୍ଷା ଓ ଚାଦର ତଳେ ସଂପୂର୍ଣ୍ଣ ଆର୍ଦ୍ର ହୋଇ ଶୀତ ଓ ତାପର ତାପରେ ଥରୁଥିବା ବେଗମ୍‍ ! ମୋର ଆଖିରେ ବି ଭରିଗଲା ସମବେଦନାର ଲୁହ ।

 

ମୁଁ ଫେରୁଥିଲି । ମେଘମୁକ୍ତ ଆକାଶ—ବର୍ଷାପରର ନିର୍ମେଘ ସ୍ୱଚ୍ଛ ଆକାଶରୁ ଝରୁଥିବା ସୂର୍ଯ୍ୟାଲୋକ ଉତ୍ତପ୍ତ ମନେହେଉଥିଲା ।

 

ଆଜି ସନ୍ଧ୍ୟାର କଲ୍ୟାଣୀ ଆସିବ ।

 

ପିଲାମାନେ ଆସିବେ ।

 

ବହୁଦିନ ପରେ, ମୋର ଏକାନ୍ତ ନିଜର, ପରିବାରର ମଧୁର ପରିବେଶରେ ସମୟ କାଟିବାର ସୁଯୋଗ ଆସିବ ।

 

ମୁଁ ଭୁଲିଯିବି ସବୁ ଦୁଃଖ...ଏଇ ବୃଦ୍ଧ....ତାର ରୁଗ୍‌ଣା ବେଗମକୁ, ତା’ର ପୀଡ଼ା-ଯନ୍ତ୍ରଣା, ବୃଦ୍ଧର ଅସୀମ ଅନୁରାଗ ଓ ଅସହାୟତାକୁ ।

 

ମୁଁ ଫେରୁଥିଲି । ହଠାତ୍‌ ସ୍ତମ୍ଭୀଭୂତ ହୋଇ ରହିଗଲି । ଗାଡ଼ି ବନ୍ଦକଲି । ଯମୁନାକୁଳରେ–ତାଜର ସୀମାକୁ ଲାଗି ମାଟି ଉପରେ ପାଦ ଦେଇବସି, ମୁଁ ଦେଖିଲି ସେଇ ବୃଦ୍ଧ କାର୍ଯ୍ୟରତ ଥିଲା । ମୁଁ ତା’ର ସଠିକ୍‌ କର୍ମ କ’ଣ, ଜାଣିବାକୁ କୌତୂହଳୀ ହେଲି ।

 

ମୁଁ ତା ପାଖକୁ ଧୀରେ ଧୀରେ ଗଲି ।

 

ସେ ନିରୀହ ଲୋକଟି ଭଙ୍ଗା ଇଟା ଓ ମାଟିର ସାଧାରଣ ତଥା ନମ୍ର କିଛି ଗୋଟାଏ ସ୍ଥାପତ୍ୟ ନିର୍ମାଣରେ ଅତ୍ୟଧିକ ମନୋନିବେଶ କରିଥିଲା ଓ ତା’ର ଚତୁଃପାର୍ଶ୍ୱରେ କ’ଣ ବା ଘଟୁଛି, ସେ ସବୁ ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ ଥିଲା ।

 

‘‘କ’ଣ କରୁଛ ଏଠାରେ ?’’

 

ମୁଁ ତା’ର ମନୋଯୋଗୀତା ଭଙ୍ଗକରି ନମ୍ରଭାବରେ ପଚାରିଲି ।

 

ସେ ମୋତେ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଣ୍ଠୁମାଡ଼ି ଆହୁରି ଟିକିଏ ନଇଁଗଲା । ମୋ ଆଡ଼କୁ ଦେଖିଲା । ଅନେକ କିଛି ହଜାଇ ଅନେକ କିଛି ପାଇଥିବାର ଦୀପ୍ତି ଦେଖିଲି ମୁଁ ସେ ଆଖିରେ । ସଜଳ ସେଇ ନେତ୍ରଯୁଗଳରେ ବ୍ୟଥାଠାରୁ ସନ୍ତୋଷର ଚିହ୍ନ ଅଧିକ ଥିଲା ବୋଧହୁଏ । ମୁଁ ବିସ୍ମିତ ହେଲି ।

 

ସେ ଧୀର କଣ୍ଠରେ ଉତ୍ତର ଦେଲା–

 

‘‘ବେଗମ୍‍ ର କବର କରୁଛି !’’

 

ନିଷ୍ଠୁର ବାସ୍ତବତା ମୋତେ ହୁଏ ତ ନିଶ୍ଚଳ କରିଦେଇଥିଲା । ସେ ଶାନ୍ତ ଓ ଗମ୍ଭୀର ଥିଲା । ମୁଁ କିଛି କହିପାରିଲି ନାଇଁ...ଦେଖିଲି ଖାଲି । ସେ ପୁନରାୟ ଗଭୀର ତନ୍ମୟତାରେ ତା’କାର୍ଯ୍ୟରେ ଲାଗିଗଲା ।

 

ଅଦୂରରେ ମର୍ମର ପୁଷ୍ପ ତାଜମହଲ । ....ବଦରୁନ୍ନିସାର ସ୍ମାରକୀ । ଦୂରରେ ଆଗ୍ରାର ଦୁର୍ଗ...ମୋର ଅତି ନିକଟରେ ବୃଦ୍ଧ ନିର୍ମାଣ କରୁଥିବା କବର ବିଦ୍ୟମାନ ଥିଲା । ଯମୁନାର ଛଳଛଳ ଉଚ୍ଛଳ ଜଳରାଶି ପ୍ରଣୟର ମଧୁର ସଙ୍ଗୀତ ଗାନ କରୁଥିଲା ଯେପରି । କେତେ ପ୍ରଣୟ ସତରେ ଦେଖିନାଇଁ ଏଇ ଯମୁନା...କେତେ ପୁଲକ ବେଣୁ ସତରେ ଆନ୍ଦୋଳିତ କରିନାଇଁ ତାର ହୃଦୟ !

 

ମୋ ଆଖିରେ ଲୁହ ଭରି ଆସୁଥିଲା ।

 

ମୁଁ ନୀରବରେ ପ୍ରଣାମ ଜଣାଇଲି ।

 

ଫେରିଆସିଲି ଧୀରେ ଧୀରେ !

 

ଯାହା ଭାବିଥିଲି, କଲ୍ୟାଣୀର ପହଞ୍ଚିବା ପୂର୍ବରୁ ତାଜମହଲର ଚମତ୍କାର ନମୁନାଟିଏ ତା’ପାଇଁ ଆଣି ସଜାଇ ରଖିଥିବି । ଦେଖିଲେ କେତେ ଖୁସୀ ହେବନାଇଁ—କେତେ ପ୍ରୀତିପୂର୍ଣ୍ଣ କୃତଜ୍ଞତାରେ ମୋତେ ଦେଖିବ ନାଇଁ ! ପାରିଲି ନାହିଁ । ବହୁବାର ଯାଇ ଫେରିଆସିଲି । ମନ ମାନିଲା ନାହିଁ, ହୃଦୟ ଚାହିଁଲା—ଆସୁ ସିଏ ଆପଣା ଇଚ୍ଛାରେ, ଆପଣାର ମନୋନୟନରେ କିଣିବ ସେ ।

 

ସନ୍ଧ୍ୟା ହେଲା । ନିର୍ଦ୍ଦିଷ୍ଟ ସମୟରେ ଟ୍ରେନ ପହଞ୍ଚିଲା । ବୁବୁ ମୋତେ ଦେଖି ଦଉଡ଼ି ଆସିଲା ପାଖକୁ...ଟେକିନେଲି, ଆଦରରେ ଚୁମ୍ୱନ ଦେଲି । କଲ୍ୟାଣୀ କାଖରୁ ଲହଁସୀ ଆସିଲା ବୁଲୁ...ଗୋଟାଏ ହାତରେ ତାକୁ ବି ଟେକିନେଲି—ଚୁମ୍ୱନ ଦେଲି । ପକେଟରୁ କଲମ ଟାଣିନେଇ ହସିଲା ସେ...ଗୋଟାଏ ହାତରେ ମୋର ମୁଣ୍ଡର ବାଳ ଅଲରା କରି ଖେଳିବାକୁ ଲାଗିଲା । କଲ୍ୟାଣୀ ଦେଖିଲା ମୋତେ...ଆଖିନୁଆଁଇ ନେଲା...ମୁରୁକି ହସିଲା । ଦେଖିଲି ତାକୁ, ମନଭରି ଦେଖିଲି ଯେପରି ପହିଲା କରି ଦେଖୁଛି । ଅଝଟ ଅଳକରାଶି...ରକ୍ତାଭ ସିନ୍ଦୂରବିନ୍ଦୁରେ ଦୀପ୍ତିମନ୍ତ କପୋଳ, ଲାଜରା ସଜଳ ଢଳଢଳ ନୀଳ ନୀଳ ତା’ର ନୟନବେନି, ବ୍ରୀଡ଼ାର ମଧୁର କ୍ରୀଡ଼ାରେ ବିଧୂନିତ ଅଧର...ସବୁ ଦେଖିଲି । ମନଭରି ଦେଖିଲି ।

 

ବହୁବେଳ ପରେ ପଚାରିଲା—

 

‘‘ଦେହ ଭଲ ଅଛିଟି ? ଭାରି ଶୁଖିଲାଟା ଦିଶୁଛି !’’

 

ମୁଁ ଛୋଟ ଉତ୍ତର ଦେଲି—

 

‘‘ହଁ’’ ।

 

ସେଇ ତ ମୋର ପରିବାର । ସେଇ ତ ମୋର ଐଶ୍ୱର୍ଯ୍ୟ—ପୃଥିବୀ ! ସେଇ ତ ମୁଁ; ବିଭକ୍ତିକୃତ ମୁଁ !

 

ମୁଁ ସତରେ, ସବୁ କିଛି ଭୁଲିଗଲି । ସୁଖ ଛଡ଼ା ଆଉ କୌଣସି ଅନୁଭବ ସତେ ଯେପରି ଏ ହୃଦୟ ଜାଣି ନାହିଁ—ପରିଚୟ ପାଇନାହିଁ ।

 

ସକାଳ ହେଲା । ମୋତେ ଉଠେଇଲା କଲ୍ୟାଣୀ । ବହୁ ଆଗରୁ ଉଠିସାରିଥିଲା ସେ । ମୁକ୍ତ ବାତାୟନର ନୀଳ ପରଦା ଦେଇ ନୀଳାଭ ବଳୟ ସୃଷ୍ଟିକରି ପାଖ ଟେବୁଲ ଉପରେ ବିଛେଇ ହୋଇ ପଡ଼ିଥିଲା ସକାଳର କଅଁଳ ଖରା । ମୁଁ ତା’ର ବାହୁଧରି ମୋ ଉପରକୁ ଟାଣି ନେଲି । ତା’ର ଅଧରରେ ମଧୁର ଚୁମ୍ୱନ ଲେଖି ଅଭିବାଦନ ଜଣାଇଲି !

 

ଡାକ୍ତରଖାନାକୁ ଆସିବା ବାଟରେ କୌତୂହଳୀ ହୋଇ ଅଟକି ଗଲି । ଅନେକ ରୁଣ୍ଡ ହୋଇଥିଲେ । ଦୁଇ ତିନି ଜଣ ପୁଲିସ ଅଫିସର ଥିଲେ ବି । ପଚାରିଲି–

 

ଉତ୍ତର ମିଳିଲା...

 

ଭିକାରୀଟିଏ ଥିଲା, ମରିଯାଇଛି । ଗୀତ ଗାଇବୁଲେ ସାରା ଆଗ୍ରାରେ । ବହୁଦିନ ତଳର କଥା । ଏବେ ଆଉ ଗୀତ ଗାଉ ନ ଥିଲା । ଆଗ୍ରାର ସହରତଳିରେ ରହୁଥିଲା କେଉଁଠି !

 

ମୁଁ ଦେଖିଲି—ସେଇ ବୃଦ୍ଧ, ଗତକାଲି ନିଜ ହାତରେ ନିର୍ମାଣ କରୁଥିବା ସେଇ କବରଟି ଉପର ମୁଣ୍ଡ ରଖି ଶୋଇଯାଇଛି—ଗଭୀର ନିଦ୍ରାରେ ଶୋଇଯାଇଛି । ଆପଣାକୁ ତା’ର ଆପଣା ପାଖରେ ହଜାଇ ଦେଇ ଏକ ଓ ଅଭିନ୍ନ ହୋଇଯାଇଛି । ସେ ମିଳନର ବିଚ୍ଛେଦ ନାହିଁ । ସେ ଆଶାରେ ନିରାଶା ସ୍ପର୍ଶ ଦେଇପାରିବ ନାହିଁ—ସେ ଆନନ୍ଦରେ ବିଷାଦର ଲେଶ ମାତ୍ର ପରଶ ଲାଗିବ ନାହିଁ ।

 

ମୁଁ ଅବାକ୍‌ ହେଲି ।

 

ଆପଣାର ଅନୁସନ୍ଧାନ ଆପାତତଃ ଶେଷକରି ପୁଲିସ ଅଫିସର ଜଣକ କେହି ଜଣକୁ ପଚାରିଲେ ମୃତର ନାଆଁ...

 

ମୁଁ ଶୁଣିଲି—ଫକୀର ଶାହଜହାଁ ।

 

ଆରମ୍ଭ– ୯ । ୫ । ୬୬

ଶେଷ-୨୧ । ୧୧ । ୬୭

★★★

 

ଅନ୍ତିମ କଥନୀ

 

ସମ୍ପୂର୍ଣ୍ଣରୂପେ ଏହା ମୋର ରଚନା ନୁହେଁ । ସୁରମ୍ୟ ଉଦ୍ୟାନରେ ବିକଶିତ ହୋଇଥିବା ରୂପ-ରସ-ଗନ୍ଧ-ସୌରଭଯୁକ୍ତ ଅସଂଖ୍ୟ ଲୋଭନୀୟ ପୁଷ୍ପ ଚୟନ କରି ଏକ ମାଳା ନିର୍ମାଣ କରିବା ଯାହା, ତାହା ବୋଧହୁଏ ମୁଁ ବି କରିଛି । ଉଦ୍ୟାନରେ ପ୍ରଷ୍ଫୁଟିତ କୁସୁମରାଶି ମୋର ନୁହେଁ—ତାକୁ ଏକତ୍ରିତ କରିବା, ଗ୍ରଥିତ କରିବା ପାଇଁ ଆବଶ୍ୟକ ହୋଇଥିବା ସୂତ୍ରଟି ହୁଏ ତ ମୋର । ମୋର—ଆପଣାର—ଏକାନ୍ତ ନିଜର ।

 

ମହାକବି ବାଲ୍ମୀକିଙ୍କର ରାମାୟଣ ରଚନା ପରେ ମହାକବି କାଳିଦାସ ଓ ଭବଭୂତିଙ୍କର ରଘୁବଂଶ; ଉତ୍ତର ରାମଚରିତ, ତୁଳସୀ ଦାସଙ୍କର ଶ୍ରୀ ରାମଚରିତମାନସ, ସ୍ୱାଭାବକବି ଗଙ୍ଗାଧରଙ୍କ ତପସ୍ୱିନୀ କିମ୍ବା ମୁନି ମହାକବି ଭଗବାନ ବ୍ୟାସଦେବଙ୍କର ମହାଭାରତ ରଚନା ପରେ ମହାକବି କାଳିଦାସଙ୍କର ଆଭିଜ୍ଞନମ୍‌ ଶାକୁନ୍ତଳମ୍‌ ଓ ମହାକବି ଗଙ୍ଗାଧରଙ୍କର ପ୍ରଣୟ-ବଲ୍ଲରୀ ରଚନାର ମହାନତା ବା ବିରାଟତା ସହିତ ଏହା ତୁଳନୀୟ କଦାପି ନୁହେଁ । ହେଲେ, ମୁଁ ଅସ୍ୱୀକାର କରିବି ନାଇଁ ଯେ ଏହି ପ୍ରେରଣାର ମୂଳ ଉତ୍ସ ସମାନ । ଏ ପୁନରାବୃତ୍ତି ଅପରାଧ ନୁହେଁ ; ନିଶ୍ଚୟ ମାଧୁର୍ଯ୍ୟପୂର୍ଣ୍ଣ କମନୀୟ ଏକ ନବନୀତ ରଚନା । ମୁଁ କିଞ୍ଚିତ ସଫଳ ହୋଇଥିଲେ ଆପଣାକୁ ସୌଭାଗ୍ୟବାନ ମନେକରିବି ।

 

ଅନେକ ଦିନ ତଳେ ଶ୍ରୀମତି ଉଦ୍‌ଗାତା ପ୍ରଖ୍ୟାତ ବଙ୍ଗଳା କଥାକାର ବନଫୁଲଙ୍କର ଏକ ଗଳ୍ପର ଅନୁବାଦ କରିଥିଲେ । ଗଳ୍ପଟି ଏତେ ହୃଦୟଛୁଇଁଥିଲା ଯେ ତାକୁ କେନ୍ଦ୍ରକରି କିଛି ଏକ ଲେଖିବାର ଆଗ୍ରହ ଓ ଆଶା ମୋତେ ବାରମ୍ବାର ବାଧ୍ୟ କରୁଥିଲା । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର, ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ହିନ୍ଦୀର ପ୍ରଖ୍ୟାତ ସାହିତ୍ୟକାର ଶ୍ରୀ ଆନନ୍ଦପ୍ରକାଶ ଜୈନ ଓ ଆଚାର୍ଯ୍ୟ ଚତୁର ସେନ ଶାସ୍ତ୍ରୀଙ୍କର ବିଭିନ୍ନ ରଚନା ମୋତେ ବହୁରୂପରେ ପ୍ରଭାବିତ କରିଛି । ବହୁ ଐତିହାସିକଙ୍କର ଇତିହାସ ଓ କିମ୍ବଦନ୍ତୀ ମୋତେ ନାନାଭାବର ବିଭବ ଯୋଗାଇ ପ୍ରେରଣା ଦେଇଛି-। ସେଇମାନଙ୍କୁ ମୁଁ ଗ୍ରହଣ କରିଛି । ଏକତ୍ରିତ କରିଛି । କେବଳ ଏକ ମାଳାକାରର ଯଶପ୍ରାର୍ଥୀ ମୁଁ, ମୋର ରଚନା ସାର୍ଥକ ହୋଇ ନଥିଲେ ହେଁ ମୁଁ ଚୟନ କରିଥିବା ପୁଷ୍ପସକଳର ଅନୁପମତାରେ ମୋର ସୁଧୀ ପାଠକ ମୁଗ୍‌ଧ ହେବେ; ଏ ବିଶ୍ୱାସ ମୋର ଅଛି–

 

ଶ୍ରୀନିବାସ ଉଦ୍‌ଗାତା

କବିକୁଟୀର, ବଲାଙ୍ଗୀର

ତା ୨୨।୧୧।୬୭

Image